ଭୁବନେଶ୍ୱର : ଆମେ ରାଜଧାନୀବାସୀ। ଉଚ୍ଚ ଶିକ୍ଷିତ। ଭଦ୍ର । ସଚେତନ ନାଗରିକ ବୋଲି କୁହାଯାଏ। କିନ୍ତୁ ଏସବୁ କେବଳ ଫମ୍ପା ଶବ୍ଦ ଭଳି ମନେ ହୁଏ। କାରଣ କମିସନରେଟ୍ ପୁଲିସର ନିୟମ ଉଲ୍ଲଂଘନ କରିବାରେ ସାରା ରାଜ୍ୟରେ ରାଜଧାନୀବାସୀ ଆଗୁଆ। କମିନରେଟ ପୁଲିସର ଯାହା ହିସାବ କହୁଛି ରାଜଧାନୀବାସୀ ପୁଲିସ ନିୟମ ଉଲ୍ଲଂଘନ କରିବାରେ ରେକର୍ଡ କରିଛନ୍ତି। ୨୦୧୭ରେ ରାଜଧାନୀବାସୀ ନିୟମ ଉଲ୍ଲଂଘନ କରି ୬ କୋଟି ଟଙ୍କା ଜରିମାନା ଦେଇଛନ୍ତି। ଏଥି ମଧ୍ୟରୁ କେବଳ ମଦୁଆ ତଣ୍ଡ ଗଣିଛନ୍ତି ୧.୦୭ କୋଟି ଟଙ୍କା।
ଭୁବନେଶ୍ୱର ଓ କଟକରେ କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ସହରାଞ୍ଚଳ ନିୟମ ଅନୁଯାୟୀ ପୁଲିସ ପକ୍ଷରୁ ଆଇନ ଉଲ୍ଲଂଘନ କଲେ ଜରିମାନା ଆଦାୟ ଆରମ୍ଭ କରାଯାଇଥିଲା। ହେଲମେଟ୍ଠାରୁ ଆରମ୍ଭ କରି ସିଟ୍ବେଲଟ୍ ନ ପିନ୍ଧିବା, ୩ ଜଣିଆ ବାଇକ୍ ଚାଳନା, ଜେବ୍ରା କ୍ରସିଂ, ସିଗନାଲ ଭାଙ୍ଗି ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତ ବେଗରେ ଗାଡ଼ି ଚଳାଇବା ଭଳି ଏକାଧିକ ନିୟମର ଉଲ୍ଲଂଘନ କରିବା ଫଳରେ ଏଭଳି ଜରିମାନା ଆଦାୟ କରାଯାଉଛି।
କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ୨୦୦୮ ମସିହାରେ ପ୍ରଥମେ ୫୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପରେ ଏହା ୨୦୧୧ରେ ୧ କୋଟିରେ ପହଞ୍ଚିଥିଲା। ୨୦୧୪ରେ ୨ କୋଟି ପାଖାପାଖି। ୨୦୧୫-୧୬ରେ ୨.୫ କୋଟି ପାଖାପାଖି। ୨୦୧୭ରେ ସର୍ବ କାଳୀନ ରେକର୍ଡ କାଟି ୬ କୋଟିରେ ପହଞ୍ଚିଛି। ପାଖାପାଖି ୪.୫ ଲକ୍ଷ ଲୋକ ଏହି ଜରିମାନା ଦେଇଛନ୍ତି। ବଡ଼ କଥା ହେଉଛି ଏହି ୬ କୋଟି ମଧ୍ୟରୁ ୧.୦୭ କୋଟି ଟଙ୍କା କେବଳ ମଦ୍ୟପମାନଙ୍କଠାରୁ ଆଦାୟ ହୋଇଛି। ଚଳିତ ବର୍ଷ ଏବେ ସୁଦ୍ଧା ୩.୨୩ କୋଟି ଟଙ୍କା ଆଦାୟ ସରିଲାଣି। ଆଗାମୀ ଦିନରେ ଆହୁରି କଡ଼ା ଚେକିଂ କରାଯାଇ ଜରିମାନା ଆଦାୟ କରାଯିବ।
ପୁଲିସ ଆଦାୟ କରୁଥିବା ଏହି ଜରିମାନା ଟଙ୍କାକୁ ସରକାରଙ୍କ ତହବିଲରେ ଜମା କରାଯାଉଛି। ସେହି ଟଙ୍କାକୁ ପୁଲିସ ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ହିତରେ ବ୍ୟବହାର କରୁଛି ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଏଭଳି ଯାଞ୍ଚ ଓ ଜରିମାନା ଆଦାୟ ଆହୁରି ଜୋରଦାର କରାଯିବ। ବିଶେଷକରି ସପ୍ତାହର ଶେଷ ଦିନ ଶନିବାର ଓ ରବିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ। ମଦ୍ୟପାନ କରି ବାଇକ୍ ଓ କାର ଚଳାଉଥିବା ଚାଳକମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ସହରରେ ବିଳମ୍ବିତ ରାତିରେ ବାଇକ୍ ଚାଳକମାନେ ମଦ୍ୟପାନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। ତେଣୁ ବାଇକ୍ ଓ କାର ଚାଳକମାନେ ସେମାନଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ଭଳି ଅନ୍ୟାନ୍ୟ ପରିଚୟପତ୍ର ପାଖରେ ରଖନ୍ତୁ। ଯାଞ୍ଚବେଳେ ସେମାନେ ପୁଲିସକୁ ଏହା ଦେଖାଇ ପାରିବେ। ପୁଲିସ ପକ୍ଷରୁ ଏଭଳି ଯାଞ୍ଚବେଳେ ଅନେକ ଚୋରା ବାଇକ୍ ଚାଳକମାନେ ମଧ୍ୟ ଧରା ପଡ଼ୁଛନ୍ତି ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/che.jpg)