ଚନ୍ଦ୍ରଶେଖରପୁର: ଗାଡ଼ିର ଫିଟ୍ନେସ୍ ଟେଷ୍ଟ ପାଇଁ ଆସୁଥିବା ଚାଳକଙ୍କ ପାଇଁ ସେଡ୍ ନିର୍ମାଣ କରାଯିବ। ଚନ୍ଦ୍ରଶେଖରପୁରସ୍ଥିତ ଭୁବନେଶ୍ବର ଆର୍ଟିଓ ୧ ଓ ୨ର ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ରେ ଖରାରେ ଚାଳକମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଭାଗୀୟ ଅଧିକାରୀମାନେ ଆଜି ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବାହ୍ନରେ ଅଧିକାରୀମାନେ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କେନ୍ଦ୍ରକୁ ଆସି ଅପେକ୍ଷା କରୁଥିବା ଚାଳକଙ୍କ ପାଇଁ ବର୍ତ୍ତମାନ କେଉଁଭଳି ବ୍ୟବସ୍ଥା ରହିଛି ଏବଂ ଆଉ କ’ଣ ସୁବିଧା କରାଯାଇପାରିବ ସେନେଇ ବିଚାର ଆଲୋଚନା କରିଛନ୍ତି।
ଚାଳକଙ୍କ ପାଇଁ ବଡ଼ ସେଡ୍ ନିର୍ମାଣ ହେବ
ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏଠାକୁ ଆସୁଥିବା ଚାଳକଙ୍କ ପାଇଁ କେନ୍ଦ୍ର ଭିତରେ ମାଠିଆରେ ପାନୀୟ ଜଳ ସୁବିଧା ହୋଇଛି। ଏକ ଆକ୍ବାଗାର୍ଡ ମଧ୍ୟ ଲାଗିଛି। ଗାଡ଼ି ଫିଟ୍ନେସ୍ ଯାଞ୍ଚ କରିବାକୁ ଆସି ଧାଡ଼ିରେ ଛିଡ଼ା ହେଉଥିବା ଚାଳକମାନେ ଛାତ ତଳେ ଛିଡ଼ା ହେଉଛନ୍ତି। ତେବେ କ୍ୟାମ୍ପସ ବାହାରେ ସେଭଳି ଆଖିଦୃଶିଆ କୌଣସି ସୁବିଧା କରାଯାଇ ନଥିବା ଦେଖିବାକୁ ମିଳିଛି। କ୍ଲବ ଟାଉନ୍ ପଡ଼ିଆର ଏକ ସ୍ଥାନରେ ଦରି ପାଲ ପକାଯାଇଥିଲେ ମଧ୍ୟ ସେଠାରେ କ’ଣ ହେଉଛି ତାହା କେହି ଜାଣିପାରୁ ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ବଡ଼ ସେଡ୍ ନିର୍ମାଣ କରାଯିବ। ଯେଉଁଠାରେ ଚାଳକମାନେ ବସିବା ସହ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ଉପଲବ୍ଧ ହେବ। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଚାଳକମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ନଜର ରଖାଯାଇଛି ବୋଲି ଭୁବନେଶ୍ବର ଆରଟିଓ-୧ ବିକାଶ ଚୌଧୁରୀ କହିଛନ୍ତି।