ଚନ୍ଦ୍ରଶେଖରପୁର: ଡହ ଡହ ଖରା। ଦେହରୁ ଗମ୍‌ଗମ୍‌ ଝାଳ ବାହାରି ଯାଉଥାଏ। ୩୮ ଡିଗ୍ରି ତାତି ସାଙ୍ଗକୁ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେଉଥିଲା। ତା’ସତ୍ତ୍ବେ କିଏ ମୁଣ୍ଡରେ ଗାମୁଛା ପକାଇ ଧାଡ଼ିରେ ଛିଡ଼ା ହୋଇଥାନ୍ତି ତ ଆଉ କିଏ ୪ଚକିଆ ଯାନରେ ଏସି ଲଗାଇ ବସିଥାନ୍ତି। କେହି କେହି ଗାଡ଼ିର ଫାଟକ ଖୋଲା କରି ବାହାର ପବନ ଅପେକ୍ଷାରେ। ଚନ୍ଦ୍ରଶେଖରପୁରସ୍ଥିତ ଭୁବନେଶ୍ବର ଆର୍‌ଟିଓ ୧ ଓ ୨ର ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଫିଟ୍‌ନେସ୍‌ ଯାଞ୍ଚ ପାଇଁ ଗାଡ଼ିଗୁଡ଼ିକୁ ଧାଡ଼ିରେ ଛିଡ଼ା କରି ଚାଳକମାନେ ଖରାରେ ଆଉଟୁପାଉଟୁ ହେଉଥିଲେ। ଗୋଟିଏ କି ଦୁଇଟି ଗାଡ଼ି ନୁହନ୍ତି, ବରଂ ମଧ୍ୟାହ୍ନ ୧୨ଟା ବେଳକୁ ୫୦ରୁ ଅଧିକ କାର୍‌, ଟ୍ରକ୍‌ ଧାଡ଼ିରେ ରହିଥିଲେ ଏବଂ ଚାଳକମାନେ ଗାଡ଼ି ଭିତରେ ତ୍ରାହିତ୍ରାହି ଡାକୁଥିଲେ।

Advertisment

ଦୈନିକ ଏଠାରେ ଦେଢ଼ ଶହରୁ ଅଧିକ ଗାଡ଼ିର ଫିଟ୍‌ନେସ୍‌ ଯାଞ୍ଚ ହେଉଛି। ଶତାଧିକ ଚାଳକ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା ଦେବାକୁ ଆସୁଛନ୍ତି। ୩୮ରୁ ୪୦ ଡିଗ୍ରି ଖରାରେ ସେମାନଙ୍କ ପରୀକ୍ଷା ନିଆଯାଉଥିଲେ ମଧ୍ୟ ଅପେକ୍ଷା କରିବାକୁ କୌଣସି ସେଡ୍‌ ବ୍ୟବସ୍ଥା ହୋଇନାହିଁ। ଚାଳକ ସୁଦର୍ଶନ ପ୍ରଧାନଙ୍କ କହିବା‌ନୁଯାୟୀ କ୍ୟାମ୍ପସ ଭିତରେ ଛାତଘର ରହିଥିଲେ ମଧ୍ୟ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ଯେଉଁମାନେ ପରୀକ୍ଷା ଦେବାକୁ ଗାଡ଼ି ଆଣି ଆସୁଛନ୍ତି ସେମାନେ କ୍ୟାମ୍ପସ ବାହାରେ ଟାଇଁ ଟାଇଁ ଖରାରେ ସିଝୁଛନ୍ତି। ଛାଇ ତ ଦୂରର କଥା ବସିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ବାହାରେ ପାନୀୟ ଜଳର କୌଣସି ସୁବିଧା କରାଯାଇ ନାହିଁ। କ୍ୟାମ୍ପସ ଭିତରେ ଏକ ମାଠିଆରେ ପାଣି ରହିଥିଲେ ମଧ୍ୟ ପ୍ରବେଶ ପାଇଁ ଅନୁମତି ନାହିଁ। 

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗ୍ରୀଷ୍ମ ଆରମ୍ଭ ହେବା କ୍ଷଣି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ନିର୍ଦ୍ଦେଶାବଳୀ ଜାରି କରିଥିଲା। ଯେଉଁଥିରେ ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଉପରେ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ରେ ଗ୍ରୀଷ୍ମ ମୁକାବିଲା ନେଇ କୌଣସି ବ୍ୟବସ୍ଥା କରିବାକୁ କୁହାଯାଇ ନ ଥିଲା। ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଥିଲା ଯେ ସମସ୍ତ ବସ୍‌ରେ ବିଶୁଦ୍ଧ ପାନୀୟ ଜଜ, ବରଫ ପ୍ୟାକେଟ୍‌, ପ୍ରାଥମିକ ଚିକିତ୍ସା କିଟ୍‌, ଓଆର୍‌ଏସ୍‌ ପ୍ୟାକେଟ୍‌ ରଖିବା, ବସ୍‌ଷ୍ଟପ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ, ସାର୍ବଜନୀନ ପରିବହନ ଯାନରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ଦୂର ଯାତ୍ରୀଙ୍କ ପାଇଁ ରାଜପଥରେ ଜଳ କିଓସ୍କ ସ୍ଥାପନ, ଓଭର୍‌ଲୋଡିଂ, ବସ୍‌ ଛାତ ଉପରେ ବସି ଯାତ୍ରା କରିବା, ଝୁଲନ୍ତା ଅବସ୍ଥାରେ ଯାତ୍ରୀ ନେଉଥିବା ଯାନଠାରୁ ଜରିମାନା ଆଦାୟ କରିବାକୁ କଡ଼ା ନିର୍ଦ୍ଦେଶ ରହିଥିଲା। ଏଥିସହ ଆର୍‌ଟିଓ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ଏନ୍‌ଫୋର୍ସମେଣ୍ଟ ଦଳ ସହ ଡାକ୍ତରଙ୍କୁ ପଠାଯିବା ସହ ନିୟମିତ ସମୀକ୍ଷା ବୈଠକ କରିବାକୁ କୁହାଯାଇଥିଲା। ପ୍ରତିକୂଳ ପରିସ୍ଥିତି ଏଡ଼ାଇବାକୁ ଆର୍‌ଟିଓ, ଏଆର୍‌ଟିଓମାନେ ଜିଲ୍ଲା ପ୍ରଶାସନ ଓ ଏସ୍‌ଟିଏ ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ଗାଡ଼ି ଯାଞ୍ଚ ସମୟର କୌଣସି ସମୟ ସୀମା ଧାର୍ଯ୍ୟ ହୋଇ ନ ଥିଲା କି ନିର୍ଦ୍ଦେଶାବଳୀରେ ଦର୍ଶାଯାଇ ନ ଥିଲା। ପରିଣାମ ସ୍ବରୂପ ସମୟ ଅନୁଯାୟୀ ସ୍ଲଟ୍‌ ପଡ଼ୁଥିବାରୁ ପ୍ରତିଦିନ ‌ଶତାଧିକ ଲୋକ ତାତିରେ ଆଉଟୁପାଉଟୁ ହେଉଛନ୍ତି।