ଭୁବନେଶ୍ବର: ଏକାଧିକ ଅଭିଯୋଗ, ଘଡ଼ିକୁ ଘଡ଼ି ତନାଘନା, ଯାବତୀୟ ବିବାଦ ସତ୍ବେ ବିଏମ୍ସି ସ୍ବୀକୃତି ଦେବାକୁ ଉଦ୍ୟମ ଚଳାଇଥିବା ଯାନବାହନ ଟେଣ୍ଡର ପାଇଁ ନୂଆ ଅଡ଼ୁଆ ଛିଡ଼ା ହୋଇଛି। ଟେଣ୍ଡର ହୋଇ ଠିକାଦାର ଚୟନ ହେବା ପରେ ଗାଡ଼ି ଦର ‘ନେଗୋସିଏସନ’ ବା ବୁଝାମଣା ହୋଇଥିବା ଅଭିଯୋଗ କରି ‘ଆମକୁ ବି ସୁଯୋଗ ଦିଆଯାଉ’ ଦାବ କରି ବିଏମ୍ସିକୁ ଚିଠି ଲେଖିଛି ବାଦ୍ ପଡ଼ିଥିବା ଠିକାସଂସ୍ଥା। ଯେନତେନ ପ୍ରକାରେଣ ଏହି ବିବାଦରୁ ବିଏମ୍ସି ମୁକୁଳିବାକୁ ବସିଥିବା ବେଳେ ନୂଆ ଅଭିଯୋଗ ଏବେ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି।
ବିଏମ୍ସିରେ ବିଭିନ୍ନ କାମରେ ଲାଗୁଥିବର ଘରୋଇ ଗାଡ଼ିସବୁକୁ ଠିକାଦାର ଜରିଆରେ ଆଣିବା ଯୋଜନା କରି ବିଏମ୍ସି ଟେଣ୍ଡର ଡାକିଥିଲା। ଏଥିପାଇଁ ଟେକ୍ନିକାଲ୍ ସବ୍କମିଟି ଓ ପରାମର୍ଶଦାତା କମିଟି ଗଠନ କରି ଟେଣ୍ଡର ପ୍ରକ୍ରିୟା କରିଥିଲା। ଏଥିରେ ଯେଭଳି ନ୍ୟାୟିକ ବିବାଦ ନ ରହିବ ସେଥିପାଇଁ ଲିଗାଲ୍ ରିଟେନର ମତ ମଗାଯାଇଥିଲା। ଏହି ମତ ଆଧାରରେ ଗତ ମାସ ୧୩ ତାରିଖରେ ପରାମର୍ଶଦାତା କମିଟିର ଦ୍ବିତୀୟ କମିଟି ବୈଠକରେ ଟେଣ୍ଡରକୁ ନେଇ ଉପୁଜିଥିବା ସମସ୍ତ ସମସ୍ୟା ସମାଧାନ କରାଯାଇଥିବା ବିଏମ୍ସି କହିଥିଲା। ଏହି କମିଟି ଯାହା ନିଷ୍ପତ୍ତି ନେଇଥିଲା ତାହାକୁ ବିଏମ୍ସି ଗ୍ରହଣ କରିଥିଲା। ଅର୍ଥାତ୍ ଠିକାଦାର ଚୟନ ପ୍ରକ୍ରିୟାରେ ସମସ୍ୟା ନଥିବା ବିଏମ୍ସି ଦର୍ଶାଇଥିଲା। ଗୋଟିଏ ଗାଡ଼ିର ମାସିକ ଭଡ଼ା ୨୨ହଜାର ୧୪୦ ଟଙ୍କା ଥିଲା। ଏହି ଦରକୁ ବିଏମ୍ସି ଟେଣ୍ଡର ପ୍ରକ୍ରିୟାରେ ସ୍ବତନ୍ତ୍ର କମିଟି ଦ୍ବାରା ଗ୍ରହଣ କରିଥିଲା। କିନ୍ତୁ ପରେ ବୁଝାମଣା କରି ବିଏମ୍ସି ଏହି ଦର ୨୧ହଜାର ୧୪୬ ଟଙ୍କା ଧାର୍ଯ୍ୟ କରିଥିଲା। ଥରେ ଠିକାଦାର ଚୟନ ହେବା ପରେ ଆଉ ଦର କମ୍ ବେଶି ହେବା କଥା ନୁହେଁ ବା ବୁଝାମଣା ହେବା କଥା ନୁହେଁ। କିନ୍ତୁ ବିଏମ୍ସି ଏଭଳି କରିବା ପରେ ପୂର୍ବରୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ବାଦ୍ ପଡ଼ିଥିବା ଠିକାସଂସ୍ଥା ବିଏମ୍ସିର ଦ୍ବାରସ୍ଥ ହୋଇଛି।
ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂ ବିଏମ୍ସି କମିସନରଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛି କି ଯାନବାହନ ଟେଣ୍ଡରରେ ଭାଗ ନେବା ପରେ ବିଏମ୍ସି ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂକୁ ଏଲ୍-୩ ଦର୍ଶାଇ କାଟି ଦେଇଥିଲା। ଯେଉଁ ସଂସ୍ଥାକୁ ବିଏମ୍ସି ଚୟନ କଲା ସେ ସଂସ୍ଥା ଦର୍ଶାଇଥିବା ଦର ଠାରୁ ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂ ମାତ୍ର ୪୧୬ ଟଙ୍କା କମ୍ ଥିଲା। ବିଏମ୍ସି ଏଲ୍-୧ ସହ ବୁଝାମଣା କରି ୮ଶହ ଟଙ୍କା କାଟିଲା। ଟେଣ୍ଡର ପରେ ଦର ବୁଝାମଣା ହେବା ନିୟମ ବାହାରେ ହୋଇଥିବାରୁ ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂକୁ ମଧ୍ୟ ନେଗୋସିଏସନ ପାଇଁ ସୁଯୋଗ ଦିଆଯାଉ। ଦୁଇ ଟଙ୍କା କମ୍ ହେଲେ ବି ବିଏମ୍ସି ଲାଭରେ ରହିବ। ସଂସ୍ଥା ଶସ୍ତାରେ ଉତ୍ତମ ସେବା ଯୋଗାଇ ଦେବ ବୋଲି ଚିଠିରେ ଦର୍ଶାଯାଇଛି।
ଚିଠି ପହଞ୍ଚିବା ପରେ ବିଏମ୍ସି ଚାପି ବସି ଯାଇଥିଲା। ସଂସ୍ଥା ଏବେ ପୁଣି ଥରେ ‘ରିମାଇଣ୍ଡର’ ପଠାଇଛି। ଯାହାକୁ ଦେଖି ଅଧିକାରୀମାନେ ଛାନିଆଁ ହୋଇଛନ୍ତି। ଟେଣ୍ଡର ନିୟମ ଉଲ୍ଲଂଘନ ଓ ବିବାଦ କାରଣରୁ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କୁ ବିଏମ୍ସିରୁ ବିଦା କରାଯାଇଛି। ବିଭିନ୍ନ କମିଟି ଗଠନ କରି ବିଏମ୍ସି ଏହି ଟେଣ୍ଡର ପ୍ରକ୍ରିୟାକୁ ସ୍ବଚ୍ଛ ଦର୍ଶାଇବାକୁ ଯଥାସମ୍ଭବ ଉଦ୍ୟମ କରଇଛି। ହେଲେ ଏହି ରିମାଇଣ୍ଡର ପଠାଇବା ପରେ ତନାଘନା ଆରମ୍ଭ ହୋଇଛି। ମାମଲା କୋର୍ଟକୁ ଚାଲିଗଲେ ଅଧିକାରୀମାନେ ଫସିବା ଥୟ ହୋଇଥିବାରୁ ମାନସମନ୍ଥନ ଆରମ୍ଭ ହୋଇଛି। ତେବେ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଟେଣ୍ଡର ପ୍ରକ୍ରିୟା ସ୍ବଚ୍ଛତାର ସହ ହୋଇଛି। ଗତ କର୍ପୋରେସନ ବୈଠକରେ ଏହି ଟେଣ୍ଡରକୁ ମୋହର ବାଜିଛି। ଏଣୁ ସମସ୍ୟା ହେବନାହିଁ।