ଗାଡ଼ି ଚୋରି ରୢାକେଟ୍‌ ଠାବ, ୩ ଗିରଫ

ଲକ୍‌ଡାଉନ୍‌ ପରଠାରୁ ଉତ୍ପାତ କରୁଥିଲେ, ୩୦ରୁ ଊର୍ଧ୍ବ ବାଇକ୍ ଚୋରି, ୭ ଜବତ

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍‌ କଟକଣା ବଳବତ୍ତର ରହିଥିବା ବେଳେ ଏମାନେ ସହର ସାରା ଚକ୍କର୍‌ କାଟୁଥିଲେ। କାହା ଘର ଆଗରେ ବାଇକ୍‌ ଥୁଆ ହେଉଛି, କେତେ ସମୟ ଥୁଆ ହେଉଛି; ଦିନେ ଦୁଇ ଦିନ ଅନୁଧ୍ୟାନ କରିବା ପରେ ଚୋରି କରି ନେଉଥିଲେ। ଜଣେ ଗାଡ଼ିର ତାଲା ଭାଙ୍ଗି ଚାଲି ଆସୁଥିଲା, ଆଉ ଜଣେ ଗାଡ଼ି ନେଇ ଆସୁଥିଲା। ଏହାପରେ ଗାଡ଼ି ଆଉ ଭୁବନେଶ୍ୱରରେ ରହୁ ନଥିଲା। ଅନ୍ୟ ଜିଲ୍ଲାରେ ଅତି ଶସ୍ତା ଦରରେ ବିକ୍ରି ହେଉଥିଲା। ଲକ୍‌ଡାଉନ୍‌ ହେବା ପରଠାରୁ ରାଜଧାନୀ ଓ ଉପକଣ୍ଠରୁ ଏମିତି ୩୦ରୁ ଊର୍ଧ୍ବ ବାଇକ୍ ଚୋରି କରିଥିବା ଏକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ୍‌। ପୁଲିସ୍‌ ଏହି ରୢାକେଟ୍‌ର ୩ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୭ଟି ବାଇକ୍‌, ୩ଟି ମୋବାଇଲ ଜବତ କରିଛି। ସେମାନେ ହେଲେ, କଟକ ରୋଡ୍‌ର ଏକ ହୋଟେଲରେ କାମ କରୁଥିବା ପୁରୀ ଜିଲ୍ଲା ଡ଼େଲାଙ୍ଗ ଘୋରଡ଼ିଆର ରବି ବେହେରା, ଲକ୍ଷ୍ମୀସାଗର ଉପରସାହିର ସାମିଲ ସିଂ ଓ ଷ୍ଟେସନ୍‌ବଜାର କୁଲିସାହିର ମହେଶ ସାହୁ। ପୁଲିସ୍‌ ସେମାନଙ୍କୁ ପଚରାଉଚରା କରିବା ପରେ ଆଜି କୋର୍ଟଚାଲାଣ କରିଛି। ଏମାନଙ୍କ ନାମରେ ଲକ୍ଷ୍ମୀସାଗର, ବଡ଼ଗଡ଼, ସହିଦନଗର ଓ ମଞ୍ଚେଶ୍ୱର ଥାନାରେ ଚୋରି ମାମଲା ରହିଛି। ତେବେ ଏହି ରୢାକେଟ୍‌ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି।

ପୁଲିସ୍‌ ସୂଚନା ମୁତାବକ, ସଟ୍‌ଡାଉନ୍ ପାଇଁ ଗତ ରାତିରେ ଝାରପଡ଼ା ଛକରେ ବ୍ଲକିଂ ଚାଲିଥିଲା। ଅଭିଯୁକ୍ତମାନେ ଏକ ବାଇକ୍‌ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲା। ବାଇକ୍‌ର କାଗଜପତ୍ର ନ ଥିବାରୁ ପୁଲିସ ସେମାନଙ୍କୁ ଲକ୍ଷ୍ମୀସାଗର ଥାନା ନେଇ ଯାଇଥିଲା। ସେଠାରେ ଜେରା ବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ସହର ତଥା ଉପକଣ୍ଠରୁ ଏମାନେ ୩୦ରୁ ଊର୍ଦ୍ଧ୍ବ ବାଇକ୍ ଚୋରି କରି ବିକ୍ରି କରିଥିବା ସ୍ବୀକାର କରିଥିଲେ। ରବି ଏହି ଗ୍ୟାଙ୍ଗ୍‌ର ମୁଖିଆ ଥିଲା। ପୁରୀ, ଖୋର୍ଦ୍ଧା ଓ କଟକ ସମେତ ଅନ୍ୟ ଜିଲ୍ଲା ଦଲାଲଙ୍କ ସହ ଯୋଗାଯୋଗ କରି ଚୋରା ଗାଡ଼ି ଗୋଟିଏ ଦିନରେ ପାର୍‌ କରି ଦେଉଥିଲା। ସାମିଲ ଓ ମହେଶ୍ ଚୋରି କରୁଥିଲେ। ସେମାନେ ଏଣେତେଣେ ଘୂରି ବୁଲୁଥିଲେ। ଗାଡ଼ି ବାହାରେ ଥିବା ଦେଖି ଚୋରି ଯୋଜନା କରୁଥିଲେ। ଜଣେ ଗାଡ଼ିର ତାଲା ଭାଙ୍ଗି ଚାଲି ଆସୁଥିଲା। ଆଉ ଜଣେ ଯାଇ ଗାଡ଼ି ନେଇ ଆସୁଥିଲା। କରୋନା ସଂକ୍ରମଣ ନେଇ ଛୋଟ ଛୋଟ ଅପରାଧକୁ ପୁଲିସ ଗୁରୁତ୍ବର ସହ ନେଉ ନଥିବାରୁ କିଛି ଦିନ ହେବ ଏମାନେ ସହରରେ ଉତ୍ପାତ କରୁଥିଲେ। ଗାଡ଼ି ଚୋରି କରିବା ପରେ ନମ୍ବର ପ୍ଲେଟ୍‌ ନ ବଦଳାଇ ଚଲାଉଥିଲେ। ଆଉ କେତେକ ଗାଡ଼ିରେ ମନଇଚ୍ଛା ନମ୍ବର ବଦଳାଇ ଦେଉଥିଲେ। ଫଳରେ କେତେକଙ୍କର ଗାଡ଼ି ଘରେ ଥିବା ବେଳେ ଟ୍ରା‌ଫିକ୍‌ ଉଲ୍ଲଂଘନ ପାଇଁ ଘରକୁ ଚାଲାଣ ଆସୁଥିଲା‌। ଆଉ କାହାର ଗାଡ଼ି ଚୋରି ହୋଇଥିଲେ ମଧ୍ୟ ଏଥିପାଇଁ ଘରକୁ ଚାଲାଣ ଆସୁଥିଲା।

ସମ୍ବନ୍ଧିତ ଖବର