ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ ଭୁବନେଶ୍ୱର, ଇସ୍କନ ମନ୍ଦିର ସାମ୍ନାରେ ଭାସିଲା ଯାନ ବାହାନ

ଭୁବନେଶ୍ୱର : ସ୍ମାର୍ଟସିଟିରେ ଅଭାବନୀୟ ସ୍ଥିତି। ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ। ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି। ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି। ରାଜପଥ ମଝିରେ ଅଟକି ଯାଇଛି ଯାନ ବାହାନ। ଇସ୍କନ ମନ୍ଦିର ନିକଟରେ ପାଣି ଜମି ରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଥିବା ଜଣାପଡିଛି। ଆଜି ସଂଧ୍ୟାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ବର୍ଷା। ପୁରା ରାଜଧାନୀ ବର୍ଷାରେ ଭିଜିଛି। ଲଘୁଚାପ ପ୍ରଭାବରେ ଆଗକୁ ଆହୁରି ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। କିଛି ଦିନ ଧରି ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ ପାଇଁ ବର୍ଷା ନୂଆ ଆଶା ସିନା ଆଣିଦେଇଛି କିନ୍ତୁ ଚିନ୍ତା ମଧ୍ୟ ବଢିଯାଇଛି।

ସାଧରଣତଃ ନଦୀକୂଳିଆ ଅଞ୍ଚଳରେ ବର୍ଷା ଦିନରେ କିମ୍ବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥାଏ। କିନ୍ତୁ ଘଣ୍ଟାଏ ବର୍ଷାରେ ସ୍ଥିତି ଏମିତି ଉପୁଜିବ ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଭାସିବା ଦୃଶ୍ୟ ହୁଏତ ଆପଣକୁ କମ୍ ଦେଖିବାକୁ ମିଳିଥିବ। ତାହା ପୁଣି ରାଜ୍ୟର ରାଜଧାନୀ ସ୍ମାର୍ଟ ସିଟିରେ। ହେଲେ ଏମିତି କିଛି ବନ୍ୟା ପରିସ୍ଥିତି ଉପୁଜିଛି ରାଜଧାନୀ ଭୁବନେଶ୍ୱରରେ। ଘଣ୍ଟାଏ ବର୍ଷାରେ ରାଜଧାନୀର ପ୍ରମୂଖ ଜନ ଗହଳିପୂର୍ଣ୍ଣ ଅଞ୍ଚଳ ବନ୍ୟାଞ୍ଚଳ ପରି ପାଲଟିଛି।

ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାଏ ବର୍ଷାରେ ଭାସିଲା କାର, ବାଇକ, ଅଟୋ ଓ ସାଇକେଲ। ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଇସ୍କନ ମନ୍ଦିର ସାମ୍ନାରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଏମସି ତରଫରୁ ରାଜଧାନୀର ପ୍ରମୂଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି।

ସମ୍ବନ୍ଧିତ ଖବର