ନିର୍ମାଣ କାମ ନାଁରେ ଗାଡ଼ି ମାଳମାଳ

ଚନ୍ଦ୍ରଶେଖରପୁର: ଆଜି ଲକ୍‌ଡାଉନ୍ ନିୟମକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଉପରେ ମାଳମାଳ ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଥିଲା। ଦୁଇ ଓ ଚାରି ଚକିଆ ଯାନବାହାନ ଲମ୍ବା ଧାଡ଼ି ବାନ୍ଧି ଉଭୟ ନାଲ୍‌କୋ ଓ କିଟ୍ ଛକରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା। ନିର୍ମାଣ କାମ ବାହାନାରେ ଶହ ଶହ ଲୋକ ଯାତାୟାତ କରୁଥିଲେ। କନ୍‌ଷ୍ଟ୍ରକ୍ସନ୍ କାମରେ ୩୦ ପ୍ରତିଶତ ଶ୍ରମିକ ନିୟୋଜିତ ହେବେ ବୋଲି ସରକାର ନିୟମ କରିଥିଲେ ମଧ୍ୟ କେହି ଏହି ନିୟମକୁ ମାନୁ ନଥିବା ଦେଖାଯାଇଥିଲା। ତେଣୁ ପୁଲିସ୍ ଅଧିକାରୀମାନେ ଅନେକ କନ୍‌ଷ୍ଟ୍ରକ୍ସନ୍ କାର୍ଯ୍ୟାଳୟ ମୁଖ୍ୟଙ୍କୁ ଘଟଣାସ୍ଥଳକୁ ଡ଼ାକି ବୁଝାଇବା ସହ ତାଗିଦ୍‌ କରି ସେମାନଙ୍କ କର୍ମଚାରୀମାନଙ୍କୁ ଛାଡ଼ିଥିଲେ।

ସେହିଭଳି ଲଜିଷ୍ଟିକ୍ ଓ ଅନ୍‌ଲାଇନ୍ କାର୍ଯ୍ୟାଳୟର କର୍ମଚାରୀମାନେ ଶହ ଶହ ସଂଖ୍ୟାରେ ଉକ୍ତ ଛକ ଦେଇ ପରିଚୟପତ୍ର ଦେଖାଇ ଯାତାୟାତ କରୁଥିଲେ। ତେଣୁ ପୁଲିସ ସେମାନଙ୍କ କାର୍ଯ୍ୟାଳୟ ମୁଖ୍ୟଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ଏପରି ବ୍ୟତିକ୍ରମ ନ କରିବାକୁ ଚେତାବନୀ ଦେଇଥିଲେ। ଆଗକୁ ବିଭିନ୍ନ କାର୍ଯ୍ୟାଳୟରେ ପୁଲିସ ଚଢ଼ଉ କରାଯିବ ଓ ୩୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କ ଉପସ୍ଥିତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ରଘୁନାଥପୁର, କିଟ୍, ପଟିଆ, ଡମଣା ଓମ୍‌ଫେଡ଼୍ ଓ ନାଲକୋ ଛକରେ ଚେକିଂ ଚାଲିଥିବା ବେଳେ ଶତାଧିକ ଲୋକଙ୍କଠାରୁ ଇ-ଚାଲଣ ଓ ଅନେକ ଭାରୀଯାନଠାରୁ ଜରିମାନା ଆଦାୟ କରାଯାଇଛି। ୪ଟି ଚେକ୍ ପୋଷ୍ଟରେ ପ୍ରାୟ ୮୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର