ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇ କୁକୁଡ଼ା ପ୍ରଜାତି ବ୍ରିଡ୍‌ ମାନ୍ୟତା ପାଇବାକୁ ଯାଉଛନ୍ତି। ଏଥିପାଇଁ ପାଖାପାଖି ୫ ବର୍ଷ ହେଲା ଓୟୁଏଟି ପୋଲଟ୍ରି ସାଇନ୍ସ ବିଭାଗ ଓ ଆଇସିଏଆର୍ ଅଧୀନ ଏଆଇସିଆର୍‌ପି ପୋଲଟ୍ରି ବ୍ରିଡିଂ ଦ୍ୱାରା ଗବେଷଣା କରାଯାଉଛି। ମାଲକାନଗିରିର ଭେଜାଗୁଡ଼ା ଓ ଫୁଲବାଣୀ ପ୍ରଜାତି କୁକୁଡ଼ାର ବ୍ରିଡ୍‌ ଅନୁମତି ଆଣିବାକୁ ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ୍ ଜେନେଟିକ ରିସୋର୍ସ (ଏନ୍‌ବିଏଜିଆର୍‌)କୁ ତଥ୍ୟ ପଠାଯାଇଛି। ବ୍ରିଡ୍‌ ମାନ୍ୟତା ମିଳିବା ପରେ ଏହା ବଜାରରେ ଉପଲବ୍ଧ ହେବ।  
ପୋଲଟ୍ରି ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଲିପିସ୍ମିତା ସାମଲ କହିଛନ୍ତି, କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ପ୍ରଜାତି କୁକୁଡ଼ା ଉପରେ ଗବେଷଣା ଜାରି ରହିଥିଲା। ୪ରୁ ୫ ବର୍ଷ ଧରି ଗବେଷଣା କରାଯିବା ପରେ ଏହି ଦୁଇ ପ୍ରଜାତି ଉପରେ ପବ୍ଲିକେସନ୍‌ ପ୍ରକାଶ ହୋଇଛି। ରାଜ୍ୟ ସରକାରଙ୍କ ବୈଷୟିକ କମିଟି ପ୍ରଜାତିଗୁଡ଼ିକୁ ମୂଲ୍ୟାୟନ କରିବା ପରେ ତାହାକୁ ବ୍ରିଡ୍ ମାନ୍ୟତା ପାଇଁ ଏନବିଏଜିଆରକୁ ରିପୋର୍ଟ ପଠାଯାଇଛି। କୁକୁଡ଼ା ପ୍ରଜାତିର ଗୁଣବତ୍ତା, ଅଣ୍ଡା ଉତ୍ପାଦନ କ୍ଷମତା, ମାଂସ କିଭଳି ରହୁଛି, ଓଜନ କେତେ ରହୁଛି ଆଦି ଶାରୀରିକ କ୍ଷମତା ବିଷୟରେ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଥିବା କିଛି ତ୍ରୁଟି ସଂଶୋଧନ ପାଇଁ ଏନ୍‌ବିଏଜିଆର୍‌ ପକ୍ଷରୁ କୁହାଯାଇଛି। ଖୁବଶିଘ୍ର ଏହାକୁ ପୁନର୍ବାର ପଠାଇବୁ।