ଡିସିପି ଅଫିସ୍‌ ଘେରିଲା କ୍ଷୁଦ୍ର ବ୍ୟବସାୟୀ ସଂଘ

ଭୁବନେଶ୍ୱର : ୫ଦଫା ଦାବି ନେଇ ଆଜି ଇନ୍ଦ୍ରଧନୁ ମାର୍କେଟ୍‌ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଂଘର ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ବରେ ଶତାଧିକ କ୍ଷୁଦ୍ର ବ୍ୟବସାୟୀ ଯୋଗଦେଇ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କଞ୍ଚା ପରିବା ଫୋପାଡ଼ିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଉ, ଉଠା ଦୋକାନୀମାନଙ୍କର ଇଲେକ୍ଟ୍ରି ସେମାନଙ୍କୁ ହସ୍ତାନ୍ତର କରାଯାଉ, ମାର୍କେଟ୍‌ରେ ହେଉଥିବା ନିଶାଦ୍ରବ୍ୟ ବିକ୍ରି ବନ୍ଦ କରାଯାଉ, ବ୍ୟବସାୟୀମାନଙ୍କୁ ହଇରାରଣ ହରକତ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଧାରଣା ଦେବାର କିଛି ସମୟ ପରେ ଏସିପି ଅନୀଲ ମିଶ୍ର, ସହିଦନଗର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଓ ନୂଆପଲ୍ଲୀ ଥାନା ଆଇଆଇସି ଅରୁଣ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଡିସିପି ଅନୁପ ସାହୁଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଡିସିପିଙ୍କଠାରୁ ପ୍ରତିଶ୍ରୁତି ପାଇବା ପର ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ରାଉତରାୟ, ବ୍ରଜ କିଶୋର ବେହେରା, କୁନା ହୋତା, ବାବନ ସାହୁଙ୍କ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର