ଭୁବନେଶ୍ବର : ରାଜଧାନୀ ସ୍ମାର୍ଟ ହେବ। ସହରର ଟିକିନିଖି କଥାକୁ ଗୁରୁତ୍ବ ଦିଆଯିବ। ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀମାନଙ୍କୁ ବ୍ୟବସ୍ଥିତ କରାଯିବ। ଏଇ ଉଦ୍ଦେଶ୍ୟ ନେଇ ଭେଣ୍ଡିଂ ଜୋନ୍ ସ୍ଥାପନ ହେଲା। ମାତ୍ର ଦୋକାନ ଘର ବ୍ୟତୀତ ଏଯାଏ କୌଣସି ମୌଳିକ ସୁବିଧା ଦିଆଗଲା ନାହିଁ। ସହରରେ ଏଯାବତ୍ ୫୫ଟି ଭେଣ୍ଡିଂ ଜୋନ୍ ଥିବା ବେଳେ ଏହା ଉପରେ ରାଜଧାନୀର ୩ହଜାର ୫ଶହ ପରିବାର ନିର୍ଭର କରୁଛନ୍ତି। ଏହି ଭେଣ୍ଡିଂ ଜୋନ୍ ଉପରେ ରାଜଧାନୀର ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଛନ୍ତି। ମାତ୍ର ଭେଣ୍ଡିଂ ଜୋନ୍ ନିକଟରେ ଶୌଚାଳୟ ତ ଦୂରର କଥା, ପରିସ୍ରାଗାରଟିଏ ମଧ୍ୟ ଗଢ଼ା ଯାଇ ପାରିଲା ନାହିଁ। ନିକଟରେ ବିଏମ୍ସି ଭୁବନେଶ୍ବରକୁ ଖୋଲା ମଳତ୍ୟାଗମୁକ୍ତ ବା ଓଡିଏଫ୍ (++) ସହର ଭାବେ ଘୋଷଣା କରିଛି। ଯେଉଁ ସହରରେ ଜଣେ ହେଲେ ବି ବ୍ୟକ୍ତି ଖୋଲାରେ ମଳତ୍ୟାଗ କିମ୍ବା ପରିସ୍ରା କରୁ ନ ଥିବେ, ସେଇ ସହରକୁ ଓଡିଏଫ୍ (++) ଘୋଷଣା କରାଯାଏ। ମାତ୍ର ଏଠି ଭେଣ୍ଡିଂଜୋନ୍ କଡ଼ ମୁକ୍ତ ପରିସ୍ରାଗାର ପାଲଟିଥିଲେ ବି ବିଏମ୍ସି ଏହାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛି। ଏହା ବ୍ୟତୀତ ବହୁ ଭେଣ୍ଡିଂ ଜୋନ୍ରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ କି ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ।
ବାସ୍ତବରେ ସହରରେ ୫୫ଟି ଭେଣ୍ଡିଂ ଜୋନ୍ ଥିଲେ ହେଁ ଏ ପର୍ଯ୍ୟନ୍ତ କେବଳ ୪୬ଟି ସରକାରୀ ରେକର୍ଡଭୁକ୍ତ ହୋଇଛି। ୪୬ଟି ଭେଣ୍ଡିଂଜୋନ୍ର ବ୍ୟବସାୟୀମାନଙ୍କଠାରୁ ବର୍ଷକୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ୩ ହଜାର ଟଙ୍କା ଓ ଟ୍ରେଡ୍ ଲାଇସେନ୍ସ ବାବଦରେ ୫ଶହ ଟଙ୍କା ଆଦାୟ କରାଯାଉଛି। ତେଣୁ ନିୟମ ମୁତାବକ, ଏମାନଙ୍କୁ ଉଚ୍ଛେଦ କରାଯିବା ପୂର୍ବରୁ ଥଇଥାନ କରାଯିବା ବିଧେୟ। ମାତ୍ର ଅନ୍ୟ ୯ଟି ଭେଣ୍ଡିଂ ଜୋନ୍ ଏ ପର୍ଯ୍ୟନ୍ତ ରେକର୍ଡଭୁକ୍ତ ହୋଇନାହିଁ। ଫଳରେ ସେଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏବେ ବି ଆଶଙ୍କାରେ କାଳାତିପାତ କରୁଛନ୍ତି ବୋଲି କହିଛନ୍ତି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ମହାପାତ୍ର।
ପ୍ରମୋଦଙ୍କ କହିବା ମୁତାବକ, ଦୀର୍ଘ ଦିନ ତଳୁ କିଛି ଭେଣ୍ଡିଂ ଜୋନ୍କୁ ଉଚ୍ଛେଦ କରାଯାଇଛି। ମାତ୍ର ସେଠାରେ ବ୍ୟବସାୟୀମାନଙ୍କୁ ଏ ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ୧୩୫ ବ୍ୟବସାୟୀଙ୍କୁ ନେଇ ଗଢ଼ି ଉଠିଥିବା ପାୱାର ହାଉସ୍ ଛକ, ୨୮ ବ୍ୟବସାୟୀଙ୍କୁ ନେଇ ଥିବା ଶିଶୁଭବନ ଛକ ଭେଣ୍ଡିଂ ଜୋନଠୁ ନେଇ ୪ ନମ୍ବର ହସ୍ପିଟାଲ୍ ପାର୍ଶ୍ବ, ରାଜମହଲ ଛକ ଜୋତା ଭେଣ୍ଡିଂ ଜୋନ୍, ବାଣୀବିହାର ଆର୍ଆର୍ଏଲ୍ ଗେଟ୍ ପାର୍ଶ୍ବ, ଭିଏସ୍ଏସ୍ ନଗର, ଅଶୋକନଗର ଭଳି ଭେଣ୍ଡିଂ ଜୋନ୍କୁ ଭାଙ୍ଗି ଦେବା ପରେ ମଧ୍ୟ ବ୍ୟବସାୟୀମାନଙ୍କୁ ଥଇଥାନ କରାଯାଇନାହିଁ। ଫଳରେ ଅନେକ ବ୍ୟବସାୟ ନିଜର ବ୍ୟବସାୟ ବନ୍ଦ କରିଦେଇଥିବା ବେଳେ ଅନେକ ପୁଣି ରାସ୍ତାକଡ଼ରେ ଝୁମ୍ପୁଡ଼ି କରି ବ୍ୟବସାୟ କରୁଛନ୍ତି। ପୁଣି ୪୬ଟି ରେକର୍ଡଭୁକ୍ତ ଭେଣ୍ଡିଂ ଜୋନ୍ରୁ ମାତ୍ର ୭ଟି ଭେଣ୍ଡିଂ ଜୋନ୍ର ବ୍ୟବସାୟୀଙ୍କୁ ସ୍ବତନ୍ତ୍ର ଆଇ-କାର୍ଡ ତଥା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲେ ହେଁ ଅନ୍ୟ ୩୯ଟି ଭେଣ୍ଡିଂ ଜୋନ୍ ଏଥିରୁ ଏପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି ବୋଲି ସେ କହିଛନ୍ତି।
ଭେଣ୍ଡିଂ ଜୋନ୍ଗୁଡ଼ିକ ବ୍ୟବସ୍ଥିତ ଭାବେ ଚାଲିବା ପାଇଁ ଏକ ଟାଉନ୍ ଭେଣ୍ଡିଂ କମିଟି (ଟିଭିସି) ଗଠନ କରାଯାଇଛି। ୭୦ ପ୍ରତିଶତ ବ୍ୟବସାୟୀ ଏବଂ ୩୦ ପ୍ରତିଶତ ବିଏମ୍ସି କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ମୁରବି ଶ୍ରେଣୀର ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତାଙ୍କୁ ନେଇ ଏହା ଗଠନ ହୋଇଛି। ମାତ୍ର ୩ ବର୍ଷ ହେଲା ଏହାର ବୈଠକ ବସି ନାହିଁ।
ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ମନୋଜ ସ୍ବାଇଁଙ୍କ କହିବା ମୁତାବକ, ଭେଣ୍ଡିଂ ଜୋନ୍ ସମ୍ମୁଖରେ ଏବେ ଅନେକ ଦୋକାନ ଗଢ଼ି ଉଠିଲାଣି। ଭେଣ୍ଡିଂ ଜୋନ୍ ପରିସର ଆଗକୁ ମାଡ଼ି ଆସିଲାଣି। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଗଠନ ହୋଇଥିଲା, ତାହା ଅନେକାଂଶରେ ପ୍ରତିହତ ହେଉଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଏମ୍ସି କମିସନର ଥିବା ବେଳେ ଭେଣ୍ଡିଂ ଜୋନ୍ଗୁଡ଼ିକ ବ୍ୟବସ୍ଥିତ ଢଙ୍ଗରେ ଚାଲୁଛି ନା ନାହିଁ, ନଜର ରଖିବା ପାଇଁ ଏକ ‘ସ୍କ୍ବାଡ୍ ଭ୍ୟାନ୍’ ବୁଲୁଥିଲା। ମାତ୍ର ସେ କମିସନର୍ ପଦରୁ ଯିବା ପରଠୁ ଆଉ ସ୍କ୍ବାଡ୍ ବି ବୁଲୁ ନାହାନ୍ତି। ବିଏମ୍ସି ପକ୍ଷରୁ ନିକଟ ଅତୀତରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ଉଠା ଦୋକାନୀଙ୍କ ସର୍ବେକ୍ଷଣ ହୋଇଥିଲେ ମଧ୍ୟ ତାହା ସେତିକିରେ ଅଟକି ଯାଇଛି। ତେଣୁ ଟିଭିସିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ସହିତ ନୂତନ ଭେଣ୍ଡିଂ ଜୋନ୍ ମାଧ୍ୟମରେ ସମସ୍ତ ଉଠା ଦୋକାନୀଙ୍କୁ ଥଇଥାନ କରାଯିବା ଉଚିତ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Vending-zone-story-photo-satya.jpg)