ଭୁବନେଶ୍ବର: ଭେଣ୍ଡିଂ ଜୋନ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜନପଥର ସ୍ମାର୍ଟ କିଓସ୍କ ବା‌ କସ୍‌ମୋପଲିସ୍‌ ମହିଳା ଭେଣ୍ଡିଂ ଜୋନ୍‌, ଘାଟିକିଆ ବିଏମ୍‌ସି ବଜାର ବା ସିଆରପି ଭେଣ୍ଡି ଜୋନ୍‌, ସବୁଠି ଲାଗି ରହିଥିବା ବିବାଦ କେବଳ ବିଏମ୍‌ସି ଅର୍ଥ ବରବାଦ କରିନାହିଁ ବରଂ ଶହ ଶହ ବେପାରୀଙ୍କ ଭବିଷ୍ୟତ ସହ ଖେଳ ହୋଇଛି। କେବଳ ନିର୍ମାଣରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚରୁ ଅଧିକାରୀ କମିସନ ପାଇଛନ୍ତି। ନେତାମାନେ ନିଜ ଲୋକଙ୍କୁ ଥଇଥାନ କରିଛନ୍ତି। ଏଭଳି ଏକ ନୂଆ ବିବାଦରେ ଫସିଛି ଝରଣାସାହି ଭେଣ୍ଡିଂ ଜୋନ୍‌। ଯୋଗ୍ୟ ହିତାଧିକାରୀଙ୍କୁ ଛାଡ଼ି ବିଏମ୍‌ସି ରାଜନେତାଙ୍କ ଚାପରେ ଅଯୋଗ୍ୟଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଛି। ଏଣୁ ଏଠାରେ ମଧ୍ୟ ଭେଣ୍ଡିଂ ଜୋନ୍‌ ଖୋଲିବା ସମ୍ଭବ ହେବ ନାହିଁ। ମାମଲା କୋର୍ଟକୁ ଯିବ ବୋଲି ଏକାଧିକ ଯୋଗ୍ୟ ହିୀତାଧିକାରୀ ଚେତାଇ ଦେଇଛନ୍ତି। 

Advertisment

ଜନପଥରେ କିଓସ୍କ ଆବଣ୍ଟନ ବେଳେ ପାତରଅନ୍ତର ହେବାରୁ ୫୦ ଦୋକାନ ଖାଲି ପଡ଼ିଛି, ଶହେରୁ ଊର୍ଦ୍ଧ୍ବ ମାମଲା ଥାନାରେ ଗଡ଼ୁଛି। କସ୍‌ମୋପଲିସ ଛକରେ ମହିଳାଙ୍କ ପାଇଁ ସମର୍ପିତ ପ୍ରଥମ ଭେଣ୍ଡିଂ ଜୋନ୍‌ ପ୍ରସ୍ତୁତ ହେଲା। ହେଲେ ଏଠାରେ ଅଯୋଗ୍ୟଙ୍କୁ ବାଣ୍ଟି ଦେବାରୁ ଏହା ବନ୍ଦ ପଡ଼ି ରହିଲା। ଏବେ କିଛି ଆବଣ୍ଟନ ବାତିଲ କରି ନୂଆ ବାଣ୍ଟିଲେ ହେଲେ ତାହା ବି ସଫଳ ହେଲା ନାହିଁ। ସିଆର୍‌ପିଏଫ୍‌ ଫାଟକ ନିକଟରେ ୩୮ଟି କିଓସ୍କ ନିର୍ମାଣ ହୋଇଛି। ଏହି ରାସ୍ତା କଡ଼ରେ ଥିବା ବ୍ୟବସାୟୀଙ୍କୁ ଦେବା ପାଇଁ ଯୋଜନା ହୋଇଛି। ହେଲେ ରାଜନୀତି ଚାଲିଥିବାରୁ ଏହା ମଧ୍ୟ ଆବଣ୍ଟନ ହୋଇ ପାରୁନି। ଘାଟିକିଆ ଭେଣ୍ଡିଂ ଜୋନ୍‌ରେ ୨୨ଟି କିଓସ୍କ ଓ ୪୦ ପିଣ୍ଡି (କ୍ୟାନୋପି ସେଡ୍‌) ନିର୍ମାଣ ହୋଇଛି। ତାହା ମଧ୍ୟ ଆବଣ୍ଟନ ହୋଇ ପାରୁନି। ଫଳରେ ଏହା ଖତ ଖାଇବାକୁ ବସିଲାଣି। ଏଭଳି ୧୫ରୁ ଊର୍ଦ୍ଧ୍ବ ଉଦାହରଣ ରହିଛି, ଯେଉଁଠି ବ୍ୟବସାୟୀଙ୍କୁ ଥଇଥାନ କରିବାକୁ କୋଟି କୋଟି ଟଙ୍କାର ଭିତ୍ତିଭୂମି ଖତ ଖାଉଛି।

ଏଭଳି ସ୍ଥିତିରେ ଝରଣାସାହି ଭେଣ୍ଡିଂ ଜୋନ୍‌କୁ ‌ନେଇ ବିବାଦ ଉଗ୍ର ରୂପ ନେଇଛି। ଏଠାରେ ଥିବା ୭ ଦୋକାନ ଘରକୁ ୭ ଜଣ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ଶିଶୁଭବନ ଛକ ଓ ଏହାର ଆଖପାଖରେ ବ୍ୟବସାୟ କରୁଥିବା ୨ଜଣ ବ୍ୟବସାୟୀ ରହିଥିବା ବେଳେ ବାକି ୫ ଜଣ ଅଯୋଗ୍ୟ ରହିଥିବା ଅଭିଯୋଗ ହୋଇଛି। ଏହାକୁ ବାତିଲ କରି ଯୋଗ୍ୟଙ୍କୁ ବାଛିବା ପାଇଁ ହରିବନ୍ଧୁ ପରିଡ଼ା, ମାନସ ରଥ, ରାହୁଲ ନାୟକ, ବଳରାମ ସାହୁ, ଅଭିମନ୍ୟୁ ଜେନା ପ୍ରମୁଖଙ୍କ ସମେତ ୩୦ ଜଣ ବିଏମ୍‌ସିକୁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ ହେବ ବୋଲି ବିଏମ୍‌ସି କହିଛି।