ଚନ୍ଦ୍ରଶେଖରପୁର : ପ୍ରଥମେ ରାସ୍ତା କଡ଼ରେ ବସିଲେ। କିଛି ଦିନ ପରେ ଫୁଟ୍ପାଥକୁ ମାଡ଼ିଆସିଲେ। ଏବେ ପୂରା ରାସ୍ତା ଉପରେ ବସିଲେଣି। ରାଜପଥର ଅଧା ଅଂଶକୁ କବ୍ଜା କରିନେଲେଣି। ରାଜଧାନୀରେ ଉଠାଦୋକାନୀମାନେ ଏମିତି କବ୍ଜା କରି ଚାଲିଛନ୍ତି ରାଜପଥକୁ। ଫଳରେ ରାଜଧାନୀବାସୀ ଯାତାୟାତ କରିବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। କିନ୍ତୁ ଏହି ବେଆଇନ କାମରେ ରୋକ୍ ଲଗାଇବାକୁ ବିଏମ୍ସି ହେଉ କି ପୁଲିସ ପ୍ରଶାସନ କାହାର ନିଘା ନାହିଁ। ସ୍ଥାନୀୟ ଦାଦାମାନେ ଉଠାଦୋକାନୀମାନଙ୍କଠାରୁ ଚାନ୍ଦା ନେଇ ଏଭଳି ବେଆଇନ କାମରୁ ଫାଇଦା ଉଠାଉଥିବା ବେଳେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ଅବସ୍ଥା ସବୁଆଡ଼େ। ଇନ୍ଫୋସିଟି, ପଟିଆ, କିଟ୍, ନିଳାଦ୍ରୀବିହାର, ଏଟିଏମ୍ ଛକ, ଶୈଳେଶ୍ରୀବିହାର ଭଳି ରାସ୍ତାକଡ଼ରେ ଏହି ଅବସ୍ଥା। ସବୁଠାରେ ଉଠାଦୋକାନୀମାନେ ଫୁଟ୍ପାଥ୍ ପରେ ସାଇକେଲ୍ ଟ୍ରାକ୍କୁ ବି ଡେଇଁ ପଡ଼ିଲେଣି। ସବୁ ଭିଆଇପି ରାସ୍ତାରେ ଏବେ ଉଠାଦୋକାନୀମାନେ ପସରା ମେଲାଇଛନ୍ତି। ଫାଷ୍ଟ୍ଫୁଡ୍ ବେପାରୀଙ୍କଠାରୁ ଆରମ୍ଭ କରି ଗୁପ୍ଚୁପ୍, ଜଳଖିଆ ଓ ପାନ ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି। ଦିନ ବେଳା ଅବସ୍ଥା ଚଳନୀୟ। କିନ୍ତୁ ସଂଜ ନଇଁବା ମାତ୍ରେ ରାଜପଥ ବଜାର ପାଲଟିଯାଉଛି। ରାଜପଥ ଉପରକୁ ମାଡ଼ି ଆସୁଛନ୍ତି ମାଳମାଳ ଉଠାଦୋକାନ। ମେଳା ବସିଲା ଭଳି ଦେଖାଯାଉଛି। ରାସ୍ତାର ଅଧା ଅଂଶରେ ଷ୍ଟଲ୍ ଓ ଷ୍ଟଲ୍ ଆଗରେ ଗ୍ରାହକଙ୍କ ଗାଡ଼ି। ଏମିତିରେ ରାସ୍ତାର ପାଖାପାଖି ୬୦/୭୦ ଶତକଡ଼ା ଅଂଶ ଉଠାଦୋକାନୀ ଓ ଗ୍ରାହକଙ୍କ କବ୍ଜାକୁ ଚାଲିଯାଉଛି। ଫଳରେ ସନ୍ଧ୍ୟା ହେଉ ହେଉ ସବୁ ରାଜପଥରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଅନ୍ୟ ଗାଡ଼ି ସବୁ ଯାତାୟାତ କରିବା ପାଇଁ ରାସ୍ତା ନିଅଣ୍ଟ ହେଉଛି। ବେଳେବେଳେ ଟ୍ରାଫିକ୍ ଜାମ୍ ପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଯାତାୟାତ ଠପ୍ ହୋଇଯାଉଛି। ବହୁ ସମୟରେ ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି।
/sambad/media/post_attachments/wp-content/uploads/2022/02/rasta.jpg)
ଏସବୁ ସମସ୍ୟାକୁ ନେଇ ଅନେକ ସମୟରେ ଉଠାଦୋକାନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। କିନ୍ତୁ ସ୍ଥାନୀୟ କିଛି ଅସାମାଜିକ ତତ୍ତ୍ବ ବା ଦାଦାମାନେ ଉଠାଦୋକାନୀଙ୍କ ସମର୍ଥନରେ ବାହାରି ଓଲଟା ସାଧାରଣ ଜନତାଙ୍କୁ ଧମକଚମକ ଦେଉଛନ୍ତି। ତେଣୁ ଗଣ୍ଡଗୋଳ ଭୟରେ ସାଧାରଣ ଲୋକେ ନିରବ ରହିବାକୁ ଶ୍ରେୟ ମଣୁଛନ୍ତି। କିଛି ସ୍ଥାନୀୟ ଲୋକଙ୍କ କହିବା କଥା ଏହି ସମସ୍ୟା ନେଇ ପୁଲିସ ଓ ବିଏମ୍ସିକୁ ଅଭିଯୋଗ ହୋଇଛି। ମାତ୍ର ଏଥିପ୍ରତି କାହାର ନିଘା ନାହିଁ। ସବୁ ଦେଖି ନଦେଖିବା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। କେବଳ ଲୋକଦେଖାଣିଆ ଭାବେ ମଝିରେ ମଝିରେ ପଦକ୍ଷେପ ନିଆଯାଉଛି ଓ ରାସ୍ତାରୁ ଉଠାଦୋକାନ ଉଚ୍ଛେଦ କରାଯାଉଛି। ମାତ୍ର ଦିନ କେଇଟା ପରେ ପୁଣି ପୂର୍ବାବସ୍ଥା ଫେରି ଆସୁଛି।
ଜଣେ ବରିଷ୍ଠ ନାଗରିକ ଲୋକନାଥ ବେହେରାଙ୍କ ଅଭିଯୋଗ ଯେ ଉଠାଦୋକାନୀମାନଙ୍କ ଦୌରାତ୍ମ୍ୟରୁ ଏସବୁ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବେଶ୍ ପ୍ରଭାବିତ ହେଉଛି। ସେମାନେ ସନ୍ଧ୍ୟାବେଳେ ଘରୁ ବାହାରିବାକୁ ସାହସ କରିପାରୁନାହାନ୍ତି। ଏମିତିକି ଚାଲିବା ପାଇଁ ମଧ୍ୟ ସେମାନଙ୍କୁ ରାସ୍ତା ମିଳୁନି। ତେଣୁ ବିଏମ୍ସି ଉଠାଦୋକାନୀମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରି ସେମାନଙ୍କୁ ରାସ୍ତାରୁ ହଟାଇବା ଜରୁରୀ। ସ୍ମାର୍ଟ ସିଟି ଜନପଥ ଭଳି ସେମାନଙ୍କୁ କିଓସ୍କ କିମ୍ବା ଭେଣ୍ଡିଂ ଜୋନ୍ରେ ଥଇଥାନ କରିବାକୁ ସୁଯୋଗ ଦେଲେ, ଏହି ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/debabrata.jpg)
