ଭେନ୍‌ଭିକ୍‌ ଜିଏସ୍‌ଟି ସୁବିଧା କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାରେ ସ୍ଥାପିତ ହେବ ୯୦୦ ଜିଏସ୍‌ଟି ସୁବିଧା କେନ୍ଦ୍ର

ଭୁବନେଶ୍ୱର : ବାପୁଜୀନଗରଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଭେନ୍‌ଭିକ୍‌ ଜିଏସ୍‌ଟି ସୁବିଧା କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏଥିସହ ରାଜ୍ୟରେ ୧୫୦ଟି କେନ୍ଦ୍ର ଆରମ୍ଭ ହୋଇଛି।

ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଲେ, ଜିଏସ୍‌ଟି କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ସାଧାରଣ ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି। ରାଜ୍ୟରେ ଏଭଳି କେନ୍ଦ୍ର ଖୋଲିବା ଦ୍ୱାରା ସାଧାରଣ ଲୋକେ ଉପକୃତ ହେବେ ଏବଂ କମ୍‌ ମୂଲ୍ୟରେ ସେବା ହାସଲ କରିପାରିବେ। କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍‌ ଅକୁପେସନାଲ୍‌ ଷ୍ଟାଣ୍ଡାର୍ଡ କମିଟି ସଦସ୍ୟ ପ୍ରଦୀପ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସାରା ଦେଶରେ ୨୫ ହଜାର ସୁବିଧା କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଜିଏସ୍‌ଟି ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିଲେ ମଧ୍ୟ ଏଥିରେ ଦ୍ୱନ୍ଦ୍ୱ ରହିଛି। ସଚେତନତା ତଥା ପରାମର୍ଶ ଲାଗି ୩୪ଟି ସଂସ୍ଥା କେନ୍ଦ୍ର ସରକାରଙ୍କ ସହ ରାଜିନାମା କରିଛନ୍ତି। ଏଭଳି କେନ୍ଦ୍ର ଖୋଲିବା ଦ୍ୱାରା ୭୫ ହଜାରରୁ ଏକ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଭେନ୍‌ଭିକ୍‌ ଟେକ୍‌ ସଲ୍ୟୁସନ୍‌ର ପ୍ରମୋଟର ଇ. ଶ୍ରୀଧର ଯୋଗଦେଇ ଅଗାମୀ ଦିନରେ ଓଡ଼ିଶାରେ ୯୦୦ ଜିଏସ୍‌ଟି ସୁବିଧା କେନ୍ଦ୍ର ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ। ଭେନ୍‌ଭିକ୍‌ ଟେକ୍‌ ସଲ୍ୟୁସନ୍‌ର ରିଜିଓନାଲ୍‌ ହେଡ୍‌ ପାର୍ଟନର୍‌ ଆମ୍ବ୍ରିସ୍‌ ତ୍ରିଖା କହିଲେ, ସୁବିଧା କେନ୍ଦ୍ରରେ ୩୬୦ ଦ୍ରବ୍ୟ ଓ ସେବା କର ସମାଧାନ ଉପଲବ୍ଧ ହେବ। ଅନ୍‌ଲାଇନ୍‌ ସମାଧାନ ସହ ଏହି କେନ୍ଦ୍ରରେ ଜିଏସ୍‌ଟି ନମ୍ବର ପଞ୍ଜୀକରଣ, ଡିଜିଟାଲ ସିଗ୍ନେଚର୍‌, ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ସହାୟତା ଓ ସିଙ୍ଗଲ୍‌ ୱିଣ୍ଡୋ ଅକାଉଣ୍ଟ ପରିଚାଳନା ପ୍ରଣାଳୀ ଉପଲବ୍ଧ ହେବ। ଗ୍ରାହକ ଫୋନ୍‌, ଲାପଟପ୍‌, ଟାବଲେଟ୍‌ ମାଧ୍ୟମରେ ସେମାନଙ୍କର ଜିଏସ୍‌ଟି ଆକାଉଣ୍ଟ ଦେଖିପାରିବେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଷ୍ଟେଟ୍‌ ପାର୍ଟନର୍‌ ଜ୍ୟୋତି ଷଡ଼ଙ୍ଗୀ, ଅଶୋକ ଦାଶ, ଭିନ୍‌ଭେକ୍‌ ଟେକ୍‌ ସଲ୍ୟୁସନ୍‌ ଜୋନାଲ ଟ୍ରେନିଂ ଟିମ୍‌ ମୁଖ୍ୟ ସୁମିତ ଗୋପାଳ, ଜୋନାଲ୍‌ ମୁଖ୍ୟ ଅପରେସନ୍‌ ଲୁୁଭ ତ୍ରିଖା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର