ବାଲିପାଟଣା: ସ୍ଥାନୀୟ ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମହାପୁରୁଷ ସିଦ୍ଧସାଧକ ପଞ୍ଚସଖା ଶିଶୁ ଅନନ୍ତଙ୍କ ପୀଠର ପ୍ରଚାର ପ୍ରସାର ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିପାଟଣା ଛକରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ ଚାଲିଛି। ତେବେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଗତ ଦୁଇ ବର୍ଷ ହେଲା ଅଟକିଥିବା ତୋରଣ ନିର୍ମାଣ କାମ ଏବେ ପୁଣି ଆରମ୍ଭ ହେବ ଏବଂ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି। ଆଜି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହି ନିର୍ମାଣାଧୀନ ତୋରଣ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ହଟାଇଦିଆଯାଇଛି। ଦୁଇ ଦୁଇଟି ଖମ୍ବ ସ୍ଥାନାନ୍ତର ହେବା ସହ ନୂଆ ଖମ୍ବରେ ତାର ଟଣା ସରିଛି।

Advertisment

ସୂଚନାନୁସାରେ ୨୦୧୮ ମସିହାରେ ତତ୍କାଳୀନ ବିଧାୟକ ଶଶି ଭୂଷଣ ବେହେରା ଏହି ତୋରଣ ନିର୍ମାଣ ଲାଗି ଶୁଭ ଦେଇଥିଲେ। ତେବେ ଏହାର ଦୁଇ ବର୍ଷ ପରେ ୨୦୨୦ ମସିହାରେ ବାହୁଡ଼ା ଦିନ ବିଧାୟକ ଅରବିନ୍ଦ ଢାଲି ଅନୁକୂଳ ପଥର ପକାଇଥିଲେ। ଏଥିପାଇଁ ୨୯ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲା ଏବଂ ନିର୍ମାଣ ଦାୟିତ୍ୱ ଉତ୍କଳିକା ହାତକୁ ନେଇଥିଲା। ତୋରଣର ଦୁଇଟି ଖମ୍ବ ନିର୍ମାଣ ସରିଗଲା ସିନା ଉପର କାମ ଆରମ୍ଭ ହୋଇପାରିଲାନାହିଁ।

୧୧କେଭି ବିଦ୍ୟୁତ୍‌ ଖୁମ୍ବ ଓ ତାର ସ୍ଥାନା‌ନ୍ତର ପାଇଁ ବିଦ୍ୟୁତ୍‌ ବିଭାଗ ୧୭ ଲକ୍ଷ ଟଙ୍କା ଦାବି କଲା। ମୋଟ ବ୍ୟୟ ବରାଦ ୨୯ ଲକ୍ଷ ଟଙ୍କା ଥିବା ବେଳେ ବିଦ୍ୟୁତ୍ ବିଭାଗ ଦାବି କରିଥିବା ୧୭ ଲକ୍ଷ ଟଙ୍କା ପଇଠ କରିବା ସମ୍ଭବ ହେଲାନାହିଁ। ଫଳରେ ତୋରଣ କାମ ଅଧାରେ ଅଟକି ରହିଥିଲା। ତେବେ ଶେଷରେ ବିଦ୍ୟୁତ୍ ବିଭାଗ ଏଥିପାଇଁ ସାଢ଼େ ୩ ଲକ୍ଷ ଟଙ୍କା ନେବା ପରେ ସମାଧାନ ହୋଇଥିଲା। ଆଜି ତାର ଅପସାରଣ କାମ ସରିବା ପରେ ଶିଶୁ ଅନନ୍ତ ସ୍ମୃତି ସଂସଦ ସଂପାଦିକା ତନୟା ଦାସ ଗୋସ୍ୱାମୀ ଖୁସି ବ୍ୟକ୍ତ କରିଛନ୍ତି।