ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ପୁରାତନ ଛାତ୍ରମାନେ ରଣହୁଙ୍କାର ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି ରାଜ୍ୟ ସରକାର ନିଜ ନିଷ୍ପତ୍ତିରୁ ନ ଓହରନ୍ତି ତେବେ ଚରମ ପଦକ୍ଷେପ ଗ୍ରହଣ କରିବେ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସୈନିକ ସ୍କୁଲ ବୋର୍ଡକୁ ପତ୍ର ଲେଖିବେ। ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପୁରାତନ ଛାତ୍ର ସଂସଦର ସହଯୋଗ ନେବେ। ଆବଶ୍ୟକ ପଡ଼ିଲେ ୬୩ ବର୍ଷର ଶିକ୍ଷାନୁଷ୍ଠାନକୁ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପୁରାତନ ଛାତ୍ର ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ପ୍ରତିବାଦ ସତ୍ତ୍ବେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ସୈନିକ ସ୍କୁଲ ପୁରାତନ ଛାତ୍ରମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୫୦ରୁ ଅଧିକ ବ୍ୟାଚ୍ର ଛାତ୍ର ପ୍ରତିନିଧି ସାମିଲ ହୋଇ ଏକ ସ୍ବରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ କରିଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ସୈନିକ ସ୍କୁଲରେ ୬୦୦ ପିଲା ଏବଂ ବାଲ୍ ସୈନିକ ସ୍କୁଲରେ ନର୍ସରିରୁ ୫ମ ଶ୍ରେଣୀ ମଧ୍ୟରେ ୫୦୦ରୁ ଅଧିକ ଛୋଟ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ଯଦି ସ୍କୁଲ ସ୍ଥାନାନ୍ତର ହୁଏ ତାହା ହେଲେ ୧୧୦୦ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବ। ନିଷ୍ପତ୍ତି ପୂର୍ବରୁ ପୂର୍ତ୍ତ ବିଭାଗ ବାବୁମାନେ ସେଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ଗୋଟିଏ ସମୟରେ ସୈନିକ ସ୍କୁଲ ରାଜଧାନୀ ବାହାରେ ରହିଥିଲା। ଏବେ ସହର ଭିତରେ। ଆଗକୁ ଯେଉଁଠିକୁ ସ୍ଥାନାନ୍ତର ପ୍ରସ୍ତାବ ରହିଛି ସେଠାରେ ସହର ପହଞ୍ଚିବ ନାହିଁ ବୋଲି କେହି କହିପାରିବେ ନାହିଁ। ସେତେବେଳେ ପୁଣିଥରେ କ’ଣ ସୈନିକ ସ୍କୁଲକୁ ସ୍ଥାନାନ୍ତର କରାଯିବ କି ବୋଲି ପୁରାତନ ଛାତ୍ରମାନେ ପ୍ରଶ୍ନ କରିଛନ୍ତି। ଏଥିସହ ସେମାନେ ପ୍ରସ୍ତାବ ଦେଇଛନ୍ତି ଯେ ଯଦି ୪ ଥାକିଆ ରାସ୍ତା ନିହାତି ଆବଶ୍ୟକ ହେଉଛି ତାହା ହେଲେ ସୈନିକ ସ୍କୁଲ ଛକରୁ ଗାଡ଼କଣ ଅଳିଆ ଗଦା ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ କରାଯାଉ। ଏହାଦ୍ବାରା କ୍ୟାମ୍ପସ କିମ୍ବା ଛାତ୍ରଛାତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ।
ଆହୁରି ନିଷ୍ପତ୍ତି ନିଆଯାଇଛି ଯେ ଆଗାମୀ ଦିନରେ ପୁରାତନ ଛାତ୍ରମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତକରି ସମସ୍ୟା ସମ୍ପର୍କରେ ଅବଗତ କରାଇବେ। ଯଦି ଆଲୋଚନା ଫଳପ୍ରଦ ନହୁଏ ତାହା ହେଲେ ସମସ୍ତ ପୁରାତନ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏଥିରେ ବିଭିନ୍ନ ଅଭିଭାବକ ମହାସଂଘ, ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପୁରାତନ ଛାତ୍ର ସଂସଦ, ଭୁବନେଶ୍ବର ସୈନିକ ସ୍କୁଲ ଅଭିଭାବକ ସଂଘ, ଭୁବନେଶ୍ବର ସାଂସଦ, ଉତ୍ତର ଭୁବନେଶ୍ବର ବିଧାୟକ, ସମସ୍ତ କର୍ପୋରେଟରଙ୍କୁ ସାମିଲ କରାଯାଇ ବ୍ୟାପକ ଆନ୍ଦୋଳନ ହେବ। ବର୍ତ୍ତମାନ ଓ ପୁରାତନ ଶିକ୍ଷକ, ଏଠାରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇପାରେ। ନିକଟରେ ଥିବା ଗ୍ରାମ ଯଥା ଗାଡ଼କଣ, ପଟିଆ, ଡମଣା, ଭିଏସ୍ଏସ୍ନଗର, ରେଳ ବିହାର ସମେତ ରେଲୱେ ୟୁନିୟନ୍, ମଜଦୁର ସଂଘର ମଧ୍ୟ ସାହାଯ୍ୟ ନିଆଯିବ।
ରାସ୍ତା ବଦଳରେ ଫ୍ଲାଏଓଭର ନିର୍ମାଣ କର
ଆନ୍ଦୋଳନକୁ ଓହ୍ଲାଇବେ ଭିଏସ୍ଏସ୍ନଗରବାସୀ
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବେ
ଅଣ୍ଟାଭିଡ଼ିଲା ଭିଏସ୍ଏସ୍ନଗର ଉନ୍ନୟନ ପରିଷଦ
ଅନ୍ୟପଟେ ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ନଗର ଉନ୍ନୟନ ପରିଷଦ କାର୍ଯ୍ୟନିର୍ବାହୀ ସମିତି ବୈଠକରେ ସୈନିକ ସ୍କୁଲ ସ୍ଥାନାନ୍ତର ନେଇ ଆଜି ଉଦ୍ବେଗ ପ୍ରକାଶ ପାଇଛି। ପରିଷଦ ସଭାପତି କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଭିଏସ୍ଏସ୍ ନଗର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ପ୍ରଥମେ ସୈନିକ ସ୍କୁଲ ସ୍ଥାନାନ୍ତରଣ ସମ୍ପର୍କରେ ଜଣାଇବା ପରେ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ। ସେମାନେ କହିଥିଲେ ସରକାରଙ୍କ ପାଇଁ ସୈନିକ ସ୍କୁଲ ସହର ଭିତର ଓ ଅଳିଆଗଦା ସହର ବାହାରରେ ରହିଛି। ମାତ୍ର ଭିଏସ୍ଏସ୍ ନଗର ପାଖରେ ଉଭୟ ସୈନିକ ସ୍କୁଲ ଓ ଅଳିଆଗଦା ଅବସ୍ଥିତ। ରାଜ୍ୟ ସରକାରଙ୍କ ଏହା ଏଭଳି ବିଚିତ୍ର ନୀତି। ସୈନିକ ସ୍କୁଲ ପାଇଁ ସହର ବାହାରେ ସ୍ଥାନ ଖୋଜା ହେଉଥିବା ବେଳେ ସୈନିକ ସ୍କୁଲ ପାଖରେ ଥିବା ଅଳିଆ ଗଦା ବାହାରକୁ ଯାଇପାରୁ ନାହିଁ। ବାରମ୍ବାର ଦାବି ପରେ ମଧ୍ୟ ଅଳିଆ ଉଠୁ ନାହିଁ। ଏସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପରେ ଭବିଷ୍ୟତରେ ଅଧିକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ, ଯୁଗ୍ମ-ସମ୍ପାଦକ ଧରଣୀଧର ରାଉତ, ନିମାଇଁ ଚରଣ ଦାସ, ଶିତଳ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ସାମଲ, ଚିନ୍ତାମଣି ବାରିକ, ପୁରଞ୍ଜନ ପାଢୀ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ କୁମୁଦ ମିଶ୍ର, ତ୍ରିଲୋଚନ ରଥ, ଶଶୀଭୂଷଣ ଦାସ, ବିଜୟ କୁମାର ଦେ, ବିଭୂତି ଭୂଷଣ ତ୍ରିପାଠୀ ଓ ଅମ୍ବିକା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଉପ ସଭାପତି ଜୟନ୍ତ କୁମାର ପରିଡା ଧନ୍ୟବାଦ ଦେଇଥିଲେ।