ପ୍ରାଣୀଧନର ସ୍ୱାସ୍ଥ୍ୟ ହିଁ ଚାଷୀର ଅଭିବୃଦ୍ଧି

ପ୍ରାଣୀ ଭେଷଜ ବିଜ୍ଞାନର ୩୬ତମ ସର୍ବଭାରତୀୟ ସମ୍ମିଳନୀ

ଖଣ୍ଡଗିରି : ପ୍ରାଣୀଧନର ସ୍ୱାସ୍ଥ୍ୟ ଉପରେ ଚାଷୀର ଅଭିବୃଦ୍ଧି ନିର୍ଭର କରେ। ସୁସ୍ଥ ପ୍ରାଣୀଧନ ଚାଷୀର ବଡ଼ ସମ୍ପଦ। ତେଣୁ ଖାଲି ପ୍ରାଣୀପାଳନ ଉପରେ ଧ୍ୟାନ ଦେଲେ ହେବ ନାହିଁ, ସେମାନଙ୍କୁ ସୁସ୍ଥ ରଖିବା ମୁଖ୍ୟ କଥା। ସେଥିପାଇଁ ପ୍ରାଣୀ ଚିକିତ୍ସା ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ ପ୍ରସଙ୍ଗ। କେବଳ ସେତିକି ନୁହେଁ, ମଣିଷ ସୁସ୍ଥ ରହିବା ପାଇଁ ପ୍ରାଣୀ ମଧ୍ୟ ସୁସ୍ଥ ରହିବା ଜରୁରି। ସବୁ ସମୟରେ ସୁସ୍ଥ ପ୍ରାଣୀଧନ ହିଁ ସୁସ୍ଥ ମଣିଷ ସମାଜ ଗଠନରେ ସହାୟକ ହୋଇଆସିଛି। ଗୁରୁବାର ଓୟୁଏଟି ସ୍ୱାମୀନାଥନ ପ୍ରେକ୍ଷାଳୟରେ ପ୍ରାଣୀ ଭେଷଜ ବିଜ୍ଞାନର ୩୬ତମ ସର୍ବଭାରତୀୟ ସମ୍ମିଳନୀରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟର ପ୍ରାଣୀ ଭେଷଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୩ ଦିନିଆ ଏହି କାର୍ଯ୍ୟକ୍ରମରେ ଆୟୋଜକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର୍‌ ଶିବକୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଉଦ୍‌ଘାଟନ କରିଥିଲେ। ଇଂଲଣ୍ଡ ଗାଲ୍‌ଭାମେଡର ନିର୍ଦ୍ଦେଶକ ରିଚାର୍ଡ ମାନ୍‌ଲୋଭ୍‌ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମିତି ଅଧ୍ୟକ୍ଷ ଡା. ରାନ୍ଧଓ୍ଵା, ଆୟୋଜକମଣ୍ଡଳୀ ସଭାପତି ପ୍ରଫେସର ସୁରେନ୍ଦ୍ର କୁମାର ରାୟ ଉପସ୍ଥିତ ଥିବା ବେଳେ ଆୟୋଜକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪ଶହ ଜଣ ବୈଜ୍ଞାନିକ, ଗବେଷକ ଓ ପ୍ରାଣୀ ଭେଷଜ ବିଜ୍ଞାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର