ରାଜପଥରେ ପ୍ରାଣୀଧନଙ୍କ ଜୀବନ ବଞ୍ଚାଇବାକୁ ଯୋଜନା : ୨୪ଘଣ୍ଟିଆ ହେବ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ବର : ୨୪ଘଣ୍ଟିଆ କାର୍ଯ୍ୟକାରୀ ହେବ ସହିଦନଗରସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ। ଉଭୟ ସହର ଓ ଜାତୀୟ ରାଜପଥରେ ରାତିରେ ହେଉଥିବା ଦୁର୍ଘଟଣାରେ ପ୍ରାଣ ହରାଉଥିବା ପ୍ରାଣୀଧନକୁ ବଞ୍ଚାଇବାକୁ ରାତିରେ ଏହାକୁ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ସହିଦନଗରସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ(ଡିସପେନସାରି ଓ ହେଲ୍‌ପଲାଇନ) ଏବେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଏଠାରେ ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହେଉଥିବା ବୁଲା ଗୋରୁଙ୍କ ସହ ଘରୋଇ ପୋଷା କୁକୁର ଓ ବିଲେଇଙ୍କର ମଧ୍ୟ ଚିକିତ୍ସା କରାଯାଉଛି। ଏଥିପାଇଁ ହେଲ୍‌ପ ଲାଇନ୍ ନମ୍ବର (୦୬୭୪୨୫୪୦୯୨୪) ରହିଛି। ଏହି ନମ୍ବରରେ ରାଜଧାନୀର କୌଣସି ଅଞ୍ଚଳରୁ ଗୋରୁଙ୍କ ଦୁର୍ଘଟଣାଜନିତ ଖବର ଆସିଲେ ପ୍ରାଣୀ ଚିକିତ୍ସକ ସେଠାକୁ ଯାଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ତେବେ ଜାତୀୟ ରାଜପଥରେ ରାତି ସମୟରେ ଅନେକ ଦୁର୍ଘଟଣାରେ ବୁଲା ଗୋରୁ ପ୍ରାଣ ହରାଉଛନ୍ତି। ତେବେ ରାତି ୧୦ଟା ପରେ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହୁଥିବାରୁ ପ୍ରାଣୀଧନଙ୍କୁ ବଞ୍ଚାଇବା ସମ୍ଭବ ହେଉନାହିଁ। ତେଣୁ ପ୍ରାଣୀ ଚିକିତ୍ସାଳୟକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଫଳରେ ରାତିରେ ମଧ୍ୟ ଗୋରୁଙ୍କ ଚିକିତ୍ସା ସମ୍ଭବ ହୋଇପାରିବ।

ବହୁମୁଖୀ ପ୍ରାଣୀ ଚିକିତ୍ସାଳୟରେ ଏବେ ୪ଜଣ ପ୍ରାଣୀ ଚିକିତ୍ସକ ରହିଛନ୍ତି। ତେବେ ୨୪ ଘଣ୍ଟିଆ ଏହାକୁ କାର୍ଯ୍ୟକାରୀ କରାଗଲେ ଆହୁରି ଅଧିକ ପ୍ରାଣୀ ଚିକିତ୍ସକଙ୍କ ଆବଶ୍ୟକତା ରହିଛି। ଏଥିପାଇଁ ସହିଦନଗରସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଅତିରିକ୍ତ ୨ଜଣ ପ୍ରାଣୀ ଚିକିତ୍ସକ, ଡ୍ରାଇଭର, ୨ଜଣ ଆଟେଣ୍ଡାଣ୍ଟ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଏକ ଆଶୁ ପଶୁ ଚିକିତ୍ସା ଯାନ ବା ଆମ୍ବୁଲାନ୍‌ସ ରହିଛି। ତେବେ ଏହି ଆମ୍ବୁଲାନ୍‌ସ ବଡ଼ ଥିବାରୁ ସହରର ପ୍ରତ୍ୟେକ ଗଳିକନ୍ଦିରେ ଏହା ପ୍ରବେଶ କରିପାରୁନାହିଁ। ତେଣୁ ଆହୁରି ଏକ ଛୋଟ ଆମ୍ବୁଲାନ୍‌ସ ଯୋଗାଇ ଦେବା ଲାଗି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶାଳୟକୁ କୁହାଯାଇଛି। ଫଳରେ ସବୁ ସ୍ଥାନରେ ପ୍ରାଣୀଧନଙ୍କ ଚିକିତ୍ସା ହୋଇପାରିବ।

ଅପରପକ୍ଷରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟରେ ଅତିରିକ୍ତ ୨ଟି କେନେଲ୍ ନିର୍ମାଣ ପାଇଁ ଯୋଜନା ହୋଇଛି। ଏବେ ୩୦ଟି କୁକୁର ଅସ୍ତ୍ରୋପଚାର ରହିବା ଭଳି ୪ଟି କେନେଲ୍ ରହିଛି। ତେବେ ରାଜଧାନୀରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଅଧିକ ସଂଖ୍ୟାରେ କୁକୁରଙ୍କ ଅସ୍ତ୍ରୋପଚାର ପାଇଁ ୨ଟି ଅତିରିକ୍ତ କେନେଲ୍ ନିର୍ମାଣ କରାଯିବ। ଏବେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ମାସକୁ ୬ ଶହ କୁକୁରଙ୍କ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଭିନ୍ନ କାରଣ ପାଇଁ ଏହି ସଂଖ୍ୟା ହାସଲ ହୋଇପାରୁ ନାହିଁ। ତେଣୁ ଅତିରିକ୍ତ କେନେଲ୍ ଓ କର୍ମଚାରୀଙ୍କ ନିଯୁକ୍ତି ପରେ ଧାର୍ଯ୍ୟସଂଖ୍ୟକ କୁକୁରଙ୍କ ଅସ୍ତ୍ରୋପଚାର ସମ୍ଭବ ହୋଇପାରିବ ବୋଲି ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର