ଓଏସ୍‌ଏସ୍‌ସିରେ କମ୍ପନ: ବିରଞ୍ଚିଙ୍କ ପଛରେ ବଡ଼ମୁଣ୍ଡ କିଏ?

ଆଡମିଟ୍ କାର୍ଡ ମିଳିଥିବା ପରୀକ୍ଷାର୍ଥୀଙ୍କୁ ହୋଇପାରେ ଜେରା

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି)ର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଚଢ଼ଉକୁ ନେଇ ଓଏସ୍‌ଏସ୍‌ସିରେ କମ୍ପନ ସୃଷ୍ଟି ହୋଇଛି।

ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇ ବିରଞ୍ଚି ଏତେ ଟଙ୍କା ଆଣିଲେ କେଉଁଠୁ? ୪ଟି କୋଠା, ୧୪ଟି ପ୍ଲଟ୍, ଦେଢ଼ କେଜି ସୁନା ଅଳଙ୍କାର, ୨୫ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଜୀବନବୀମା ଜମା ରାଶି ମିଶି ଏତେ ବିପୁଳ ସମ୍ପତ୍ତି ହାତେଇଲେ କେମିତି? ତାଙ୍କ ବେଆଇନ ଆୟର ସୂତ୍ର କଣ? ଏସବୁର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ବିରଞ୍ଚିଙ୍କୁ ଅଟକ ରଖି ମାରାଥନ୍ ଜେରା ବି କରାଯାଉଛି। ତାଙ୍କ ଘରୁ ଓଏସ୍ଏସ୍‌ସି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମିଳିବା ପରେ ସେମାନଙ୍କର ନମ୍ବର ବଢ଼ାଇବା ଓ ଚାକିରି ପ୍ରତିଶ୍ରୁତି ଦେଇ ସେ ଟଙ୍କା ନେଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ତେବେ କେତେ ଜଣ ପରୀକ୍ଷାର୍ଥୀଙ୍କ ସହ ବିରଞ୍ଚି ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କୁ କ’ଣ ପ୍ରତିଶ୍ରୁତି ଦିଆଯାଇଥିଲା ଜାଣିବା ଲାଗି ଆଡମିଟ୍‌ କାର୍ଡ ମିଳିଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ଜେରା କରିବାକୁ ଚିନ୍ତା କରୁଛି ଭିଜିଲାନ୍ସ। ସବୁଠୁ ବଡ଼ ପ୍ରଶ୍ନ ହେଲା; ଚାକିରି ପ୍ରତିଶ୍ରୁତି ଦେଇ ଏକୁଟିଆ ବିରଞ୍ଚି ଟଙ୍କା ଆଦାୟ କରିଛନ୍ତି ନା ତ‌ାଙ୍କ ପଛରେ ଆଉ କେଉଁ ବଡ଼ମୁଣ୍ଡମାନେ ଅଛନ୍ତି? କୁବେର ଭଳି ତାଙ୍କର ଏହି ସମ୍ପତ୍ତିର ଅନ୍ୟ କିଛି ବେଆଇନ ଉତ୍ସ ରହିଛି କି? ଏମିତି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ। ଅନ୍ୟପକ୍ଷରେ ବିଞ୍ଚିଙ୍କ ସଢ଼ୁଙ୍କ ଭୂମିକା କଣ? ତାଙ୍କ ପାଖରେ କେତେ ଟଙ୍କା ଲୁଚାଇ ରଖିଥିଲେ ବିରଞ୍ଚି? ଏ ସବୁର ମଧ୍ୟ ଭିଜିଲାନ୍ସ ତଦନ୍ତ କରୁଛି। ଅନ୍ୟପକ୍ଷରେ ବିରଞ୍ଚି ଧରାପଡ଼ିବା ପରେ ଓଏସଏସସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରଞ୍ଚି ପରୀକ୍ଷା ପ୍ରକ୍ରିୟା ସହ କୌଣସି ପ୍ରକାର ଅନ୍ତର୍ଭୁକ୍ତ ନୁହନ୍ତି। ଯଦି ତାଙ୍କ ବିରୋଧରେ ପ୍ରମାଣ ମିଳେ ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପାଠକ ପରେ ଭିଜିଲାନ୍ସର ବଡ଼ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବହିଷ୍କୃତ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ମୁମ୍ବାଇ, ଦିଲ୍ଲୀ, ରାଜସ୍ଥାନ, ବିହାର, ଭୁବନେଶ୍ବର ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଅଭୟକାନ୍ତଙ୍କ ପୁଅ ଆକାଶ ମଧ୍ୟ ଜାଲରେ ପଡ଼ିଥିଲେ। ଆକାଉଣ୍ଟରୁ ୯ କୋଟି ଟଙ୍କା ମିଳିଥିଲା। ଗତବର୍ଷ ଲକଡାଉନ୍ ସମୟରେ ଚାର୍ଟର ବିମାନରେ ବୁଲିବା, ମୁମ୍ବାଇ ତାଜ୍ ହୋଟେଲରେ ରହିବା ଭଳି ରଙ୍ଗିନ ଚିତ୍ର ସାମ୍ନାକୁ ଆସିଥିଲା। ଗୋପାଳପୁର ବିଧାୟକଙ୍କ ଝିଅ ସହ ଆକାଶର ରାଜସ୍ଥାନ ଉଦୟପୁରସ୍ଥିତ ତାଜ୍ ଲେକ୍ ପ୍ୟାଲେସରେ ବାହାଘର ହେବାର ଖବର ବି ପଦାକୁ ଆସିଥିଲା। ବାପ-ପୁଅଙ୍କ ରଙ୍ଗିନ ଦୁନିଆକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ରେଡ୍‌ରେ ଦେଢ଼ଶରୁ ଅଧିକ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଏବେ ଜାଲରେ ପଡ଼ିଛନ୍ତି ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ। ତାଙ୍କର ମଧ୍ୟ ବିପୁଳ ପରିମାଣର ସମ୍ପତ୍ତି ଜବତ ହେଲାଣି। ଆଜି ସକାଳୁ ଆରମ୍ଭ ହୋଇଥିବା ରେଡ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିଛି। ୬ଟି ସ୍ଥା‌ନରେ ଚଢ଼ଉରେ ପ୍ରାୟ ୪୦ରୁ ଅଧିକ ଅଫିସର ଓ କର୍ମଚାରୀ ସାମିଲ ଅଛନ୍ତି। ପାଠକ ବାପ-ପୁଅଙ୍କ ପରେ ଏହା ଭିଜିଲାନ୍ସର ସବୁଠୁ ବଡ଼ ରେଡ୍‌ ବୋଲି ଆଜି ଦିନ ତମାମ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି।

କୁବେର ବିରଞ୍ଚି: ୫ କୋଟି ଛୁଇଁପାରେ ସମ୍ପତ୍ତି
ଆଜିର ଭିଜିଲାନ୍ସ ଚଢ଼ଉ ପରେ ବିରଞ୍ଚିଙ୍କର ଏବେ ସୁଦ୍ଧା ୩ କୋଟି ୭୯ ଲକ୍ଷ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇ ସାରିଲାଣି। ଏହାଛଡ଼ା ତାଙ୍କ ବ୍ୟାଙ୍କ କାରବାରର ଅନେକ କାଗଜପତ୍ର ମିଳିଛି। ଆସନ୍ତାକାଲି ଏହି ବ୍ୟାଙ୍କଜମାର ହିସାବ ହେବ ବୋଲି ଜଣାପଡ଼ିଛି। ଏଥିରେ ପାଖାପାଖି କୋଟିଏ ଟଙ୍କା ଥିବା ଅନୁମାନ କରାଯାଉଛି। ବିରଞ୍ଚିଙ୍କ ସଢ଼ୁଙ୍କ ପାଖରୁ ଯେଉଁ ୧୩ ଲକ୍ଷ ଟଙ୍କା ମିଳିଛି; ତାହା ବିରଞ୍ଚି ହିଁ ତାଙ୍କ ପାଖରେ ରଖିଥିବା ଜଣାପଡ଼ିଛି। ସେହିପରି ବିରଞ୍ଚି ଆହୁରି କେତେ ସମ୍ପର୍କୀୟଙ୍କ ପାଖରେ ଟଙ୍କା ରଖିଛନ୍ତି ତାକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ତେଣୁ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୫ କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି।

ଝରକା ବାଟେ ଫିଙ୍ଗିଦେଲେ ଟଙ୍କାବିଡ଼ା, କାଗଜପତ୍ର
ଭିଜିଲାନ୍ସ ଚଢ଼ଉ ବେଳେ ବିରଞ୍ଚି ହଡ଼ବଡ଼େଇ ଯାଇ କିଛି ଟଙ୍କାବିଡ଼ା ଓ କାଗଜପତ୍ର ଝରକା ବାଟେ ବାହାରକୁ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଅଧିକାରୀ ଏହା ଜାଣିବା ପରେ ସେସବୁ ଜବତ କରିଥିଲେ। ଏବେ ବି ସେ ଘରର ଆଉ କେଉଁଠି ଟଙ୍କା ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ତେଣୁ ଆସନ୍ତାକାଲି ପୁଣି ଥରେ ଖାନତଲାସି ହେବ ବୋଲି ଜଣାପଡ଼ିଛି।

ଦେଢ଼ମାସ ତଳେ ଖସି ଯାଇଥିଲେ ବିରଞ୍ଚି!
ସୂଚନା ଅନୁସାରେ, ପ୍ରାୟ ଦେଢ଼ମାସ ତଳେ ଜଣେ ପରୀକ୍ଷାର୍ଥୀଙ୍କ ସହ ବିରଞ୍ଚିଙ୍କର ଯୋଗାଯୋଗ ହୋଇଥିଲା। ଲାଞ୍ଚ କାରବାର ପାଇଁ ସବୁ ପ୍ରସ୍ତୁତି ସରିଥିଲା। ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ନିକଟରେ ଅଭିଯୋଗ ପହଞ୍ଚିଥିଲା। ଭିଜିଲାନ୍ସ ମଧ୍ୟ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କାର ସିରିଏଲ୍ ଲେଖା ଯାଇଥିଲା, କେମିକାଲ୍ ବୋଳା ଯାଇଥିଲା, ଲାଞ୍ଚର ଟେଲିଫୋନ୍ ପ୍ରମାଣ ମଧ୍ୟ ଦାଖଲ ହୋଇଥିଲା। କିନ୍ତୁ ଏହି ଟଙ୍କା ସିଧାସଳଖ ଯାଇ ନ ଥିଲା। ଚେନ୍ ମାଧ୍ୟମରେ କାରବାର ହୋଇଥିଲା। ଏହି ଚେନ୍‌ରେ ଏକାଧିକ ବ୍ୟକ୍ତି ଥିବାରୁ ଅଧାରେ ଟଙ୍କା ଗାଏବ ହୋଇ ଯାଇଥିଲା। ଭିଜିଲାନ୍ସକୁ ନିରାଶ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର