ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ସୁଦୃଢ଼ କରିବାକୁ ଆସିଥିବା ଟଙ୍କାରେ ଅଏସ୍ କରୁଥିଲେ କୁଳପତି। ନିଜ ବାସଭବନ ପାଇଁ ଆଖି ଝଟକିଲା ପରି ଡାଇନିଂ ଟେବୁଲ୍ କିଣିଥିଲେ। ବାସଭବନକୁ ଆସୁଥିବା ଅତିଥିଙ୍କ ପାଇଁ ଆଖି ଖୋସିଗଲା ଭଳି ସୋଫା, ଆରାମଦାୟକ ଚୌକି ସମେତ ଅନେକ ଆସବାବପତ୍ର କିଣି ପକାଇଥିଲେ। ଏମିତିକି ନିଜ ଶୋଇବା ଘରର ଶଯ୍ୟା କୌଣସି ରାଜଉଆସର ମାନଠାରୁ କମ୍ ନ ଥିଲା। ‘ରୁସା’ ଯୋଜନା ଅଧୀନରେ ଦିଆଯାଇଥିବା ଅନୁଦାନ ରାଶିରୁ ୬.୪୮ ଲକ୍ଷ ଟଙ୍କାକୁ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏଭଳି ଭାବେ ଖର୍ଚ୍ଚ କରିଥିଲେ। କେବଳ ସେତିକିରେ ଅଟକି ନ ଥିଲେ ପୂର୍ବତନ କୁଳପତି।
ଉତ୍କଳ ବିଶ୍ବବିଦ୍ୟାଳୟ ପାଠାଗାର, ଲ୍ୟାବ୍, ଛାତ୍ରାବାସ ଓ ଶୌଚାଳୟ ନବୀକରଣ ପାଇଁ ୨୦୧୫ରୁ ୨୦୨୦ ମଧ୍ୟରେ ୧୮ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ହେଲେ ସେଥିରୁ ୩୭.୦୮ ଲକ୍ଷ ଟଙ୍କାରେ ଚାରିଟି ଡିଜି ସେଟ୍ ଏବଂ ୨୧.୪୯ ଲକ୍ଷ ଟଙ୍କାକୁ ସାଇନ୍ବୋର୍ଡ କିଣିବାରେ ଖର୍ଚ୍ଚ କରିଥିଲେ। ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏଭଳି ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୂର୍ବତନ କୁଳପତିମାନଙ୍କ ସମୟରେ ଆଉ ଏକ ସାଂଘାତିକ କାରସାଦି ମଧ୍ୟ ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଭିତ୍ତିଭୂମି ପାଇଁ ୧.୩୮ କୋଟି ଟଙ୍କାରେ ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍ଟପ୍ କିଣାଯାଇଥିଲା। କିନ୍ତୁ ଆଇଟିସି ଲ୍ୟାବ୍ ପ୍ରତିଷ୍ଠା କରିବା ବଦଳରେ ସେହି ଲାପ୍ଟପ୍ଗୁଡ଼ିକୁ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ଭିତରେ ବାଣ୍ଟି ଦିଆଯାଇଥିଲା। ୧୬ଟି ଲ୍ୟାପ୍ଟପ୍ ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ିରହିଥିଲା। ଦୁଇଟି ଲ୍ୟାପ୍ଟପ୍ କେଉଁଠି ଅଛି ତାହାର ହିସାବ ମିଳି ନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ବାସଭବନରେ ପକାଇଥିଲେ ବିଳାସପୂର୍ଣ୍ଣ ସୋଫା
ଡାଇନିଂ ଟେବୁଲ୍, ଶଯ୍ୟା ବି କିଣିପକାଇଥିଲେ
ଲ୍ୟାବ୍ ପାଇଁ ଉଦ୍ଦିଷ୍ଟ ଲ୍ୟାପ୍ଟପ୍ ଷ୍ଟାଫ୍ଙ୍କୁ ବାଣ୍ଟିଥିଲେ
୫୫ କୋଟିର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ବିଫଳ
ସେହିପରି ଯାଜପୁରର ଚଣ୍ଡିଖୋଲଠାରେ ନିର୍ମାଣ ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସର ପ୍ରକୃତ ଚିତ୍ର ସିଏଜିଙ୍କ ରିପୋର୍ଟରେ ପ୍ରତିଫଳିତ ହୋଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ‘ଉତ୍କଳ ଉଦ୍ୟୋଗୀତା ଓ କ୍ୟାରିୟର ହବ୍ ଏବଂ ବିଶ୍ବବ୍ୟାପୀ କେନ୍ଦ୍ର ଓ ଗ୍ରାମୀଣ ଶିକ୍ଷା’ ପାଇଁ ୫.୭୫ କୋଟି ଟଙ୍କା ବ୍ୟୟରେ ଚଣ୍ଡିଖୋଲ କ୍ୟାମ୍ପସରେ ଏକ କୋଠା ନିର୍ମାଣ କରିଥିଲେ। ମାତ୍ର ସେଥିପାଇଁ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବାକୁ ଭୁଲିଗଲେ। କିଛି ମାସ ପରେ କୋଠାର ଅନେକ ବୈଦ୍ୟୁତିକ ଉପକରଣ, ସାନିଟାରି ଫିଟିଙ୍ଗ୍ସ ଓ ଗ୍ରିଲ୍ ଚୋରି ହୋଇଗଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସବୁ ଘଟଣା ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ।
କମ୍ପ୍ୟୁଟର କିଣାରେ ଅନିୟମିତତା କେବଳ ଉତ୍କଳ ବିଶ୍ବବିଦ୍ୟାଳୟରେ ସୀମିତ ନଥିଲା। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ରେ ମଧ୍ୟ ୧୮୦ଟି ଡେସ୍କଟପ୍ କମ୍ପ୍ୟୁଟର କିଣି ତାହାକୁ ବିଭିନ୍ନ ବିଭାଗ ଭିତରେ ବାଣ୍ଟି ଦିଆଯାଇଥିଲା। ଅନ୍ୟପକ୍ଷରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ୪୦.୫୭ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ମୂଲ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଜିଦ୍ କାରଣରୁ ୫୫.୬୭ କୋଟି ଟଙ୍କାକୁ ବଢ଼ିଥିଲା। ଗଞ୍ଜାମର ଖଲ୍ଲିକୋଟରେ ୫୫ କୋଟି ଟଙ୍କାରେ ଏକ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାରେ ସରକାର ବିଫଳ ହୋଇଥିବା ସିଏଜି କହିଛନ୍ତି। ଏହି ପ୍ରକଳ୍ପର ଭିତ୍ତିଭୂମି ବିକାଶ ଲାଗି ୫୬.୮୧ ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥିଲା।