ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

୧୦ ତାରିଖ ସଂଧ୍ୟାରେ ପହଞ୍ଚିବେ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟର ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ଉପରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତରେ କେବଳ କିଟ୍‌ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ଛାଡ଼ି ଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଶ୍ରୀ ନାଇଡୁ ଉପରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ଚୂଡ଼ାନ୍ତ ଗସ୍ତ ସୂଚୀ ଅନୁଯାୟୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନଭେମ୍ବର ୧୦ ତାରିଖ ଅପରାହ୍‌ଣ ୫ଟା ୨୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ବିବିଜେରେ ନାଗପୁର ବିମାନବନ୍ଦରରୁ ବାହାରି ସଂଧ୍ୟା ୬ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ। ବିମାନବନ୍ଦରରେ ରାଜ୍ୟପାଳ ଏସ୍‌.ସି ଜମିର୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଡା. ଆର୍‌.ପି ଶର୍ମା, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ ବେଣୁଗୋପାଳ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ତାଙ୍କୁ ସ୍ୱାଗତ କରିବେ। ଏହାପରେ ସଂଧ୍ୟା ୬ଟା ୫୫ରେ ବିମାନବନ୍ଦରରୁ ରାଜଭବନକୁ ଯିବେ। ସେଠାରେ ରାତ୍ରିଯାପନ କରିବେ। ଏହା ପରଦିନ ଅର୍ଥାତ୍‌ ନଭେମ୍ବର ୧୧ରେ ରାଜଭବନରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବ। ଏହାପରେ କିଟ୍‌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପୂର୍ବାହ୍ନ ୧୧ଟାରେ ଯୋଗଦେବେ। ମଧ୍ୟାହ୍ନ ୧୨ଟା ୩୦ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନ ଫେରିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍‌ଣ ୩ଟା ୩୦ରୁ ୪ଟା ୩୦ପର୍ଯ୍ୟନ୍ତ କେତେକ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିବେ। ଅପରାହ୍‌ଣ ୪ଟା ୪୫ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯିବେ।

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିସନରେଟ୍‌ ପୁଲିସକୁ କାରକେଡ୍‌ ପ୍ଲାନ୍‌ ଦେବାକୁ କୁହାଯାଇଛି। ଏହି ପ୍ଲାନକୁ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅନୁମୋଦନ ପାଇଁ ଗୃହ ବିଭାଗ ପଠାଇବ। ସେହିପରି ଉପରାଷ୍ଟ୍ରପତିଙ୍କ ଇଚ୍ଛା ଅନୁଯାୟୀ ତାଙ୍କର ସଡ଼କ ପଥରେ ଯାତ୍ରା ସମୟରେ କୌଣସି ଛକରେ ଲୋକଙ୍କୁ ୫ମିନିଟରୁ ଅଧିକ ଅଟକା ଯିବନିି।

ସମ୍ବନ୍ଧିତ ଖବର