ରାଜଧାନୀରେ ଉପରାଷ୍ଟ୍ରପତି

ଦେଢ଼ ଘଣ୍ଟା ରାସ୍ତା ଜାମ୍‌, ଲୋକେ ହନ୍ତସନ୍ତ

ଉପରାଷ୍ଟ୍ରପତିଙ୍କ ଗସ୍ତବେଳେ ଫେଲ୍‌ ମାରିଲା ଟ୍ରାଫିକ ପରିଚାଳନା

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଗସ୍ତବେଳେ ଆଜି ରାଜଧାନୀର କିଛି ସ୍ଥାନରେ ଅହେତୁକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ବିଭିନ୍ନ ଛକରେ ଲୋକ ଘଣ୍ଟାଘଣ୍ଟା କାଳ ଧରି ସେମିତି ଅଟକି ରହିଥିଲେ। ସବୁଠୁ ଅଧିକ ସମସ୍ୟା ସୃଷ୍ଟି ହୋଇଥିଲା ଜୟଦେବ ବିହାର ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ। ସେହି ରାସ୍ତାଟି ଦେଢ଼ ଘଣ୍ଟା ପାଇଁ ସଂପୂର୍ଣ ଜାମ ହୋଇ ଯାଇଥିଲା। ଲୋକ ଗାଡି ମୋଟର ଧରି ସେମିତି ରାସ୍ତା ଉପରେ ଠିଆ ହୋଇ ରହିଥିଲେ। ଟ୍ରାଫିକ ପରିଚାଳନାରେ ଗୁରୁତର ତ୍ରୁଟି ଯୋଗୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଭିଡରେ ଫସିଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି। ଏପରିକି କେତେକ କାର ଚାଳକ ଏ ନେଇ ଓଡ଼ିଶା ପୁଲିସକୁ ଟୁଇଟର ମାଧ୍ୟମରେ କମିସନରେଟେ୍‌ ପୁଲିସର ଟ୍ରାଫିକ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି।

କିଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟପ୍ରତି ଯୋଗ ଦେଇଥିଲେ। ତେବେ ସେ ୧୨ଟା ୨୦ ମିନିଟରେ କାର୍ଯ୍ୟକ୍ରମ ସାରି ସିଧା ସଳଖ ବିମାନବନ୍ଦର ବାହାରିଥିଲେ। କମିସନରେଟ ପୁଲିସ ପକ୍ଷରୁ ୨୫ ମିନିଟ ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାଉଥିବା ଗାଡି ମୋଟର ବନ୍ଦ କରାଯିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଉପରାଷ୍ଟପ୍ରତି କିଟ୍‌ରୁ ବାହାରିବାର ୪୫ ମିନିଟ ପୂର୍ବରୁ ଟ୍ରାଫିକ ପୁଲିସ ପକ୍ଷରୁ କିଟ୍‌ ଛକକୁ ସିଲ୍‌ କରି ଦିଆଯାଇଥିଲା। ଜୟଦେବ ବିହାର ପଟୁ କିଟ ଆଡେ ଯାଉଥିବା ରାସ୍ତା ଓ ନନ୍ଦନକାନନରୁ କିଟ ଛକ ଆଡେ ଆସୁଥିବା ଗାଡି ମୋଟରକୁ ବନ୍ଦ କରି ଦିଆ ଯାଇଥିଲା। ଫଳରେ କିଲୋମିଟର କିଲୋମିଟର ବ୍ୟାପୀ ଉଭୟ ପାର୍ଶ୍ୱ ରାସ୍ତାରେ ଗାଡି ମୋଟର ଠିଆ ହୋଇ ରହିଥିଲା।

ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଯେତିକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇ ନ ଥିଲା ଏହାଠାରୁ ବଳେଇ ଯାଇଥିଲା ଉପରାଷ୍ଟ୍ରପତିଙ୍କ ଗସ୍ତ ପର ଟ୍ରାଫିକ ସମସ୍ୟା। ଟ୍ରାଫିକ୍‌ ପୁଲିସ ହାତ ଟେକି ଦେଇଥିଲା ଭିଡ଼ ଦେଖି। ବାଇକ୍‌ ଓ କାର ଚାଳକମାନେ ମନ ଇଛା ଯିଏ ଯୁଆଡେ ପାରିଲେ ଗାଡି ମୋଟର ପୁରାଇ ଦେଇଥିଲେ। ଫଳରେ ଜୟଦେବ ବିହାର ଛକରୁ କିଟ ଛକ ପର୍ଯ୍ୟନ୍ତ ଲମ୍ବି ଥିବା ଗାଡି ମୋଟର ଫାଙ୍କା ହେବାକୁ ଦେଢ଼ ଘଣ୍ଟା ଲାଗିଥିଲା। ରାସ୍ତା ଉପରେ ସେମିତି କାରଗୁଡିକ ଲମ୍ବା ହୋଇ ଠିଆ ହୋଇଥିଲା। ଏପରିକି ଏକ ଆମ୍ବୁଲାନ୍ସ, ପୁଲିସ ଭ୍ୟାନ ମଧ୍ୟ ଫସି ଯାଇଥିଲା ଏହି ଭିଡରେ।

ଏଭଳି ଟ୍ରାଫିକ୍‌ ସମସ୍ୟା ପାଇଁ ସ୍ଥାନୀୟ ଲୋକ କମିସନରେଟ ପୁଲିସ ଟ୍ରାଫିକ୍‌ ଉପରେ ଦୋଷ ଲଦିଛନ୍ତି। ଅଭିଯୋଗ କରିଛନ୍ତି ଟ୍ରାଫିକ ପରିଚାଳନାରେ ଅନେକ ତ୍ରୁଟି ଦେଖା ଯାଇଥିଲା। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୂର୍ବରୁ ପୁଲିସ ନୋ ମ୍ୟାନ ଜୋନ ଘୋଷଣା କଥା କମିସନରେଟ୍‌ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ କୌଣସି ଆଗୁଆ ସୂଚନା ଦିଆ ଯାଇ ନ ଥିଲା। ଫଳରେ ଲୋକ ଗାଡି ମୋଟର ଧରି ଫସି ଯାଇଥିଲେ। ଅନେକ ହସ୍ପିଟାଲ ଭଳି ଜରୁରୀ ଓ ଅନ୍ୟାନ୍ୟ କାମରେ ଯାଇ ଭିଡରେ ହନ୍ତସନ୍ତ ହୋଇଥିଲେ। ‘ଛୁଟି ଦିନରେ ଯଦି ଏଭଳି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଲା, ଅନ୍ୟ କାର୍ଯ୍ୟ ଦିବସରେ ପରିସ୍ଥିତି କ’ଣ ହୋଇଥାନ୍ତା’ ବୋଲି ଇନ୍‌ଫୋସିଟି ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ଦେବବ୍ରତ ମହାପାତ୍ର ନାମକ ଜଣେ ଯୁବକ ପ୍ରଶ୍ନ କରିଛନ୍ତି। ଏ ନେଇ ସେ ଓଡ଼ିଶା ପୁଲିସକୁ ଫଟୋ ସହିତ ଟୁଇଟ କରି ମଧ୍ୟ ଜଣାଇଛନ୍ତି।

ଏ ସମ୍ପର୍କରେ ଟ୍ରାଫିକ୍‌ ଏସିପି ଜତୀନ ପଣ୍ଡା କହିଛନ୍ତି ଭିଭିଆଇପିଙ୍କ ଗସ୍ତବେଳେ ଏଭଳି ସମସ୍ୟା ସୃଷ୍ଟି ହେବ। ସାଧାରଣ ଲୋକଙ୍କୁ ଧର୍ଯ୍ୟ ଧରି ପୁଲିସକୁ ସହଯୋଗ କରିବାକୁ ପଡ଼ିବ। ତେବେ ଟ୍ରାଫିକ ପରିଚାଳନାରେ କୌଣସି ତ୍ରୁଟି ହୋଇ ନାହିଁ। ଯଥା ସମ୍ଭବ ଟ୍ରାଫିକ୍‌ ପୁଲିସ ଭିଡ଼ ହଟାଇବାକୁ ଉଦ୍ୟମ କରିଛି।

ସମ୍ବନ୍ଧିତ ଖବର