ହସ୍ପିଟାଲ କର୍ମଚାରୀଙ୍କୁ ଆସୁଛି ‌କଲ୍, ମେସେଜ୍‌
ଆର୍‌ଟି-ପିସିଆର ନମୁନା ସଂଗ୍ରହରେ ଓଟିପି ବ୍ୟବସ୍ଥା ନାହିଁ

Advertisment

ଭୁବନେଶ୍ବର : କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କିଛି ଲୋକ ରାଜ୍ୟ ସରକାର ଓ ବିଏମ୍‌ସି ଆଖିରେ ଧୂଳି ଦେବା ଲାଗି ଭିନ୍ନ ଉପାୟ ବାହାର କରିଛନ୍ତି। ଆର୍‌ଟି-ପିସିଆର୍‌ ନମୁନା ସଂଗ୍ରହ ପାଇଁ ଆବଶ୍ୟକ ପଡ଼ୁଥିବା ମୋବାଇଲ ନମ୍ବର ସ୍ଥାନରେ ନିଜ ନମ୍ବର ନଦେଇ ଅନ୍ୟର ନମ୍ବର ଦେଉଛନ୍ତି। ଫଳରେ ପଜିଟିଭ୍ ଚିହ୍ନଟ ହେବା ପରେ ରୋଗୀଙ୍କୁ କଲ ନ ଯାଇ ଅନ୍ୟ ଲୋକଙ୍କ ପାଖକୁ ଯାଉଛି। ଆଉ ପ୍ରକୃତ ବ୍ୟକ୍ତି ବାହାରେ ବୁଲି ବୁଲି ଅନ୍ୟକୁ କରୋନା ବାଣ୍ଟୁଛନ୍ତି। ରାଜଧାନୀର ଏକ ଘ‌ରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଗତ କିଛି ଦିନ ହେବ ଏଭଳି ପୁଳାପୁଳା କଲ୍‌ ଓ ମେସେଜ୍ ଆସିବାରେ ଲାଗିଛି। ଏଥିରେ ଅମକ ମିଶ୍ର, ପଣ୍ଡା ଓ ଅନ୍ୟ ସାଙ୍ଗିଆଧାରୀ ଲୋକ ପଜିଟିଭ୍ ଥିବା ନେଇ କଲ୍‌ ଆସୁଛି। ସଂପୃକ୍ତ କର୍ମଚାରୀଜଣକ ଏଥିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ସୂଚନା ମିଳିଛି। ଯଦି ରାଜଧାନୀରେ ଏଭଳି ହେଉଛି, ତାହାଲେ ରାଜ୍ୟବ୍ୟାପୀ କେତେ ଲୋକ ଏଭଳି ଢଙ୍ଗରେ ଅନ୍ୟମାନଙ୍କୁ କରୋନା ବାଣ୍ଟି ଚାଲିଛନ୍ତି, ସହଜରେ ଅନୁମାନ କରାଯାଇପାରେ।

ରାଜଧାନୀର ଏକ ଖ୍ୟାତନାମା ଘରୋଇ କ୍ଲିନିକ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ୧୦ ଦିନ ‌ତଳେ ବିଏମ୍‌ସିରୁ ଏକ କଲ୍‌ ଆସିଥିଲା। ଏଥିରେ ଜଣେ ବ୍ୟକ୍ତି ପଜିଟିଭ୍ ଥିବା କୁହାଯାଇଥିଲା। ହେଲେ ସଂପୃକ୍ତ କର୍ମଚାରୀ ଓ କଲ୍ ଆସିଥିବା ବ୍ୟକ୍ତିଙ୍କ କୌଣସି ସଂପର୍କ ନ ଥିବାରୁ ସେ ମନା କରିଦେଇଥିଲେ। ଲଗାତାର କିଛି ଦିନ ଏଭଳି କଲ୍‌ ଆସିଥିଲା ବିଏମ୍‌ସିରୁ। ତେବେ ଆରଟି-ପିସିଆର ନମୁନା ସଂଗ୍ରହ ସମୟରେ କେତେକ ବ୍ୟକ୍ତି ଜାଣିଶୁଣି ସଂପୃକ୍ତ କର୍ମଚାରୀଙ୍କ ନମ୍ବର ଦେଇଥିବାରୁ ତାଙ୍କୁ ଏପରି ବାରମ୍ବାର କଲ୍‌ ଆସୁଥିବା ଏବେ ଜଣାଯାଇଛି। ଯେହେତୁ ଆରଟି-ପିସିଆର ନମ୍ବର ସଂଗ୍ରହ ସମୟରେ କୌଣସି ଓଟିପିର ବ୍ୟବସ୍ଥା ନାହିଁ, ତେଣୁ ଜାଣିଶୁଣି ଅନ୍ୟ କାହାର ନମ୍ବର ଦେଇଦେଲେ ମଧ୍ୟ ଅସୁବିଧା ନାହିଁ। ସପ୍ତାହ ତଳେ କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟରେ ଏଭଳି ୩ ହଜାର କରୋନା ସଂକ୍ରମିତଙ୍କ ପତ୍ତା ମିଳୁ ନଥିବା ସୂଚନା ଦେଇଥିଲେ। ଏଥିରେ ଅନେକ ଭୁଲ୍‌ ନମ୍ବର ଦେବା ସହିତ ଆହୁରି କିଛି ନିଜର ଭୁଲ୍‌ ଠିକଣା ଦେଇଥିଲେ। ସେମାନଙ୍କୁ ଆର୍‌ଆର୍‌ଟି ଟିମ୍ ଖୋଜିବା ସମୟରେ ସେଠାରେ ଏଭଳି କୌଣସି ଲୋକ ରହୁ ନଥିବା ଜଣାପଡ଼ିଥିଲା। ଯାହାକୁ ନେଇ କର୍ଣ୍ଣାଟକ ସରକାର ଚିନ୍ତାରେ ଥିବା କୁହାଯାଇଥିଲା। ଓଡ଼ିଶାରେ ମଧ୍ୟ କୋଭିଡ୍‌ ତଥ୍ୟରେ ପ୍ରତ୍ୟେକ ଷ୍ଟେଟ୍‌ ପୁଲରେ ଅନେକ ଲୋକ ସଂକ୍ରମିତ ରହିଥିବା ଦର୍ଶାଯାଉଛି। ଏଥିରେ ବିଶେଷକରି ଅନ୍ୟ ରାଜ୍ୟରୁ ଆସିଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ, ଦୁଇଥର ନମୁନା ସଂଗ୍ରହ କରିଥିବା ବ୍ୟକ୍ତି ଓ ଏଭଳି ଭୁଲ୍‌ ନମ୍ବର ଓ ଠିକଣା ଦେଉଥିବା ବ୍ୟକ୍ତି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ହେଲେ ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ଦ୍ବିତୀୟ ଲହରରେ ଏଭଳି କେତେସଂଖ୍ୟକ ଲୋକ ଏମିତି ଭୁଲ୍‌ ତଥ୍ୟ ଦେଇଛନ୍ତି, ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ଷ୍ଟେଟ୍‌ ପୁଲରେ ପ୍ରଥମ ଲହର ଓ ଏ ପର୍ଯ୍ୟନ୍ତକୁ ମିଶାଇ ୧୩,୬୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସଂପର୍କରେ ଦର୍ଶାଯାଇଛି। ଏବେ ଷ୍ଟେଟ୍‌ପୁଲରେ ୨୪୪୫ଜଣ ଚିକିତ୍ସାଧୀନ ‌ରୋଗୀ ରହିଛନ୍ତି। ଏ ସଂପର୍କରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଯୋଗାଯୋଗ କରାଯାଇଥି‌ଲେ ହେଁ କୌଣସି ଉତ୍ତର ମିଳି ପାରିନାହିଁ।