ଘରେ ନିଆଁ ଲଗାଇଦେଲେ, ସଂପତ୍ତି କବ୍‌ଜା କରିନେଲେ

ମାନବାଧିକାର କମିସନଙ୍କୁ ଗୁହାରି କଲେ ମହିଳା

ଭୁବନେଶ୍ୱର : ଜଣେ ବିଧବାଙ୍କ ଘରେ ନିଆଁ ଲଗାଇଦେବା। ତାଙ୍କୁ ବେଘର କରିଦେବା। ସଂପତ୍ତିକୁ ବଳପୂର୍ବକ କବ୍‌ଜା କରିନେବା। ଏ ନେଇ ଥାନାରେ ଅଭିଯୋଗ କଲେ ପୁଲିସ ବାବୁଙ୍କ ଅଶାଳୀନ ମନ୍ତବ୍ୟ ଶୁଣିବାକୁ ପଡ଼ିଛି। ଏପରିକି ମହିଳା ଜଣକ ମଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନି। ଶେଷରେ ମହିଳା ଜଣକ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପ୍ରତାପପୁର ଗାଁର ମାଳତୀ ନାୟକ।

ସ୍ୱାମୀ ଅର୍ନ୍ତଯ୍ୟାମୀ ନାୟକଙ୍କ ଦେହାନ୍ତ ପରେ ପିଲାମାନଙ୍କ ସହ ମାଳତୀ ଗାଁରେ ରହୁଥିଲେ। ମାତ୍ର ଅସହାୟତାର ସୁଯୋଗ ନେଇ କିଛି ପଡ଼ୋଶୀ ତାଙ୍କ ଜାଗାକୁ ବଳପୂର୍ବକ କବ୍‌ଜା କରି ଘର ତିଆରି କରିବା ଆରମ୍ଭ କରିଥିଲେ। ମାଳତୀ ଏହାର ବିରୋଧ କରିବାରୁ ସେମାନେ ସମସ୍ତେ ମିଶି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରି ଥିଲେ। ମାଳତୀ ଏ ସଂର୍ପକରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ସହଯୋଗ ମିଳି ନଥିଲା। ଥାନାରୁ ନ୍ୟାୟ ନମିଳିବାରୁ ସେ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରିଥିଲେ। କୋର୍ଟରୁ ମଧ୍ୟ ଅଭିଯୁକ୍ତଙ୍କ ନାଁରେ ନୋଟିସ୍‌ ଜାରି ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ନଭେମ୍ବର ୭ ତାରିଖ ରାତିରେ ମାଳତୀ ଏବଂ ତାଙ୍କ ପିଲାମାନେ ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଥିଲେ। ସୌଭାଗ୍ୟରୁ ସେମାନେ ଏଥିରୁ ବଞ୍ଚି ଯାଇଥିଲେ। ନ୍ୟାୟ ଆଶାରେ ମାଳତୀ ଓ ତାଙ୍କ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ମାତ୍ର ତାଙ୍କୁ ଏପରି ସୁଯୋଗ ମଳି ନଥିଲା। ବାଧ୍ୟହୋଇ ମାଳତୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନଜର ତାଙ୍କ ଉପରେ ନ ପଡ଼ିବାରୁ ସେ ମାନବାଧିକର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ମାନବାଧିକାର କମିସନ ପ୍ରତିଶ୍ରୁତି ଦେଇଥିବା ମାଳତୀ କହିଛନ୍ତି।

ସମ୍ବନ୍ଧିତ ଖବର