ଭୁବନେଶ୍ୱର: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଜୋର୍ ଧରିଛି। ଆଜି ସମାଜସେବୀମାନଙ୍କ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ଓଡ଼ିଶାରେ ନିଖୋଜ ହୋଇଥିବା ମହିଳାମାନଙ୍କୁ ତୁରନ୍ତ ଖୋଜାଯିବା ସହିତ ଦୋଷୀମାନଙ୍କୁ ଦଣ୍ଡ, ସ୍କୁଲ ବେଳୁ ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ, ନିଖୋଜଙ୍କୁ ତୁରନ୍ତ ଠାବ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏଥିରେ ସମାଜସେବୀ ବାସୁଦେବ ଭଟ୍ଟଙ୍କ ସମେତ ଗିରିଜା ଶଙ୍କର ଦାସ, ବିନ୍ଦୁଜା ଉପାଧ୍ୟାୟ, ନିବେଦିତା ଶତପଥୀ, କ୍ୟାପଟେନ ମନ୍ମଥ ରାଉତରାୟ, ଛାତ୍ର ନେତା ସରୋଜ କୁମାର ସାମଲ, ତାପସ ଦେ, ମିର ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ।

Advertisment

ସପ୍ତମ ଦିନରେ ଏମ୍‌ସ ଡାକ୍ତରଙ୍କ ଧର୍ମଘଟ
ଖଣ୍ଡଗିରି: କୋଲକାତା ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଭୁବନେଶ୍ବର ଏମ୍‌ସ ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ସପ୍ତମ ଦିନରେ ପହଞ୍ଚିଛି। ଆଜି ଡାକ୍ତରୀ ଛାତ୍ରମାନଙ୍କ ପକ୍ଷରୁ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓପିଡି ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀମାନେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଏମ୍‌ସ ପରିସରରେ ପଦଯାତ୍ରା କରିଥିଲେ। ଆଜି ଏନେଇ ଏମ୍‌ସ ନିର୍ଦ୍ଦେଶକ ସିନିୟର୍‌ ରେସିଡେଣ୍ଟ ଡାକ୍ତରଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ରବିବାର ଥିବା ହେତୁ ବହୁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ଟିକେଟ୍‌ ନପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।

କସ୍‌ମୋପଲିସ୍‌ ଆପାର୍ଟମେଣ୍ଟ ଅନ୍ତେବାସୀଙ୍କ ମହମବତି ପଦଯାତ୍ରା

ଖଣ୍ଡଗିରି: କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା‌ରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଖଣ୍ଡଗିରି କସ୍‌ମୋପଲିସ୍‌ ଆପାର୍ଟମେଣ୍ଟର ଅନ୍ତେବାସୀଙ୍କ ପକ୍ଷରୁ ଏକ ନିରବ ମହମବତି ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆପାର୍ଟମେଣ୍ଟରେ ବାସ କରୁଥିବା ବହୁ ଡାକ୍ତର ଏଥିରେ ଯୋଗଦେଇଥିଲେ। କର୍ମକ୍ଷେତ୍ରରେ ମହିଳାଙ୍କ ଉପଯୁକ୍ତ ନିରାପତ୍ତା ପାଇଁ ସବୁ ସ୍ତରରେ ବ୍ୟବସ୍ଥାର କରାଯିବା ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ଆପାର୍ଟମେଣ୍ଟର ଅନ୍ତେବାସୀମାନେ ଦାବି କରିଥିଲେ।