ଭୁବନେଶ୍ବର: ଜୁନ ୧୩ ତାରିଖ, ସକାଳ ପ୍ରାୟ ୯ଟା। ବାଣୀବିହାର ରେଳ ଷ୍ଟେସନ୍‌ରେ ଜଣେ ଯୁବତୀଙ୍କୁ ଜଣେ ଦୁର୍ବୃତ୍ତ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରୁଥାଏ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇଜଣ ଯୁବକ ମଧ୍ୟ ଦୁର୍ବୃତ୍ତର ଆକ୍ରମଣରୁ ବର୍ତ୍ତିନଥିଲେ। ତେଣୁ ଉପସ୍ଥିତ ଅନ୍ୟମାନେ ଭୟରେ ଦୁର୍ବୃତ୍ତର ପାଖ ମାଡ଼ିବାକୁ ଭୟ କରୁଥାଆନ୍ତି। ଏହି ସମୟରେ ସେଠାରେ ଥିବା ମୌସୁମୀ ପରିଡ଼ା ଜରୁରୀକାଳୀନ ସହାୟତା ନମ୍ବର-୧୧୨କୁ ଫୋନ୍ କରିଥିଲେ। ସଙ୍ଗେସଙ୍ଗେ ଭିସିଆର୍‌(ଭିକ୍ଟର କଣ୍ଟ୍ରୋଲ ରୁମ)କୁ ଖବର ଚାଲିଯାଇଥିଲା ଓ ସେଠୁ ସୂଚନା ପାଇ ପିସିଆର-୫ ଅବିଳମ୍ବେ ବାଣୀବିହାର ରେଳଷ୍ଟେସନରେ ପହଞ୍ଚିଥିଲା।

Advertisment

ପିସିଆର୍‌କୁ ଦେଖି ଦୁର୍ବୃତ୍ତ ଜଣକ ଭିଏସ୍‌ଏସ୍‌ନଗର ଆଡ଼କୁ ଦୌଡ଼ି ପଳାଇଥିଲା। ତେବେ ପୁଲିସ ପ୍ରଥମେ ଯୁବତୀ ଓ ଅନ୍ୟ ଦୁଇ ଆହତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ଭିତରେ ପିସିଆର୍-୫ ଠାରୁ ସୂଚନା ପାଇ ପିସିଆର୍-୪ ଓ ୬ ଦୁର୍ବୃତ୍ତର ପିଛା କରି ଭିଏସ୍‌ଏସ୍‌ନଗର ଅଞ୍ଚଳରୁ କାବୁ କରିଥିଲା ଓ ସହିଦନଗର ଥାନା ପୁଲିସ ଜିମା ଦେଇଥିଲା। ଅଭିଯୁକ୍ତ ଥିଲା ଶିବ ପ୍ରସାଦ ସାହୁ। ଏହି ଘଟଣାରେ ଭିସିଆର୍‌ ବ୍ୟବସ୍ଥା ବିପନ୍ନଙ୍କୁ ଉପଯୁକ୍ତ ସମୟରେ ସେବା ଯୋଗାଇଥିଲା।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଜୁନ୍ ମାସରେ ରାଜଧାନୀରେ ବିଭିନ୍ନ ସମୟରେ ୮୭୫୧ଟି ଅଘଟଣ ବେଳେ ଭିସିଆର୍‌ ବ୍ୟବସ୍ଥା ବିପନ୍ନଙ୍କୁ ସହାୟତା ଯୋଗାଇ ଦେଇଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭିସିଆର୍‌ଠାରୁ ସୂଚନା ପାଇ ଭୁବନେଶ୍ବର ଜିଲ୍ଲା ପୁଲିସର ୩୫ଟି ପିସିଆର୍ ଓ ଜରୁରୀ ସହାୟତା ଭ୍ୟାନ୍ ବିପଦରେ ପଡ଼ିଥିବା ଲୋକଙ୍କୁ ସହାୟତା କରିଛି।

ମିଳିଥିବା ତଥ୍ୟ ଅନୁସାରେ ଜୁନ୍‌ ମାସରେ ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ୪୩୭୨ଟି ଫୋନ୍ କଲ୍ ଯାଇଥିବା ବେଳେ ପାଟ୍ରୋଲିଂ ବେଳେ ୪୩୭୯ଟି ଅଘଟଣ ଠାବ କରାଯାଇଛି ଓ ବିପନ୍ନଙ୍କୁ ସାହାଯ୍ୟ କରାଯାଇଛି। ଏଥିରେ ଆତ୍ମହତ୍ୟାଠୁ ଆରମ୍ଭ କରି ଗୋଷ୍ଠୀ ସଂଘର୍ଷ, ଦୁର୍ଘଟଣା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସହାୟ ଭାବେ ବୁଲୁଥିବା ଦିବ୍ୟାଙ୍ଗଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଦୃଷ୍ଟାନ୍ତ ରହିଛି। ତେଣୁ ଭିସିଆର୍‌ ମାଧ୍ୟମରେ ପ୍ରତିଦିନ ପ୍ରାୟ ୨୯୧ ଅଘଟଣ ସ୍ଥାନରେ ପହଞ୍ଚି ଲୋକଙ୍କୁ ଜରୁରୀ ସହାୟତା ପ୍ରଦାନ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।