ଭୁବନେଶ୍ବର: ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଜଣେ ଯୁବତୀଙ୍କୁ ବ୍ଲାକମେଲ୍ କରି ଆସୁଥିବା ସଂପର୍କୀୟ ଭାଇକୁ ମହିଳା ଥାନା ପୁଲିସ୍ ଗିରଫ କରିଛି। ସେ ହେଲା, ତମାଣ୍ ଡୋ କଳିଙ୍ଗ ବିହାର ଅଞ୍ଚଳର ବେଣୁଧର ବେହେରା(୩୧)। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅନନ୍ତ ପ୍ରସାଦ ସେଠୀକୁ ପୁଲିସ୍ ଆଗରୁ ଗିରଫ କରିସାରିଛି।
ସୂଚନାନୁସାରେ, ବେଣୁଧର ବିବାହିତ। କିନ୍ତୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସଂପର୍କୀୟ ଭଉଣୀ ସହ ସମ୍ପର୍କ ରଖି ଆସୁଥିଲା। ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ସେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ଉତ୍ତୋଳନ କରିନେଇଥିଲା। କିନ୍ତୁ ବାରମ୍ବାର କହିବା ପରେ ମଧ୍ୟ ବିବାହ ନ କରିବାରୁ ଯୁବତୀଜଣଙ୍କ ତାଙ୍କ ସହ ସଂପର୍କ ଛନ୍ନ କରିଦେଇଥିଲେ। ଏଥିରେ ରାଗିଯାଇ ବେଣୁଧର ତାଙ୍କୁ ବ୍ଲାକମେଲ୍ କରିଥିଲା। ସଂପର୍କ ନ ରଖିଲେ, ଉକ୍ତ ଫଟୋ ଓ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା। ଏପରିକି ତା’ ବନ୍ଧୁ ଅନନ୍ତ ପ୍ରସାଦ ସେଠୀକୁ ଫଟୋ ଏବଂ ଭିଡିଓ ପଠାଇ ଦେଇଥିଲା।
ଅନନ୍ତ ବି ଯୁବତୀଙ୍କୁ ବ୍ଲାକମେଲ୍ କରିଥିଲା। ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା। ତେଣୁ ଯୁବତୀଜଣଙ୍କ ତାକୁ ଗୁଗୁଲ ପେ’ ଜରିଆରେ ୧୩ ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଅନନ୍ତ ବି ତାଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।
ଏଥିରେ ଅତିଷ୍ଠ ହୋଇ ଶେଷରେ ଯୁବତୀଜଣଙ୍କ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍ ଏନେଇ ଏକ ମାମଲା ରୁଜ କରି ଗତ ମାସ ୨୩ ତାରିଖରେ ଅନନ୍ତକୁ ଗିରଫ କରିଥିଲା। ତା’ ନିକଟରୁ ଜବତ ମୋବାଇଲ୍କୁ ଯାଞ୍ଚ କରି ପୁଲିସ୍ ଜାଣିବାକୁ ପାଇଥିଲା ଯେ ଅନନ୍ତ ଜଣେ ଅଭ୍ୟାସଗତ ବ୍ଲାକମେଲର। ବହୁ ଝିଅଙ୍କୁ ସେ ବ୍ଲାକମେଲ୍ କରି ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା। ଆଜି ପୁଲିସ୍ ବେଣୁଧରକୁ ଗିରଫ କରିଛି।