ଝାରପଡ଼ା ଜେଲ୍‌ରେ ଟିଟୋ ଖଟି ଭିଡିଓ ଭାଇରାଲ୍ ମାମଲା: ତଦନ୍ତ ଆଳରେ ଚପିଯିବ କି ମାମଲା

ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ଗ୍ୟାଙ୍ଗଷ୍ଟର୍‌ ଟିଟୋର ଖଟି ଓ କଏଦୀଙ୍କ ହାତରେ ସ୍ମାର୍ଟଫୋନ୍‌ ଥିବା ଭିଡିଓ ଭାଇରାଲ୍ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜେଲ୍ ଭିତରେ ଭିଡିଓ ସୁଟିଂ କେମିତି ହେଲା, ସୁଟିଂ କିଏ କଲା, କେବେ ରେକର୍ଡିଂ ହୋଇଥିଲା, ଏସବୁ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏମିତିକି ଏ ବାବଦରେ ଥାନାରେ ଅଭିଯୋଗ ହୋଇଥିଲେ ବି ତଦନ୍ତ ଏ ଯାଏ ଆରମ୍ଭ ହୋଇନାହି। ଜେଲ୍‌ ଭିତରେ କୋଭିଡ୍ କଟକଣାକୁ ଉଲ୍ଲଂଘନ କରାଯାଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ପୁଲିସ ତଦନ୍ତ ପାଇଁ ତତ୍ପରତା ଦେଖାଉନାହିଁ। ଏତେ ବଡ଼ ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ ଏହା ଚପି ଯିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ଜେଲ୍ ଭିତରେ ଯେଉଁ କଏଦୀ ମୋବାଇଲ୍‌ ଫୋନ୍ ବ୍ୟବହାର କରୁଛନ୍ତି ସେମାନେ ଭିତରର ତଥ୍ୟ ବାହାରକୁ ପଠାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ଏହି ଘଟଣା ନୁହେଁ, ପୂର୍ବରୁ ଅନେକ ଥର ଝାରପଡ଼ା ଜେଲ୍ ଭିତରକୁ ମୋବାଇଲ ଫୋନ୍ ଯିବାର ଓ ବ୍ୟବହାର ହେବାର ବହୁ ନଜିର୍ ରହିଛି। କିନ୍ତୁ ତଦନ୍ତ ଆଳରେ ସବୁ ଘଟଣା ଚପି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦୁଇ ମାସ ତଳେ ସ୍ମାର୍ଟଫୋନ୍‌କୁ କେନ୍ଦ୍ର କରି ଜଣେ କଏଦୀ ମହମ୍ମଦଙ୍କୁ ଆକ୍ରମଣ ହୋଇଥିଲା। ଫୋନ୍‌ କରିବା ପରେ ସେ ବାବଦରେ ଟଙ୍କା ନ ମିଳିବାରୁ ୫ କଏଦୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ବିନା ତଦନ୍ତରେ ମାମଲା ଚପି ଯାଇଥିଲା।

ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି ଯେ ଜେଲ୍‌ ଭିତରକୁ ମୋବାଇଲ ଫୋନ୍, ନିଶାଦ୍ରବ୍ୟ ଯିବା ପଛରେ ନିଶ୍ଚିତ ଭାବେ କର୍ମଚାରୀଙ୍କ ହାତ ରହିଛି। ସେମାନଙ୍କ ବିନା ସହାୟତାରେ ଜେଲ୍ ଭିତରକୁ ଆପତ୍ତିଜନକ ସାମଗ୍ରୀ ଯାଇପାରିବ ନାହିଁ। ଯେଉଁ କର୍ମଚାରୀମାନେ ଏଭଳି ସହାୟତା ପ୍ରଦାନରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଜେଲ୍‌ ଭିତରକୁ ଗୁଟ୍‌ଖା, ସିଗାରେଟ୍ ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଯିବା ମଧ୍ୟ ନିଷିଦ୍ଧ। ମୋବାଇଲ୍‌ ଯିବା ମଧ୍ୟ ସାଂଘାତିକ ଅପରାଧ। ମୋବାଇଲ ଫୋନ୍ ଜରିଆରେ ଜେଲ୍ ଭିତରୁ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ସହ ସଚ୍ଚୋଟ କର୍ମଚାରୀ ଓ ବିରୋଧୀଙ୍କ ଜୀବନ ପ୍ରତି ବିପଦ ରହିଥାଏ। ୨୦୦୯ ମସିହାରେ ଝାରପଡ଼ା ଜେଲ୍‌ ୱାର୍ଡର୍‌ ମାନସ ନାୟକଙ୍କୁ ଗୁଳି କରି ହତ୍ୟା କରାଯିବା ଏହାର ଜ୍ବଳନ୍ତ ଉଦାହରଣ। ଗ୍ୟାଙ୍ଗଷ୍ଟର୍‌ ବିକ୍ରମ ମଲ୍ଲିକ ଜେଲ୍ ଭିତରେ ରହି ମୋବାଇଲ ଫୋନ୍‌ରେ ଯୋଗାଯୋଗ କରି ସହଯୋଗୀଙ୍କ ଦ୍ବାରା ତାଙ୍କୁ ହତ୍ୟା କରିଥିଲା। ତେଣୁ ଜେଲ୍‌ ଭିତରକୁ କଏଦୀମାନଙ୍କ ପାଖକୁ ମୋବାଇଲ୍‌ ଫୋନ୍‌ ପହଞ୍ଚାଇବା ଦ୍ବାରା ସଂଗିନ୍ ଅପରାଧ ଘଟିଥାଏ। ଅଥଚ ଗ୍ୟାଙ୍ଗଷ୍ଟର ଟିଟୋର ଖଟି ହେଉ ବା କଏଦୀମାନେ ମୋବାଇଲ୍‌ ‌ଫୋନ୍‌ ବ୍ୟବହାର କରୁଥିବା ଭିଡିଓକୁ ପୁଲିସ ଗୁରୁତ୍ବର ସହ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର