ଭୁବନେଶ୍ୱର: କୋଭିଡ୍-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ନୋଟିସ୍ ପାଇଥିବା ଏକ ଘରୋଇ ଟିଭି ଚ୍ୟାନେଲ ଓ ତା’ ନ୍ୟୁଜ୍ ପୋର୍ଟାଲର ୩ କର୍ମଚାରୀଙ୍କୁ ଗତକାଲି କ୍ୟାପିଟାଲ ଥାନା ପୁଲିସ ଜେରା କରିଥିଲା। ଆଜି ନ୍ୟୁଜ୍ ପୋର୍ଟାଲ୍ର ବାର୍ତ୍ତା ସମ୍ପାଦକଙ୍କୁ ପୁଣି ୩ ଘଣ୍ଟା ଜେରା କରାଯାଇଛି। ତେବେ ତାଙ୍କଠାରୁ ଆବଶ୍ୟକ ତଥ୍ୟ ମିଳି ନଥିବାରୁ ତାଙ୍କୁ ଆଉ ଥରେ ଜେରା କରାଯିବ ବୋଲି ପୁଲିସ୍ କହିଛି। ଶୁକ୍ରବାର ସଂସ୍ଥାର ଅନ୍ୟମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ବାର୍ତ୍ତା ସଂପାଦକ କ୍ୟାପିଟାଲ୍ ଥାନାରେ ପହଞ୍ଚିଥିଲେ। ରାତି ୯ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା। ଆଜି ଅପରାହ୍ଣରେ ହାଜର ହେବା ପରେ ତାଙ୍କୁ ରାତି ୮ ପର୍ଯ୍ୟନ୍ତ ଜେରା କରାଯାଇଛି। ନ୍ୟୁଜ୍ ପୋର୍ଟାଲରେ ଉକ୍ତ ଅଡିଓ ପ୍ରସାରଣ ହେବା ପରେ ତାକୁ କେତେ ଜଣ ସେୟାର କରିଥିଲେ? କର୍ମଚାରୀମାନେ କାହାକୁ ବ୍ୟକ୍ତିଗତ ଭାବେ ପଠାଇଥିଲେ କି? ଭାଇରାଲ ବାର୍ତ୍ତାଳାପ କେମିତି ଆସିଲା? ଏ ସବୁର ଉତ୍ତର ଖୋଜିଛି ପୁଲିସ୍।
ସୂଚନାଯୋଗ୍ୟ, କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଏକ ଫୋନ୍ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା। ଏହା ଏକ ବୈଦ୍ୟୁତିକ ଗଣମାଧ୍ୟମର ନ୍ୟୁଜ୍ ପୋର୍ଟାଲରେ ପ୍ରସାରଣ ହୋଇଥିଲା। ତେବେ ଏହି ଅଡିଓରେ ଥିବା ତଥ୍ୟକୁ ସଂପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇ ବିଏମ୍ସି ପକ୍ଷରୁ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଡିଓ ଟେପ୍ରେ କଥା ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ସଂସ୍ଥାର ୩ଜଣଙ୍କୁ ହଜାର କରିବା ପାଇଁ ନୋଟିସ୍ କରିଥିଲା।