ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୫ମାସ ପୂରିଛି। କ୍ରାଇମ୍ବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ପୁଣି ଥରେ ଏୟାରଫିଲ୍ଡ ଥାନାର ଦ୍ବାରସ୍ଥ ହୋଇଛନ୍ତି। କେତେକ ତାଙ୍କୁ ସୋସିଆଲ ମିଡିଆ ଓ ୱେବ୍ ଚାନେଲ୍ରେ ବଦନାମ କରୁଥିବା ଅଭିଯୋଗ ଆଣିଛନ୍ତି। ଯାହା ସବୁ ଏଥିରେ ତାଙ୍କ ବିରୋଧରେ ପ୍ରଚାର ହେଉଛି, ତାହା ମିଛ ବୋଲି ସେ କହିଛନ୍ତି। ମାମଲାର ତଦନ୍ତ ଚାଲିଥିବା ବେଳେ ଏଭଳି ବଦନାମ କରିବା ବା ଦୋଷୀ କରିବା ଅପରାଧ ବୋଲି ବିବେଚନା କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଏତଲାରେ ଲେଖିଛନ୍ତି।
ପୂର୍ବରୁ ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ଯୁବକ ତାଙ୍କୁ ଫେସ୍ବୁକ୍ରେ ବଦନାମ୍ କରୁଥିବା ନେଇ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟ ଶୁଭାଶିଷଙ୍କୁ ତାଗିଦ୍ କରିଥିଲେ। ଆଦିତ୍ୟ ମୃତ୍ୟୁକୁ ନେଇ କୌଣସି ପ୍ରକାରର ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କଟକଣା କରିଥିଲେ। ହେଲେ ଗତ ୧୩ ତାରିଖରେ ଶୁଭାଶିଷ ଫେସ୍ବୁକ୍ରେ ଲାଇଭ୍ ଆସି ଏହି ପ୍ରସଙ୍ଗରେ ଅନେକ କଥା କହିଥିଲେ। ଯଦିଓ ଆଦିତ୍ୟ କିମ୍ବା ବିଦ୍ୟାଶ୍ରୀଙ୍କ ନାଁ ନେଇ ନାହାନ୍ତି, କିନ୍ତୁ ଏହି ପ୍ରସଙ୍ଗରେ ହିଁ ସେ ୩୭ ମିନିଟ୍ ୪୯ସେକେଣ୍ଡର ଲାଇଭ୍ କରିଛନ୍ତି।