ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ କବୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଓ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କବୀ ବିଦ୍ୟୁତ୍‌ପ୍ରଭାଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ନାରୀବାଦ, ନାରୀ ସଶକ୍ତୀକରଣ, ସାମାଜିକ ନ୍ୟାୟ ଓ ନାରୀ ସ୍ୱାଧୀନତାକୁ ବିଦ୍ୟୁତ୍‌ପ୍ରଭା ଦେବୀ ନିଜ କବିତାରେ ଗୁରୁତ୍ୱ ଦେଉଥିଲେ ବୋଲି ଶ୍ରୀ ମହାନ୍ତି କହିଥିଲେ। ବିଶିଷ୍ଟ ସାହିତ୍ୟିକା ସଂଘମିତ୍ରା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ କାବ୍ୟ ସାହିତ୍ୟକୁ ବିଦ୍ୟୁତ୍‌ପ୍ରଭାଙ୍କ ଅତୁଳନୀୟ ଅବଦାନ ତଥା ତାଙ୍କ କବିତାର ଅନନ୍ୟ ରଚନାଶୈଳୀ ଓ ଶବ୍ଦ ସଂଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଚେୟାର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କବୀଙ୍କ ଜୀବନୀ ଓ ତାଙ୍କର ସାମଗ୍ରିକ ସାହିତ୍ୟକୃତି ବିଷୟରେ ମତ ଦେଇଥିଲେ।
ସହଯୋଗୀ ପ୍ରଫେସର ଧୀରଜ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ କବୀ ବିଦ୍ୟୁତ୍‌ପ୍ରଭାଙ୍କ ରଚନାରୁ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଛାତ୍ରୀମାନେ ବୃନ୍ଦ ସଙ୍ଗୀତ ପରିବେଷଣ କରିଥିଲେ। ସହକାରୀ ପ୍ରଫେସର ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ସ୍ନାତକୋତ୍ତର ବିଭାଗ ମୁଖ୍ୟ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲା ବେଳେ ଜ୍ଞାନରଞ୍ଜନ ପଣ୍ଡ‌ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।