୫ ଦଶନ୍ଧିରୁ ଅଧିକ ସମୟ ଧରି ନାଟକରେ ତାଙ୍କ ଅଭିଜ୍ଞତା। ଚଳଚ୍ଚିତ୍ରଠାରୁ ନାଟକ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ସେ ଅଭିନୟର ଛାପ ଛାଡ଼ିଛନ୍ତି। ୧୦୦ଟି ଯାତ୍ରା ଓ ଶତାଧିକ ନାଟକରେ ନିର୍ଦ୍ଦେଶନା, ୩୦ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପ୍ରତିଭାର ଶ୍ରେଷ୍ଠ ନିଦର୍ଶନ ଦେଇଛନ୍ତି। ଜେଜେ ତୁମେ ମିଛ କହି‌ଲ, କାନିରେ ପଡ଼ିଛି ଗଣ୍ଠି, ଗୁରୁଦକ୍ଷିଣା, ସବାରି ଚାଲେ ଧୀରେଧୀରେ ଓ ଟିଙ୍ଗା ବୁଢ଼ା ତାଙ୍କର ସୁପରହିଟ୍ ନାଟକ ହୋଇଥିବା ବେଳେ ଥୁକୁଲ, ଜୀଅନ୍ତା ଭୂତ, କିଏ ଜିତେ କିଏ ହାରେ, ରାମ ରହିମ, ଦଣ୍ଡା ବାଳୁଙ୍ଗା, ଭୁଲି ହୁଏନା, ମୀମାଂସା, ମୁଁ ଖାଣ୍ଟି ଓଡ଼ିଆ ଝିଅ, ସପନର ପଥେ ପଥେ ଆ‌ଦି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଅବିସ୍ମରଣୀୟ। ନାଟକରେ ଜୀବନବ୍ୟାପୀ ସାଧନ କରିଥିବା ବେଳେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଚଳିତଥର ତାଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ କରିଛି। ୨୦୨୧ ମସିହା ପା‌ଇଁ ‌ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପାଇବାକୁ ଯାଉଛନ୍ତି ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର’। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ମନୋଜ ପଟ୍ଟନାୟକଙ୍କ ସହ ସାକ୍ଷାତକାର...

Advertisment

ନାଟକ ସହ ଆପଣଙ୍କ ସମ୍ପର୍କ କେତେ ପରୁଣା?
ମୁଁ ସେତେବେଳେ ମାତ୍ର ୬ ମାସର ହୋଇଥିଲି। ବାପା ଗାଁରେ ଏକ ନାଟକର ନିର୍ଦ୍ଦେଶନା ଦେଉଥିବା ବେଳେ ଗୋଟେ ‌ନବଜାତକର ଆବଶ୍ୟକତା ପଡ଼ିଲା। ସେତେବେଳେ ସେ ମୋତେ ମଞ୍ଚକୁ ନେଇ ଯାଇଥିଲେ। ହେତୁ ପାଇବା ପରେ ପରିବାର ଲୋକଙ୍କଠାରୁ ଏକଥା ଶୁଣିଛି। ତେଣୁ ନାଟକ ମୋ ଆଦ୍ୟଜୀବନ ସହ ଜଡ଼ିତ ବୋଲି ମୁଁ କହିପାରିବି। ମୁଁ ମଞ୍ଚକୁ ମୋ ମା’ ଭାବି ନେଇଛି। ଶିଶୁ କଳାକାର ଭାବେ ବହୁତ ନାଟକରେ ଅଭିନୟ କରିଛି। ଅଷ୍ଟମ ପଢ଼ୁଥିବା ବେଳେ ମୁଁ ଗାଁ ନାଟକରେ ଅଭିନୟ କରେ। କିଛି ନାଟକ ନିର୍ଦ୍ଦେଶନା ବି ଦେଇଥିଲି। ତେବେ ୧୯୭୦ ମସିହାରେ ରାଜଧାନୀରେ ପାଦ ଥାପିବା ପରଠାରୁ ମୁଁ ଲଗାତାର ଭାବେ ନାଟକ କରିଆସୁଛି। ୧୯୭୯ରେ ‘ମନନ’ ଗଢ଼ିଲି। ମୋର ପ୍ରଥମ ନାଟକ ଥିଲା ‘ହୟବଦନ’। ବର୍ତ୍ତମାନ ସୁଦ୍ଧା ୨୨ଟି ନାଟକ ଲେଖିଛି, ଶହେରୁ ଊର୍ଦ୍ଧ୍ବରେ ନିର୍ଦ୍ଦେଶନା ଦେଇଛି।
ଶିକ୍ଷକତା ଛାଡ଼ି ଅଭିନୟ ଓ ନିର୍ଦ୍ଦେଶନା ଭଳି ବୃତ୍ତି ବାଛିଲେ। ଏ ନିଷ୍ପତ୍ତି ନେଲା ବେଳେ ମନରେ ଦ୍ବନ୍ଦ୍ବ ଆସି ନଥିଲା?
କିଛି ଦ୍ବନ୍ଦ୍ବ ନଥିଲା। କେବଳ ଜଣେ ସମର୍ପିତ କଳାକାର ଭାବେ ମୁଁ ନାଟକ ପାଇଁ ବଞ୍ଚିବାକୁ ଚାହୁଥିଲି। ସେଥିପାଇଁ ଚାକିରି ଛାଡ଼ିଦେଲି। କିନ୍ତୁ ମୋର ଏ ନିଷ୍ପତ୍ତିରେ ବାପା ମନ କଷ୍ଟ କରିଥିଲେ। ନାଟକରୁ ମୁଁ ପରିଚୟ ପାଇବି ବା ରୋଜଗାର କରିବି, ବିଶ୍ବାସ ନଥିଲା। ୧୯୭୦ ମସିହାରୁ ମୁଁ ସ୍କୁଲ, କଲେଜ ଓ କ୍ଲବରେ ନାଟକ କରି ଟଙ୍କା ରୋଜଗାର କରୁଥାଏ। ୧୯୭୬ରେ ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ୍ରାମାରେ ନାମ ଲେଖାଇଥିଲି। ୧୯୮୧ ମସିହାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ସଙ୍ଗୀତ ଓ ନାଟକ ବିଭାଗରେ ଚାକିରି ପାଇଲି। କିନ୍ତୁ ନାଟକକୁ କେବେ ଛାଡ଼ିନି। ନାଟକ ହିଁ ମୋ ନିୟତି ଥିଲା ବୋଲି ଏବେ ମୁଁ ଭାବୁଛି।
ବିଶ୍ବରେ, ଦେଶରେ ଓ ଓଡ଼ିଶାରେ ଏବେ ନାଟକର ସ୍ଥିତି କ’ଣ?
ଆଦୌ ଭଲ ନାହିଁ। ତଥାପି ଲାଇଭ୍‌ ପ୍ରଦର୍ଶନର ଅଲଗା ମଜା ଥାଏ। ସେଥିପାଇଁ ତ’ ଅପେରା ଓ ନାଟକର ଏବେ ବି ଚାହିଦା ରହିଛି। କିନ୍ତୁ ଆମ ଓଡ଼ିଶାରେ ନାଟ୍ୟ ମଞ୍ଚ ପ୍ରତି ସମର୍ପଣ, ନିଷ୍ଠାର ଅଭାବ ରହୁଛି। ଫଳରେ ପ୍ରତିଭା ଥାଇ ବି ଆମେ ଓଡ଼ିଆ ପଛରେ ପଡ଼ି ଯାଉଛେ।
‌ଲୋକେ ଏବେ ନାଟକ ଦେଖିବା ପାଇଁ ଟଙ୍କା ଦେବାକୁ ରାଜି ହେଲେଣି। ଏ ପରିବର୍ତ୍ତିତ ଧାରାକୁ ଆପଣ କେମିତି ଦେଖୁଛନ୍ତି?
ମାଗଣା ଦେଖିବା ମାନସିକତାକୁ ଧୀରେଧୀରେ ଭାଙ୍ଗିବାକୁ ପଡ଼ିବ। ‘ଆହେ ନୀଳଶଇଳ’ ଭଳି ନାଟକକୁ ଲୋକେ ୩୦୦ଟଙ୍କା ଦେଇ ଦେଖିଛନ୍ତି। ଏହା ପ୍ରମାଣିତ କରିଛି ଯେ ନାଟକର କାହାଣୀ, ଅଭିନୟ, ମଞ୍ଚସଜ୍ଜା ଓ ନିର୍ଦ୍ଦେଶନା ଭଲ ହେଲେ, ଲୋକେ ଟଙ୍କା ଦେବାକୁ ପ୍ରସ୍ତୁତ। ତେଣୁ ‘ମନନ’ ପକ୍ଷରୁ ଆଗାମୀ ଦିନରେ ମଞ୍ଚସ୍ଥ ହେବାକୁ ଥିବା ନାଟକ ପାଇଁ ଆମେ ଟିକେଟ୍‌ ଦର ୧୦୦ ଟଙ୍କା ରଖିବୁ ବୋଲି ନିଷ୍ପତ୍ତି ନେଇଛୁ। ଏହା ଦ୍ବାରା ନାଟ୍ୟ କଳାକାରଟିଏ ମଧ୍ୟ ରୋଜଗାର କରି ପରିବାର ଚଳାଇ ପାରିବ।
ମଞ୍ଚରେ କଳା ଦେଖାଇ କଳାକାରଟିଏ କ’ଣ ପରିବାର ପ୍ରତିପୋଷଣ କରିପାରିବ?
ନା ସମ୍ଭବ ନୁହେଁ। ମୁଁ ଚାକିରିଟିଏ କରିନଥିଲେ ଏତେ ସଂଖ୍ୟାରେ ନାଟକ କରିବା ବି ସମ୍ଭବ ହୋଇ ନଥାନ୍ତା। ଅନେକ ସମୟରେ ଆମେ ନାଟକ କରିବା ପାଇଁ ସାରୁଥିବା ଅର୍ଥ ବି ଆଦାୟ କରିବା ସମ୍ଭବ ହୁଏନି। କଳାକାରଙ୍କୁ ଦେବା ତ’ ବହୁ ଦୂରର କଥା।
ଓଡ଼ିଶାରେ ନାଟ୍ୟ ସଂସ୍ଥା ବା ନାଟ୍ୟ କଳାକାରମାନଙ୍କୁ ମିଳୁଥିବା ସହାୟତା ରାଶି କ’ଣ ପର୍ଯ୍ୟାପ୍ତ?
ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ନ୍ୟାୟରେ ସହାୟତା ରାଶି ମିଳୁଛି। ବର୍ଷକୁ ସରକାର ଏକ ନାଟ୍ୟ ସଂସ୍ଥାକୁ ୧ ଲକ୍ଷ ୧୦ ହଜାର ଟଙ୍କା ଦେଉଥିବା ବେଳେ ନାଟ୍ୟ ସଂସ୍ଥାମାନେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରୁଛନ୍ତି। ଦର୍ଶକ ଟିକେଟ୍‌ କାଟି ନାଟକ ଦେଖିବାକୁ ନାରାଜ ଥିବା ବେଳେ ପୃଷ୍ଠପୋଷକର ଅଭାବ ନାଟ୍ୟ କଳାକୁ ମାରିବାକୁ ବସିଲାଣି। ପୁଣି କରୋନା ପରେ ନାଟ୍ୟ ସଂସ୍ଥାମାନଙ୍କୁ ମିଳୁଥିବା ୫୦% ରିହାତି ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି।
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇ କେତେ ଖୁସି?
ଖୁସି ଯେତିକି, ତା’ଠାରୁ ବ୍ୟଥିତ ଅଧିକ। ଦୀର୍ଘ ୬୦ ବର୍ଷ ପରେ ନାଟ୍ୟ ଅଭିନୟ ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ମିଳିଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ। ୧୯୬୧ ମସିହାରେ ଶେଷଥର ପାଇଁ ସାମୁଏଲ୍‌ ସାହୁ (ବାବି) ନାଟ୍ୟ ଅଭିନୟରେ ଏହି ପୁରସ୍କାର ପାଇଥିଲେ। ଏହି ୬୦ ବର୍ଷରେ କ’ଣ ଜଣେ ବି କଳାକାର ବା ନିର୍ଦ୍ଦେଶକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହୋଇ ନଥିଲେ?