ଭୁବନେଶ୍ୱର: ୧୮ ଶହ ଟଙ୍କା ଲାଞ୍ଚ ନେଇ ବାଇକ୍ରେ ଖସି ପଳାଉଥିବା ଭୁବନେଶ୍ୱର ତହସିଲର ଜଣେ ମହିଳା ଅମିନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପ୍ରାୟ ୨ କିମି ପିଛା କରି ଗିରଫ କରିବା ଘଟଣା ଆଜି ଚର୍ଚାର ବିଷୟ ହୋଇଛି। ତାଙ୍କ ନାଁ ମନସ୍ୱିନୀ ଖଡ଼ିରତ୍ନ। ଘର ବଡ଼ଗଡ଼ ବ୍ରିଟ୍ କଲୋନିରେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ତାଙ୍କ ଜାମିନ୍ ନାମଞ୍ଜୁର ହୋଇ ଯାଇଛି। ଗିରଫ ହେବା ପରେ ମନସ୍ୱିତୀଙ୍କ ବଡ଼ଗଡ଼ ସ୍ଥିତ ଘର ଓ ଗାଁ ଘରେ ଭିଜିଲାନ୍ସ ଚଢ଼ଉ କରି ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି।
ବାଇକ୍ରେ ଖସି ପଳାଉଥିଲେ
୨ କିମି ପିଛା କରି ଧରିଲା ଭିଜିଲାନ୍ସ
ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧଉଳି ଥାନା ଅଧୀନ ଡିହପୁରର ପ୍ରଫୁଲ୍ଲ ବରାଳ ନାମକ ଜଣେ ଚାଷୀ ନିଜ ପୈତୃକ ସମ୍ପତ୍ତିର ମାଚୁପପ କରିବାକୁ ଭୁବନେଶ୍ୱର ତହସିଲରେ ଆବେଦନ କରିଥିଲେ। ଏହା ପରେ ତହସିଲଦାର ଅମିନ ମନସ୍ୱିନୀ ଖଡ଼ିରତ୍ନଙ୍କୁ ଜମି ମାପଚୁପ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏଥିପାଇଁ ସେ ପ୍ରଫୁଲ୍ଲଙ୍କଠାରୁ ୨ ହଜାର ଟଙ୍କା ଦାବି କରିଥିଲେ। ଜଣେ ଗରିବ ଚାଷୀ ହୋଇଥିବାରୁ ସେ ଏତେଗୁଡିଏ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। ମାତ୍ର ଅମିନ କିଛି ଶୁଣି ନ ଥିଲେ। ଶେଷରେ ୧୮ଶହ ଟଙ୍କାରେ କଥା ଛିଡ଼ିଥିଲା। ଏ ନେଇ ପ୍ରଫୁଲ୍ଲ ଭିଜିଲାନ୍ସ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଆଜି ଅପରାହ୍ଣରେ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ମନସ୍ୱିନୀ ୧୮ଶହ ଟଙ୍କା ଲାଞ୍ଚ ନେଲାବେଳେ ତାଙ୍କୁ ଧରିବାକୁ ଭିଜିଲାନ୍ସ ଟିମ୍ ଯୋଜନା କରିଥିଲା। ମାତ୍ର ଲାଞ୍ଚ ଟଙ୍କା ନେଲା ପରେ ମନସ୍ୱିନୀ ଭିଜିଲାନ୍ସ ଚଢ଼ଉର ସୁରାକ୍ ପାଇ ବାଇକ୍ରେ ଦ୍ରୁତ ବେଗରେ ଖସି ପଳାଇଥିଲେ। ଏହା ଦେଖି ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରିଥିଲା। ଶେଷରେ ପ୍ରାୟ ୨ କିମି ପିଛା କଲା ପରେ ଦୟା ବ୍ରିଜ୍ ଉପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ ଏବଂ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ସଂଗେ ସଂଗେ ମନସ୍ୱିନୀଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ପରେ ତାଙ୍କର ବିଭିନ୍ନ ସମ୍ପର୍କୀୟଙ୍କ ଘର ଓ ବଡ଼ଗଡ଼ଠାରେ ଥିବା ଘରେ ଚଢ଼ଉ କରାଯାଇଥିଲା।