ଭୁବନେଶ୍ବର: ଭିଜିଲାନ୍ସ ଡିଏସ୍ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ ଘଟଣାରେ ଗିରଫ ୩ ଅଭିଯୁକ୍ତ ମୁନା, ଲଣ୍ଡା ଓ ପିଣ୍ଟୁ ଜେଲ୍ ଯାଇଛନ୍ତି। ଆଜି କୋର୍ଟଚାଲାଣ କରାଯିବା ପରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ତେଣୁ ସେମାନଙ୍କୁ ଝାରପଡ଼ା ବିଚାରବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ୩୦ଗ୍ରାମ୍ ଓଜନର ୩ଟି ସୁନା ଚେନ୍, ଏକ ଦେଶୀ ରିଭଲଭର୍, ୩ଟି ଜୀବନ୍ତ ଗୁଳି, ଗୋଟିଏ କଟୁରି ଓ ଦୁଇଟି ବାଇକ୍ ପୁଲିସ୍ ଜବତ କରିଛି। ମୁନା ନାମରେ ପିପିଲି ଓ ଧଉଳି ଥାନାରେ ୨୧ଟି ମାମଲା ଥିବା ବେଳେ ଲଣ୍ଡା ନାମରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ସେହିଭଳି ପିଣ୍ଟୁ ନାମରେ ମଧ୍ୟ ମାମଲା ରହିଥିବା ପୁଲିସ କହିଛି। ନିକଟ ଅତୀତରେ ଖାରବେଳ ନଗର ଥାନା ଅଞ୍ଚଳରେ ଭିଜିଲାନ୍ସ ଡିଏସ୍ପିଙ୍କୁ ଲୁଟିଥିବା ବେଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନର୍ସଙ୍କୁ ବନ୍ଧୁକ ମୁନରେ ଲୁଟ୍ କରିଥିଲେ। ଏହି ଗ୍ୟାଙ୍ଗ୍ର ଆଉ କେତେକ ସଦସ୍ୟ ଫେରାର୍ ଅଛନ୍ତି। ଆଉ ଦୁଇଟି ଟିମ୍ ଏହି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଗ୍ୟାଙ୍ଗ୍ର ମୁଖିଆ ହେଉଛି, ପିପିଲି କୁଳେଶ୍ବର ପାଟଣାର ଦେବରାଜ ଜେନା ଓରଫ ମୁନା। ତା’ ସହିତ ପିପିଲି ଦାସପାଟଣାର ବିଜୟ କୁମାର ସାମନ୍ତରାୟ ଓରଫ ପିଣ୍ଟୁ ମିଶି ଲୁଟପାଟ୍ କରୁଥିଲା। କିଛି ବର୍ଷ ହେବ ବ୍ରହ୍ମପୁର ଗାନ୍ଧୀନଗରର ଅଶୋକ ବେହେରା ଓରଫ ଲଣ୍ଡା ଏମାନଙ୍କ ଗ୍ୟାଙ୍ଗ୍ରେ ସାମିଲ ହୋଇଥିଲା। ସେ ଜଟଣୀରେ ଦୀର୍ଘ ବର୍ଷ ହେବ ରହୁଥିଲା। ପ୍ରଥମେ ମୁନାକୁ ସ୍ପେସାଲ ସ୍କ୍ବାଡ୍ ଉଠାଇ ଆଣିବା ପରେ ଲଣ୍ଡା ଓ ପିଣ୍ଟୁ ଧରାପଡ଼ିଥିଲେ। ଡିଏସ୍ପିଙ୍କୁ ଲୁଟ୍ କରିବାର ୧୨ ଦିନ ପରେ କମିସନରେଟ୍ ପୁଲିସକୁ ଏହି ସଫଳତା ମିଳିଥିଲା।
ସୂଚନା ମୁତାବକ, ଗତ ୨୬ ତାରିଖ ଭୋର୍ରୁ ୟୁନିଟ୍-୩ ଖାରବେଳନଗର ଆଇବି-ଭି-୨୫/୩ରେ ରହୁଥିବା ମହିଳା ଡିଏସ୍ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ସୁନା ଚେନ ଛଡ଼ାଇ ନେଇଥିଲେ। ସ୍ପେସାଲ ସ୍କ୍ବାଡ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯିବା ସହ ଖୋଳତାଡ଼ ଆରମ୍ଭ ହୋଇଥିଲା। ନିକଟ ଅତୀତରେ ଧରାପଡ଼ିଥିବା ଏକ ଲୁଟେରା ଗ୍ୟାଙ୍ଗ୍ ନିକଟରୁ ଏହି ଅପରାଧୀଙ୍କ ବାବଦରେ ସୂଚନା ମିଳିଥିଲା। ସ୍ପେଶାଲ ସ୍କ୍ବାଡ୍ ମୁଖ୍ୟ ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍ ଏହି ଲୁଟେରାଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଏହି ଲୁଟେରାମାନେ ଡିଏସ୍ପିଙ୍କୁ ଲୁଟ୍ କରିବା ଦିନଠାରୁ ଫେରାର୍ ଥିଲେ। ଦୁଇ ଦିନ ତଳେ ଗ୍ୟାଙ୍ଗ୍ ମୁଖିଆ ମୁନାର ମୋବାଇଲ୍ ଅନ୍ ହେବା ପରେ ଲୋକେସନ୍ ଖୋର୍ଧା ଦେଖାଇଥିଲା। ବିଳମ୍ବିତ ରାତିରେ ଖୋର୍ଦ୍ଧା- ବୋଲଗଡ଼ ରାସ୍ତାରେ ମୁନାକୁ ଗିରଫ କରାଯିବା ପରେ ତା’ ପରଦିନ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।