ଭୁବନେଶ୍ବର: ସିବିଆଇ, ଭିଜିଲାନ୍ସ ଏବଂ ସରକାରୀ ଆଇନ ବ୍ୟବସ୍ଥା କେବଳ ଦୁର୍ନୀତିକୁ ରୋକିପାରିବ ନାହିଁ। ଏହାର ମୂଳୋତ୍ପାଟନ ପାଇଁ ଦେଶର ନାଗରିକମାନଙ୍କୁ ମଙ୍ଗ ଧରିବାକୁ ହେବ। ଆଜି ଓପିଟିସିଏଲ୍‌ର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଏଭଳି ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଶକ୍ତି ସଚିବ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତି, ଅର୍ଥ ନି‌ର୍ଦ୍ଦେଶକ ବିଭୁ ପ୍ରସାଦ ମହାପାତ୍ର ଏବଂ ବାଣିଜ୍ୟ ନିର୍ଦେଶକ ମାନସ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ସାଗରିକା ମଲ୍ଲିକ, ଇଂରାଜୀ ପ୍ରବନ୍ଧରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରେରଣା ପାତ୍ର ଓ ବକ୍ତୃତାରେ ଆକାଂକ୍ଷା ମହାପାତ୍ର ଏବଂ କର୍ମଚାରୀମାନଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ସିଦ୍ଧାନ୍ତ ପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଭାମାନଙ୍କୁ ଶ୍ରୀ ଶର୍ମା ପୁରସ୍କୃତ କରିଥିଲେ।