ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ ମାମଲା: ଦୁର୍ନୀତି କରିବାକୁ ଖୋଲା ଛାଡ଼ିଥିଲା ଓଏସ୍‌ଏସ୍‌ସି!

ଘଣ୍ଟ ଘୋଡ଼ାଉଥିଲେ କି ବିଭାଗୀୟ କର୍ତ୍ତୃପକ୍ଷ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି) ସଦସ୍ୟଙ୍କ କୁବେର ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଧରା ପଡ଼ିବା ପ‌ରଠୁ ତାଙ୍କ ଅମାପ ସମ୍ପତ୍ତିର ଉତ୍ସ ଜାଣିବା ଲାଗି ଖୋଳତାଡ଼ କରୁଛି ଭିଜିଲାନ୍ସ। ବର୍ଷ ବର୍ଷ ଧରି ଓଏସ୍‌ଏସ୍‌ସିରେ ନିଯୁକ୍ତି ଦୁର୍ନୀତି ‌କରି ବିରଞ୍ଚି କୋଟିକୋଟି କଳାଟଙ୍କାର ମାଲିକ ହୋଇଥିଲେ ବୋଲି ଜଳଜଳ ଦେଖାଯାଉଛି। କିନ୍ତୁ ଏତେ ବଡ଼ ଦୁର୍ନୀତିରେ ଏ ପର୍ଯ୍ୟନ୍ତ ବିରଞ୍ଚିଙ୍କୁ ଛାଡ଼ି ଓଏସ୍‌ଏସ୍‌ସିର କୌଣସି ବଡ଼ମୁଣ୍ଡଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ନ କରିବାରୁ ତଦନ୍ତର ସ୍ବଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂରା ମାମଲାକୁ ଅନୁଧ୍ୟାନ କଲେ ଜଣେ ସହଜରେ ଜାଣିପାରିବ ଯେ ଦୁର୍ନୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥାଆନ୍ତୁ ବା ନ ଥାଆନ୍ତୁ; ଓଏସ୍‌ଏସ୍‌ସିର ବଡ଼ମୁଣ୍ଡମାନେ ବିରଞ୍ଚିଙ୍କୁ ଦୁର୍ନୀତି କରିବା ପାଇଁ ଖୋଲା ଛାଡ଼ି ଦେଇଥିଲେ। କାରଣ ବିରଞ୍ଚିଙ୍କ ବିରୋଧରେ ଏଭଳି ଅଭିଯୋଗ ନୂଆ ନୁହେଁ। ଉପରିସ୍ଥ ଅଧିକାରୀଙ୍କ ନିକଟରେ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ସାଙ୍ଗକୁ ଅବୈଧ ଉପାୟରେ ଅର୍ଥ ଆଦାୟର ଅଭିଯୋଗ ଆସୁଥିଲା। କିନ୍ତୁ ସମସ୍ତେ ରହସ୍ୟମୟ ଭାବେ ଏଥିପ୍ରତି ଆଖି ବୁଜି ଦେଇଥିଲେ। ବିରଞ୍ଚିଙ୍କ ଭଳି ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚା‌ରୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ରୋକ୍ ଲଗାଇବା ପାଇଁ ଓଏସ୍‌ଏସ୍‌ସି ସମ୍ବିଧାନରେ ଏକାଧିକ ଧାରା ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କେବେ ଏହାକୁ ପ୍ରୟୋଗ କରି ନଥିଲେ।

ଏଫ୍‌ଆର୍‌ ୫୬ଜେ’ ଆଧାରରେ ବିରଞ୍ଚିଙ୍କ ରିଭ୍ୟୁ ହୋଇଥିଲା କି?
ଏଫ୍‌ଆର୍ ୫୬ଜେ ନିୟମ ଅନୁସାରେ, ଯେଉଁ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଥିବ; ବାରମ୍ବାର ଶାରୀରିକ ଅସୁସ୍ଥତା ଦେଖିବାକୁ ମିଳୁଥିବ କିମ୍ବା ଅଭ୍ୟାସଗତ ଭାବେ ଚାକିରିରେ ଅନୁପସ୍ଥିତ ରହୁଥିବେ, ସେଭଳି କର୍ମଚାରୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇଥାଏ। ତେଣୁ ଓଏସ୍‌ଏସ୍‌ସିରେ ଦୀର୍ଘ ବର୍ଷ ଚାକିରି କରିଥିବା ବିରଞ୍ଚିଙ୍କ ବିରୋଧରେ ତାଙ୍କ ଚାକିରି କାଳରେ କେତେ ନାମୀ ଓ ବେନାମୀ ଅଭିଯୋଗ ଆସିଛି, ପ୍ରଥମେ ତାର ତଦନ୍ତ କରାଯିବା କଥା ଏବଂ ଏହାପରେ ଏଫ୍‌ଆର୍‌ ୫୬ଜେ’ ଆଧାରରେ ରିଭ୍ୟୁ କରାଯିବା କଥା। ତେଣୁ ବିରଞ୍ଚିଙ୍କ ବିରୋଧରେ ଯଦି ଏଭଳି ରିଭ୍ୟୁ ହୋଇନି, ତେବେ କାହିଁକି ହୋଇନି ତାହାର ତଦନ୍ତ ହେବା ଆବଶ୍ୟକ। ଅପରପକ୍ଷରେ ଯଦି ରିଭ୍ୟୁ ହୋଇଛି, ତେବେ ଅଭିଯୋଗ କେତେ ସତ ବା ମିଛ ତାକୁ ଓଏସ୍‌ଏସ୍‌ସି ତଦନ୍ତ କରିଛି କି? ଯଦି ଅଭିଯୋଗ ସତ ଏବଂ ବିରଞ୍ଚି ଦୁର୍ନୀତିଗ୍ରସ୍ତ ତେବେ ଓଏସ୍‌ଏସ୍‌ଏସ୍‌ସି କର୍ତ୍ତୃପକ୍ଷ କାହିଁକି ବିରଞ୍ଚିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ? କାହିଁକି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭିଜିଲାନ୍ସକୁ ଚିଠି କରାଯାଇ ନ ଥିଲା? ଏହିଭଳି ମାଳମାଳ ପ୍ରଶ୍ନ ବର୍ତ୍ତମାନ ତଥ୍ୟଭିଜ୍ଞ ମହଲକୁ ବିଚଳିତ କରୁଥିବା ବେଳେ ଏ ଦିଗକୁ ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ ଘେରକୁ ନେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

କାହିଁକି ଲାଗୁ ହେଉନଥିଲା ‘ରୋଟେସ୍‌ନାଲ୍ ଟ୍ରାନ୍ସଫର୍ ପଲିସି’ ?
ଦୁର୍ନୀତି ନିବାରଣ ପାଇଁ ସରକାରୀ ସଂସ୍ଥାର ବିଭିନ୍ନ ସମ୍ବେଦନଶୀଳ ପଦରେ ଥିବା ଅଧିକାରୀଙ୍କୁ ପ୍ରତି ୩ ବର୍ଷରେ ଥରେ ‘ରୋଟେସନାଲ୍ ଟ୍ରାନ୍ସଫର୍ ପଲିସି’ ଅନୁଯାୟୀ ବଦଳି କରାଯାଏ। ସେହିଭଳି ଅଣସମ୍ବେଦନଶୀଳ ପଦରେ ଥିବା କର୍ମଚାରୀଙ୍କର ପ୍ରତି ୫ ବର୍ଷରେ ବଦଳି କରାଯାଏ। ତେବେ ବିରଞ୍ଚିଙ୍କର ଯେହେତୁ ବିଭାଗୀୟ ବଦଳି ସମ୍ଭବ ନଥିଲା, ତାଙ୍କୁ ବିଭାଗରେ ଗୋଟିଏ ଦାୟିତ୍ବରୁ ହଟାଇ ଦିଆଯାଇ ଅନ୍ୟ ଏକ ଦାୟିତ୍ବ ଦିଆଯିବା କଥା। ମାତ୍ର ପ୍ରଶ୍ନ ଉଠୁଛି କେଉଁ କାରଣରୁ ବିରଞ୍ଚି ବର୍ଷବର୍ଷ ଧରି ଗୋଟିଏ ବିଭାଗର ନିର୍ଦ୍ଦିଷ୍ଟ ଦାୟିତ୍ବ ଦଖଲ କରିଥିଲେ? କାହିଁକି ତାଙ୍କ ଦାୟିତ୍ବ ନିର୍ବାହରେ ଅଦଳବଦଳ ହେଉନଥିଲା? ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଏସ୍‌ଏସ୍‌ସିରେ ବିରଞ୍ଚିଙ୍କ ଭଳି ଏକାଧିକ କର୍ମଚାରୀ ୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଦାୟିତ୍ବରେ କାମ କରୁଛନ୍ତି। ତାଙ୍କର ଅଦଳବଦଳ ନ ହେବା ପଛରେ ନିଯୁକ୍ତି ଦୁର୍ନୀତି ଚାଲୁଥିବା ସନ୍ଦେହ କରାଯାଉଛି।

ଆଗୁଆ ଜାମିନ ପାଇଁ ଆବେଦନ କଲେ ବିରଞ୍ଚିଙ୍କ ପତ୍ନୀ
କଟକ: ଓଏସ୍‌ଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟ‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ସୁଧାଂଶୁବାଳାଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରାଯାଇଛି। ବିରଞ୍ଚିଙ୍କ ସଢୁ ମନୋରଂଜନ ସାହୁ ମଧ୍ୟ ଗତ ସପ୍ତାହରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବିରଞ୍ଚିଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ପାଇଁ ପତ୍ନୀ ଓ ସଢୁ ସହାୟତା କରିଥିବା ଅଭିଯୋଗ ରହିଛି। ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା। ଅନ୍ୟପକ୍ଷରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିରଞ୍ଚିଙ୍କ ଜାମିନ ଖାରଜ ହେବା ପରେ ସେ ମଧ୍ୟ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର