ଭୁବନେଶ୍ବର: ପୂର୍ତ୍ତ ବିଭାଗର ଡିଭିଜନ୍-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଭିଜିଲାନ୍ସ ବିଭାଗ ଯେତେ ଚଢ଼ଉ କରୁଛି ଶ୍ରୀ ପଣ୍ଡାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ତାଲିକା ସେତିକି ବଢ଼ିବଢ଼ି ଚାଲିଛି। ରାଜଧାନୀର ଏମିତି କୌଣସି ପ୍ରତିଷ୍ଠିତ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ନାହିଁ ଯେଉଁଠି ବାବୁଙ୍କ ଫ୍ଲାଟ୍ ନାହିଁ। ସେମିତି ଏମିତି କୌଣସି ପ୍ରତିଷ୍ଠିତ ମଲ୍ ନାହିଁ ଯେଉଁଠି ବାବୁଙ୍କର ଆଉଟ୍ଲେଟ୍ ଦୋକାନଘର ନାହିଁ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫୁଲନଖରାଠାରୁ ଆରମ୍ଭ କରି ଜଟଣୀ ଅଞ୍ଚଳରେ ବାବୁଙ୍କର ଫ୍ଲାଟ୍, ସିମ୍ଫୋନି ମଲ୍ଠାରୁ ଡିଏଲ୍ଏଫ୍ ସାଇବର ସିଟିରେ କମର୍ସିଆଲ୍ ଆଉଟ୍ଲେଟ୍ ରହିଛି। ତେବେ ଆଜି ଜଟଣୀ ଅଞ୍ଚଳରେ ଥିବା ରୟାଲ୍ ହାବିଟାଟ୍ରେ କୋଟିଏ ଟଙ୍କା ମୂଲ୍ୟର ଏକ ଫ୍ଲାଟ୍(୧୪୧୫ ବର୍ଗଫୁଟ୍), ଗ୍ରେସ୍ ଆପାର୍ଟମେଣ୍ଟ୍ରେ ଦେଢ଼କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍, ଫୁଲନଖରା ଗ୍ରାଣ୍ଡ ଆବାସରେ ୨କୋଟି ଟଙ୍କା ମୂଲ୍ୟର ଫ୍ଲାଟ୍, ପାହାଳ ଉତ୍କଳ ୟୁଟୋପିଆରେ ୨କୋଟି ମୂଲ୍ୟର ଫ୍ଲାଟ, ଘାଟିକିଆ ବିପୁଲ ଗାର୍ଡେନ୍ରେ ଦେଢ଼କୋଟି ମୂଲ୍ୟର ଫ୍ଲାଟ୍(୧୬୩୫ ବର୍ଗଫୁଟ୍ ଓ କସ୍ମୋପଲିସ୍ରେ ଦେଢ଼କୋଟି ଟଙ୍କା ମୂଲ୍ୟର ବେନାମି ଫ୍ଲାଟ୍ ଠାବ କରାଯାଇଛି। ପଟିଆ ଅଞ୍ଚଳରେ ଥିବା ଡିଏଲ୍ଏଫ୍ ସାଇବର ସିଟିରେ ଦେଢ଼କୋଟି ଟଙ୍କା ମୂଲ୍ୟର କମର୍ସିଆଲ୍ ଦୋକାନଘର( ୧୨୧୭ ବର୍ଗଫୁଟ) ଏବଂ କଟକ ଆଠଗଡ଼ ଅଞ୍ଚଳରେ ଥିବା ଲାବଣ୍ୟ ପ୍ଲଟିଂ ପ୍ରୋଜେକ୍ଟରେ ପ୍ଲଟ୍ ଠାବ କରାଯାଇଛି। କଳାଟଙ୍କାକୁ ଲୁଚାଇବାକୁ ଯାଇ ବାବୁ କେବଳ ସମ୍ପତ୍ତିରେ ନିବେଶ କରିଥିଲେ। ସବୁଠୁ ବଡ଼କଥା ସମ୍ପତ୍ତି ମାମଲାରେ ସହକର୍ମୀ ତଥା ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ଟପିଯାଇଛନ୍ତି ଅଶୋକ। ରାଜକିଶୋରଙ୍କଠାରୁ ୧୫କୋଟି ଟଙ୍କା ମୂଲ୍ୟର ଫ୍ଲାଟ୍, ଦୋକାନଘର, ପ୍ଲଟ୍ ଠାବ ହୋଇଥିବା ବେଳେ ଅଶୋକଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ୨୦ କୋଟି ଟଙ୍କା ଟପିଗଲାଣି।
ଫ୍ଲାଟ୍, ପ୍ଲଟ୍, ଦୋକାନଘର ମାୟାରେ ବାୟା
ସମ୍ପତ୍ତି ମାମଲାରେ ବନ୍ଧୁଙ୍କୁ ପଛରେ ପକାଇଲେ
ତେବେ ଭିଜିଲାନ୍ସ ଟିମ୍ ପ୍ରଥମେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଶୋକଙ୍କ ସହକର୍ମୀ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ଉ ସମୟରେ ଅଶୋକଙ୍କ ଲିଙ୍କ ଭିଜିଲାନ୍ସ ହାତରେ ଲାଗିଥିଲା। ଏହାପରେ ବୁଧବାର ଦିନ ଭିଜିଲାନ୍ସର ୬ଟି ଟିମ୍ ପଟିଆ ସୋମନାଥନଗର, ଡ଼ୁମୁଡ଼ୁମା, କସ୍ମୋପଲିସ୍, ରୁଦ୍ରପୁର, ସରକାରୀ କାର୍ଯ୍ୟାଳୟ ସମେତ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ପଣ୍ଡାଙ୍କ ଭୁବନେଶ୍ବରରେ ପଟିଆ ସେମାନାଥନଗରରେ ୩ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା, କସ୍ମୋପଲିସ୍ରେ ୨କୋଟି ମୂଲ୍ୟର ୪ବିଏଚ୍କେ ଫ୍ଲାଟ୍, ଡୁମୁଡ଼ୁମା ହାଉସିଂ ବୋର୍ଡ କଲୋନିରେ କୋଟିଏ ଟଙ୍କା ମୂଲ୍ୟର ଏକ ଏଲ୍ଆଇଜି କୋଠା, ପାହାଳ ଅଞ୍ଚଳରେ ଥିବା ସିମ୍ଫୋନି ମଲ୍ରେ କୋଟିଏ ଟଙ୍କା ମୂଲ୍ୟର ଏକ ଦୋକାନଘର, ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ୨ କୋଟି ମୂଲ୍ୟର ଆଉ ୨ଟି ଦୋକାନଘର ଠାବ କରାଯାଇଥିଲା। ଖାଲି ଏତିକି ନୁହେଁ ବାବୁଙ୍କର ପାଖାପାଖି ସାଢ଼େ ୩ କୋଟି ମୂଲ୍ୟର ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଓ ପୁରୀରେ ଗୋଟିଏ ମୋଟ୍ ୮ଟି ପ୍ଲଟ୍ ଠାବ କରାଯାଇଥିଲା। ଏଥିସହିତ ୨୧ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ଏବଂ ୩୮ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ବଣ୍ଡ୍ ରହିଛି। ସେହିପରି ୧୨୬ ଗ୍ରାମର ସୁନାଗହଣା, ୧୧୭ ଗ୍ରାମର ରୁପା ଗହଣା, ନଗଦ ୧ଲକ୍ଷ ୩୩ ହଜାର ଟଙ୍କା, ଗୋଟିଏ କାର୍ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/01/fhshfxbv-2025-08-01-02-53-18.jpg)