କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ, ୫୦ ହଜାର ନେବା ବେଳେ ଧରା ପଡ଼ିଗଲେ

ଭୁବନେଶ୍ବର: ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରେଡ୍‌ ହ୍ୟାଣ୍ଡେଡ୍‌ ଧରାପଡ଼ିଛନ୍ତି ଭୁବନେଶ୍ବର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା। ରମାକାନ୍ତଙ୍କୁ ଭିଜିଲାନ୍ସ ଟିମ୍‌ ତାଙ୍କ ଅଫିସ ଚାମ୍ବରରେ ହିଁ ଟଙ୍କା ସହ ମାଡ଼ିବସିଛି। ତାଙ୍କୁ ଗିରଫ କରାଯାଇଛି ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭି‌ଯୋଗରେ ତାଙ୍କ ଏକାଧିକ ବାସଭବନରେ ଚଢ଼ଉ ଆରମ୍ଭ କରାଯାଇଛି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ତାଙ୍କ ଭୁବନେଶ୍ବର ସୌଭାଗ୍ୟନଗରସ୍ଥିତ ବାସଭବନ ଓ କନ୍ଧମାଳ ଟିକାବାଲିସ୍ଥିତ ଲାଇନପଡ଼ା ଗାଁରେ ଛାନ୍‌ଭିନ୍‌ ଜାରି ରହିଛି। ଦଶହରା ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଭିଜିଲାନ୍‌ସ ହାତରେ ଧରାପଡ଼ିଥିବାରୁ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ କିଛି ମାସ ତଳେ ଏକ ରାସ୍ତା ମରାମତି କରିବା ପାଇଁ ଅଭିଯୋଗକାରୀ ଠିକାଦାରଙ୍କୁ ଟେଣ୍ଡର୍ ମିଳିଥିଲା। ରାସ୍ତା କାମ ସାରିବା ପରେ ବିଲ୍ ପାଇଁ ସେ ବିଡିଓ ଅଫିସକୁ ଯାଇଥିଲେ।ଏଥିପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଠିକାଦାରଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। ତେଣୁ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଯୋଜନା ମୁତାବକ ଆଜି ଠିକାଦାର ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ତାଙ୍କ ଚାମ୍ବରରେ ଟଙ୍କା ଦେଇଥିଲେ। ଯନ୍ତ୍ରୀ ଶ୍ରୀ ବେହେରା ଟଙ୍କା ଗ୍ରହଣ କରିବା ମାତ୍ରେ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଥିଲା। ତାଙ୍କ ପ୍ୟାଣ୍ଟ ପକେଟ୍‌ରୁ କେମିକାଲ୍ ବୋଳା ୫୦ ହଜାର ଟଙ୍କା ମିଳିଥିଲା। ତାଙ୍କ ହାତକୁ ଧୋଇବା ପରେ ପାଣି ଓ ହାତ ଲାଲ୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର