୨ କରତ କଳ ଉପରେ ଭିଜିଲାନ୍ସ ଚଢ଼ଉ, ୨୬ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

ବାଲିପାଟଣା : ଭୁବନେଶ୍ୱର ବନ ବିଭାଗ ଭିଜିଲାନ୍ସ ପକ୍ଷରୁ ଆଜି ବାଲିପାଟଣା ଅଞ୍ଚଳର ୨ଟି କରତ କଳ ଉପରେ ଚଢ଼ଉ କରାଯାଇଛି। ବେଆଇନ ଭାବେ ଚାଲିଥିବା ଏହି କରତ କଳ ପରିସରରୁ ବିପୁଳ କାଠ ଓ ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ କାଠ ଓ ଯନ୍ତ୍ରାଂଶଗୁଡ଼ିକର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢ଼ଉ ପୂର୍ବରୁ କୌଣସି ସୂତ୍ରରୁ ସୂଚନା ପାଇ କରତ କଳ ମାଲିକ ଓ କର୍ମଚାରୀମାନେ ଫେରାର୍ ହୋଇଯିବାରୁ କାହାକୁ ଗିରଫ କରାଯାଇନାହିଁ।

ସହକାରୀ ବନ ସଂରକ୍ଷକ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଏବଂ ଖୋର୍ଦ୍ଧା ବନଖଣ୍ଡ ସହକାରୀ ବନ ସଂରକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ସହଯୋଗରେ ଏହି ଚଢ଼ଉ କରାଯାଇଥିଲା। ଉକ୍ତ ୨ କରତ କଳ ମଧ୍ୟରୁ ଗୋଟିଏ ଧାନହରା ଏବଂ ଅନ୍ୟଟି ଡେଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଚଢ଼ଉ ସମୟରେ କାଠ ଚିରେଇବା ପାଇଁ ଆସିଥିବା ୨ଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ବେଳେ କରତକଳର ମୋଟର, କରତ ଆଦି ଯନ୍ତ୍ରାଂଶ ଏବଂ ୫୦ ଘନଫୁଟ କାଠ ଜବତ କରାଯାଇଛି। ପୃଥକ ପୃଥକ ଭାବେ ୬ଟି ମାମଲା ରୁଜୁ ହୋଇଛି। ଏହି ଚଢ଼ଉରେ ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଅସିତ କୁମାର ମିଶ୍ର, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ୩ ପ୍ଲାଟୁନ୍‌ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ଜବତ କାଠ, ଯନ୍ତ୍ରାଂଶ ଖୋର୍ଦ୍ଧା ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର