ପ୍ରତାପଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା: ୩୩ ବର୍ଷ କ୍ୟାରିୟର୍‌ରେ ୨୮ଜମି, କୋଠା ଓ ଫ୍ଲାଟ୍

ନଗଦ ୩୮ ଲକ୍ଷ ଟଙ୍କା ଜବତ, ଚଢ଼ଉ ବେଳେ ୨୦ଲକ୍ଷ ଟଙ୍କା ଫିଙ୍ଗି ଦେଇଥିଲେ

ଭୁବନେଶ୍ବର: ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ଵେଲ‌ଫେୟାର୍‌ କର୍ପୋରେସନ୍‌ର (ଓପିଏଚ୍‌ଡବ୍ଲୁସି)ର ଡେପୁଟି ମ୍ୟାନେଜର୍‌ ପ୍ରତାପ କୁମାର ସାମଲଙ୍କ ସମ୍ପତ୍ତିକୁ ଭିଜିଲାନ୍ସର ଆଖି ପାଉନି। ୧୯୮୮ ମସିହାରେ ଜଣେ ସାଧାରଣ ଏଷ୍ଟିମେଟର୍ ଭାବେ ଚାକିରି ଆରମ୍ଭ କରିଥିବା ପ୍ରତାପ ୩୩ ବର୍ଷରେ ୨୮ଟି ମୂଲ୍ୟବାନ୍‌ ଜମି ସମେତ କୋଠା ଓ ଫ୍ଲାଟ୍‌ର ମାଲିକ। ସେଥିମଧ୍ୟରୁ କେବଳ ଭୁବନେଶ୍ବର ଓ ଖୋର୍ଧାରେ ୧୭ଟି ପ୍ଳଟ୍ ଓ କୋଠା ରହିଛି। ଆଜି ସକାଳୁ ଭିଜିଲାନ୍ସ ଯେତେବେଳେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଏନ୍-୬/୪୧୬ ଘରେ ଚଢ଼ଉ କରିବାକୁ ଯାଇଥିଲା, ପ୍ରତାପ ଘର କବାଟ ଖୋଲି ନଥିଲେ। ପ୍ରାୟ ୪୫ ମିନିଟ୍‌ କାଳ ଭିଜିଲାନ୍ସ ଅଧିକାରୀ ସେମିତି ବାହାରେ ଜଗି ରହିଥିଲେ। ଏହି ୪୫ ମିନିଟ୍‌ରେ ପ୍ରତାପ ତାଙ୍କ ଘରେ ଥିବା ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କାକୁ ପେଟିରେ ପୂରାଇ ପଡ଼ୋଶୀ ଛାତରେ ଫିଙ୍ଗି ଦେଇଥିଲେ। ହେଲେ ତାକୁ ଖୋଜାଖୋଜି କରି ପୁଲିସ ପେଟି ଉଦ୍ଧାର କରିଥିଲା। ମାତ୍ର ତା’କୁ ପ୍ରଥମରୁ ନିଜ ଟଙ୍କା ନୁହେଁ ବୋଲି ଫାଙ୍କୁଥିଲା ବେଳେ ବାରମ୍ବାର ଜେରା ପରେ ଶେଷରେ ସତ ମାନିଥିଲେ। ସେହିପରି ଭିଜିଲାନ୍ସ ଟିମ୍ ଘରେ ପଶି ଖାନତଲାସି ଆରମ୍ଭ କରିବା ପରେ ପ୍ରତାପ ବିଭିନ୍ନ ବାହାନା କରି ଘରୁ ବାହାରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଭିଜିଲାନ୍ସ କର୍ମଚାରୀ ଗେଟ୍‌ରେ ତାଲା ମାରିବା ଯୋଗୁଁ ସେ ବାହାରକୁ ଯାଇ ପାରିନଥିଲେ।

ନିଜ ନାଁରେ କମ୍, ପୁଅ ଓ ପତ୍ନୀଙ୍କ ନାଁରେ ଅଧିକ
କୁବେର ପ୍ରତାପଙ୍କ ସଂପତ୍ତି ଆଖି ଖୋସିଲା ଭଳି। ହେଲେ ଏସବୁ କଳାଧନକୁ ଲୁଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ନିଜ ନାଁ’ରେ ଅଳ୍ପ କିଛି ଜମି ଓ କୋଠା ପଞ୍ଜୀକରଣ କରିଥିବା ବେଳେ ସଂପତ୍ତିର ସିଂହଭାଗ ପତ୍ନୀ ଓ ପୁଅ ନାଁରେ କରାଇଥିଲେ। ସୂଚନା ମୁତାବକ, ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ସରକନ୍ତରା ଓ ଗୋଠପାଟଣାରେ ୨ଟି କୋଠା ବ୍ୟତୀତ ପ୍ରାୟ ୧୫ଟି ଜମି ରହିଥିବା ଜଣାପଡ଼ିଛି। ସେହିଭଳି ପୁଅ ପ୍ରୀତମ ସାମଲଙ୍କ ନାଁ’ରେ ୩ଟି ଜମି ଓ ଗୋଟିଏ ଫ୍ଲାଟ୍‌ ରହିଛି।

ବିଡ଼ା ବିଡ଼ା ୫ଶହ ଓ ୨ହଜାର ଟଙ୍କିଆ ନୋଟ୍
ସକାଳୁ ଆଇଆର୍‌ସିସ୍ଥିତ ଘରେ ଭିଜିଲାନ୍ସ ହାଜର ହେବା ପରେ ପ୍ରତାପ ଦୀର୍ଘ ଘଣ୍ଟାଏ କାଳ ସେମାନଙ୍କୁ ପଦାରେ ଛିଡ଼ା କରିଥିଲେ। ଏହି ସମୟ ମଧ୍ୟରେ ସେ ପ୍ରାୟ ୨୦ରୁ ଅଧିକ ୨ହଜାର ଟଙ୍କିଆ ବିଡ଼ା ଓ ୩୦ରୁ ଅଧିକ ୫ଶହ ଟଙ୍କିଆ ବିଡ଼ା ଏକ ପେଟିରେ ପୂରାଇ ପଡ଼ୋଶୀ ଘର ଛାତ ଉପରକୁ ଫିଙ୍ଗିଦେଇଥିଲେ। ପରେ ତରତର ହୋଇ କବାଟ ଖୋଲିଥିଲେ। ଭିଜିଲାନ୍ସ କର୍ମଚାରୀ ଘରେ ତନାଘନା କରିବା ପରେ ଆହୁରି ୧୮ଲକ୍ଷରୁ ଅଧିକ ଟଙ୍କା ବାହାରିଥିଲା। ଏତେଗୁଡ଼ାଏ ଟଙ୍କା ଗଣିବାକୁ ଭିଜିଲାନ୍ସ ଟିମ୍‌କୁ ପ୍ରାୟ ୭ରୁ ୮ ଘଣ୍ଟା ଲାଗି ଯାଇଥିଲା। ଭିଜିଲାନ୍ସ କର୍ମଚାରୀମାନେ ଟଙ୍କାଗଣା ମେସିନ୍ ସାଙ୍ଗରେ ଆଣିଥିଲେ ହେଁ ଏତେ ଟଙ୍କା ଗଣିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଥିଲା।

ପ୍ରତାପଙ୍କ ଗଡ୍‌ଫାଦର କିଏ?

୩୩ ବର୍ଷ ଚାକିରିରେ ପ୍ରତାପ ଏଷ୍ଟିମେଟର୍‌ରୁ ଡେପୁଟି ମ୍ୟାନେଜର୍‌ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ। ଏହା ଭିତରେ ସେ ୬ରୁ ଅଧିକ ଜିଲ୍ଲାରେ କାମ କରିଛନ୍ତି। ତେବେ ଏତେଥର ବଦଳି ଭିତରେ ସେ କେମିତି ଏତେ ସଂପତ୍ତି କଲେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତାପଙ୍କ ଆୟ ବହିର୍ଭୂତ ସଂପତ୍ତି ପଛରେ କେଉଁ ବଡ଼ବାବୁଙ୍କ ହାତ ରହିଛି? ତାଙ୍କ ଗଡ୍‌ଫାଦରକୁ ଖୁସି କରିବା ପାଇଁ ପ୍ରତାପ କେତେ ଟଙ୍କା ଦେଉଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, କମିସନରେଟ୍ ପୁଲିସ ଅନ୍ତର୍ଗତ ଚନ୍ଦକା, ବାଲିପାଟଣା ଓ ବାଲିଅନ୍ତା ଥାନା ପାଇଁ କୋଠା ତିଆରି ହେବାକୁ ଧାର୍ଯ୍ୟ ହୋଇଛି। ଏହାସହ ଭରତପୁର ଥାନା ପାଇଁ ଆକ୍ସନ ପ୍ଲାନ୍ ଯାଇଛି। ପ୍ରତିଟି କୋଠାର ମୂଲ୍ୟ ହାରାହାରି କୋଟିଏ ୭୫ଲକ୍ଷ ରହିଥିବାରୁ ଏଥିରେ ମଧ୍ୟ ସେ ଘୋଟାଲା କରି ସଂପତ୍ତି ଗଚ୍ଛିତ କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର