ଜଟଣୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭିଜିଲାନ୍‌ସ ସ୍କ୍ବାଡ୍‌ ଆଜି ଜଟଣୀରେ ପୁଣି ଜଣେ କୁବେର ବାବୁଙ୍କ ଘରେ ପଞ୍ଝା ମାରିଛି। ଏଥର ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ(ଓଡବ୍ଲୁଏସ୍‌ଏସ୍‌ବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ। ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି। ଶ୍ରୀ ସାହୁଙ୍କ ଜଟଣୀସ୍ଥିତ ବାସଭବନ ସମେତ ଭୁବନେଶ୍ୱର କାର୍ଯ୍ୟାଳୟ ଓ କଟକ ଚୌଦ୍ୱାର(ସମ୍ପର୍କୀୟଙ୍କ ଘର)ରେ ଚଢ଼ଉ ଜାରି ରହିଛି। ୭ଜଣ ଡିଏସ୍‌ପି, ୯ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସ୍‌ଆଇ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। 

Advertisment

ଏଥର ସ୍ବରେଜ୍‌ ବୋର୍ଡ ସହକାରୀ ପ୍ରକଳ୍ପ ଅଧିକାରୀ
୭ଜାଗାରେ ଚଢ଼ଉ, ମାଳମାଳ କୋଠା, ପ୍ଲଟ୍‌ ଠାବ

ଆଜି ଭିଜିଲାନ୍‌ସ ଟିମ୍‌ ଶ୍ରୀ ସାହୁଙ୍କ ଜଟଣୀ କଲେଜ ରୋଡ୍(ୟୁକୋ ବ୍ୟାଙ୍କ୍‌ ସମ୍ମୁଖ)ରେ ଥିବା ଦି ମହଲା କୋଠା, ଜଟଣୀ ସର୍ଦ୍ଦାର ପଟେଲ ମାର୍ଗସ୍ଥିତ ଦି ମହଲା କୋଠାରେ ଚଢ଼ଉ କରିଥିଲା। ଏହି ଦୁଇ କୋଠା ସହ ଶ୍ରୀ ସାହୁଙ୍କର ଜଟଣୀରେ ନିର୍ମାଣାଧୀନ ଗୋଟିଏ ତିନି ମହଲା କୋଠା, ଜଟଣୀ ବନଦୁର୍ଗା ମାର୍କେଟ୍‌ କମ୍ପ୍ଲେକ୍ସରେ ଦୁଇଟି ଦୋକାନ ଘର ଠାବ କରାଯାଇଛି। ସେହିଭଳି ଭୁବନେଶ୍ୱର ରଣସିଂହପୁର ଓ ଜଟଣୀରେ ଦୁଇଟି ଦାମୀ ପ୍ଲଟ୍ ମଧ୍ୟ ଠାବ କରାଯାଇଛି। ଚଢ଼ଉ ବେଳେ ଘରୁ ନଗଦ ୧ଲକ୍ଷ ୫୭ହଜାର ଟଙ୍କା, ୨୫୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ବ୍ୟାଙ୍କ୍‌ ଓ ବୀମାରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଜମା ଥିବା ଜଣାପଡ଼ିଛି। ଠାବ କରାଯାଇଥିବା ୩ଟି ଗାଡ଼ି ଓ ଆସବାବପତ୍ରର ଦାମ ୧୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କୋଠାବାଡ଼ି, ଦୋକାନ ଘର ଓ ପ୍ଲଟ୍‌ର ମୂଲ୍ୟ ଆକଳନ କରାଯାଉଛି। ଶ୍ରୀ ସାହୁଙ୍କ ନିକଟରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଭିଜିଲାନ୍‌ସ ସ୍କ୍ବାଡ୍‌ ଜଟଣୀ ପୌରପାଳିକା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ପାଖରୁ ପ୍ରାୟ ୧୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଲଗାତାର ଜଟଣୀରେ ଚଢ଼ଉ କରି ଭିଜିଲାନ୍‌ସ ସ୍କ୍ବାଡ୍‌ କୋଟିପତି ବାବୁମାନଙ୍କୁ ଠାବ କରୁଥିବାରୁ ସହରରେ ବେଶ୍‌ ସରଗରମ ଚର୍ଚ୍ଚା ଚାଲିଛି।