ଓଡ଼ିଶା ଫେରିବେ ବିଜୟ ମହାନ୍ତି, ଓଡ଼ିଆ ମାଟିକୁ ଝୁରୁଛନ୍ତି

ଆମ୍ବୁଲାନ୍‌ସ ବସ୍‌ ଯୋଗେ ଫେରିବେ

ଭୁବନେଶ୍ବର: ଓଡ଼ିଶା ଫେରିବେ ଅଭିନେତା ବିଜୟ ମହାନ୍ତି। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ। ଅଭିନେତା ତଥା ବିଜେପି ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ମୁତାବକ, ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ। ଏହାପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ସମସ୍ୟା ହେବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବା ବାଟ ଫିଟିଛି। ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଛି। ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ। କେୟାର ହସ୍ପିଟାଲ,ଭୁବନେଶ୍ବର ପକ୍ଷରୁ ଆମ୍ବୁଲାନସ୍‌ ବସ୍‌ର ବ୍ୟବସ୍ଥା କରାଯାଇଛି। ୨/୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରି ଚିକିତ୍ସିତ ହେବେ। ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ବିଜୟ ସାର୍‌ଙ୍କ ଓଡ଼ିଶା ଫେରିବା ମୋଟାମୋଟି ସ୍ଥିର ହୋଇସାରିଛି। ଏ ସମ୍ପର୍କରେ ସେ ଆସନ୍ତାକାଲି ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଠାରେ ବିଜୟ ସାର୍‌ ନିଜ ଲୋକମାନଙ୍କୁ ଦେଖିବାକୁ ପାଇବେ। ଏହା ହିଁ ତାଙ୍କର ଇଚ୍ଛା।

ଶ୍ରୀ ମହାନ୍ତି ଦୀର୍ଘ ଦିନ ହେଲା ହାଇଦ୍ରାବାଦରେ ନିଜ ଝିଅ ପାଖରେ ରହି ଆସୁଥିଲେ। ୧୫ ଦିନ ତଳେ ନିୟମିତ ସ୍ବାସ୍ଥ୍ୟ

ପରୀକ୍ଷା ପାଇଁ ସେ ସେଠାକାର ଏକ ହସ୍ପିଟାଲକୁ ଯାଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଡାକ୍ତରଖାନାରେ କିଛି ଦିନ ରହି ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରେ ରହିବା ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଧୀରେଧୀରେ ସେ ସୁସ୍ଥ ହେଉଥିବା ବେଳେ କଥାବାର୍ତା ମଧ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର