ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କ ପାର୍ଥିବ ଶରୀର ଶୁକ୍ରବାର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ଗତକାଲି ଅପରାହ୍ଣରେ ସ୍ବର୍ଗତ ସାହୁଙ୍କ ପାର୍ଥିବ ଶରୀର ସତ୍ୟନଗର ଶ୍ମଶାନରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ପୁଲିସ ବାହିନୀ ପକ୍ଷରୁ ସ୍ବର୍ଗତ ସାହୁଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ସ୍ବର୍ଗତ ସାହୁଙ୍କ ମରଶରୀର ହାଇଦ୍ରାବାଦରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୫-ଟି ସଚିବ ଭିକେ ପାଣ୍ଡିଆନ୍, ମିସନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ତାଙ୍କ ମରଶରୀରକୁ କଟକସ୍ଥିତ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲ, ପଟିଆସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯାଇଥିଲା। ସେଠାରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଶେଷ ଦର୍ଶନ କରିଥିଲେ। ଏହାପରେ ଶାସ୍ତ୍ରୀନଗରସ୍ଥିତ ବାସଭବନରେ କିଛି ସମୟ ପାଇଁ ରଖାଯାଇଥିଲା। ସେଠାରେ ବିଏମ୍ସି କମିସନର ସଞ୍ଜୟ କୁମାର ସିଂ, କ୍ରୀଡ଼ା ସଚିବ ବିଶାଲ ଦେବ, ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପି.କେ ମେହେର୍ଦ୍ଦା, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଶରତ ଭଦ୍ର, ମହିଳା କମିସନର ପୂର୍ବତନ ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ କୋଭିଡ୍ ନିୟମ ଅନୁସାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56g4j564dg564j56dgjjjjjjjjjjjjjjjjjjjjjjjj.jpg)