ରାତି ପାହିବା ବେଳକୁ ବଦଳିଯାଉଛି ରାଜଧାନୀର ଚିତ୍ର। ସହରରୁ ସବୁଜିମା ହଜିଯାଉଛି। ଆଉ ଚାରିଆଡ଼େ ଆପାର୍ଟମେଣ୍ଟମାନ ମୁଣ୍ଡ ଟେକି ସତେ ଅବା ଆକାଶ ଛୁଇଁବାକୁ ଉଦ୍ୟତ ହେଉଛନ୍ତି। ହଁ, ସହରର ଏହି ଅବୟବ ପରିବର୍ତ୍ତନ ସହ ବଦଳିଛି ଆଧୁନିକ ଜୀବନଯାପନର ଧାରା ଓ ପରମ୍ପରା। ଭୂଇଁ ଓ ଆକାଶ ମଝିରେ ଝୁଲିରହିଥିବା ଏହି କଂକ୍ରିଟ୍ ବସାଗୁଡ଼ିକ ଏବେ ସହରିଆଙ୍କ ସାମାଜିକ ଜୀବନକୁ ନୂଆ ଢଙ୍ଗରେ ପରିଭାଷିତ କରୁଛି। ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ ଦେଇ ଗୋଷ୍ଠୀବଦ୍ଧ ଜୀବନ ଜିଇଁବାର ଅଭିନବ ଅନୁଭୂତି ଭିତରେ ସମସ୍ତେ ନିଜର ଏକ ସ୍ବତନ୍ତ୍ର କାହାଣୀ ଧରି ଅଗ୍ରସର ହେଉଛନ୍ତି। ଅଗଣିତ ସହରିଆ, ଆପାର୍ଟମେଣ୍ଟ ଜୀବନଶୈଳୀକୁ କାହିଁକି ଭଲପାଇ ବସିଛନ୍ତି, ତା’ ପଛର କାହାଣୀ ଜାଣିବା ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା ‘ମଝି ଆକାଶରେ ଜୀବନ’।
ଭଲ ରୋଜଗାର ଓ ଉନ୍ନତମାନର ଜୀବନଶୈଳୀ ପାଇବାକୁ ସଭିଏଁ ଗାଁରୁ ଗୋଡ଼ କାଢ଼ନ୍ତି। ଥରେ ସହରର ହୋଇଗଲା ପରେ ଆଉ କେହି ଗାଁକୁ ଫେରି ପାରନ୍ତିନି। ହେଲେ ମନରୁ ସେ ପୁରୁଣା ଦିନର ସ୍ମୃତି, ଗାଁ ପରିବେଶ କେବେ ଭୁଲି ହୁଏନି। ତାଜା ପବନ ଆଉ ସବୁଜ ପରିବେଶ ସାତସପନ ହୁଏ। ହେଲେ ସେହି ଗାଁ ପରିବେଶରେ ପୁଣି ବଞ୍ଚିବାର ସୁଯୋଗ ପାଉଛନ୍ତି ଡୁମୁଡୁମା ଫେଜ୍-୪ର ‘ ସୁଦର୍ଶନ ଏନ୍କ୍ଲେଭ ବାସିନ୍ଦା’। ଖୋଦ୍ ରାଜଧାନୀରେ ମିଳୁଛି ଗାଁର ପୁରୁଣା ସ୍ମୃତି। ଏଠାରେ ୮ ମହଲା ବିଶିଷ୍ଟ ୫ ବ୍ଲକ୍ର ଆପାର୍ଟମେଣ୍ଟରେ ୧୫ଶହରୁ ଅଧିକ ଲୋକ ବାସ କରୁଛନ୍ତି। ଝରକା ଖୋଲୁ ଖୋଲୁ ସ୍ବଚ୍ଛ ଶୀତଳ ପବନ କ୍ଷଣିକରେ ମନ ଓ ହୃଦୟକୁ ତାଜା କରିପକାଉଛି। ଆପାର୍ଟମେଣ୍ଟ ସମ୍ମୁଖରେ ଗାଁ ହାଟ। ଡୁମୁଡ଼ୁମା ଗ୍ରାମବାସୀଙ୍କ ପାଇଁ ସବୁ ପର୍ବପର୍ବାଣୀରେ ମହୋତ୍ସବ ପାଳିବାକୁ ସୁଯୋଗ ପାଆନ୍ତି। ଚାରିପାଖର ସବୁଜ ପରିବେଶ ଏହି ଆପାର୍ଟମେଣ୍ଟର ଅନ୍ତେବାସୀଙ୍କୁ ସହର ପ୍ରତି ବୀତସ୍ପୃହ ହେବାକୁ ଦିଏ ନାହିଁ। ଏଠାକାର ସୁରକ୍ଷା ବ୍ୟବସ୍ଥା ଅନ୍ତେବାସୀଙ୍କୁ ଆଶ୍ବସ୍ତି ଦିଏ। ୭ ସୁରକ୍ଷାକର୍ମୀ ଆପାର୍ଟମେଣ୍ଟର ସୁରକ୍ଷାକୁ ସୁଦୃଢ଼ କରୁଛନ୍ତି। ଆପାର୍ଟମେଣ୍ଟର ଅନ୍ତେବାସୀ ସଞ୍ଜୀବ କୁମାର କର କୁହନ୍ତି, ଏହା ଏକ ମିନି ଓଡ଼ିଶା। ଏଠାରେ ସମସ୍ତ ଜିଲ୍ଲାର ଲୋକ ବସବାସ କରୁଥିବାରୁ ସବୁ ଜିଲ୍ଲା ସମ୍ପର୍କରେ ଜାଣିବାର ସୁଯୋଗ ମିଳେ। ସମସ୍ତେ ଏକ ଶାନ୍ତିର ଜୀବନର ସନ୍ଧାନରେ ଆସି ଏଠାରେ ରହୁଛନ୍ତି। ଜନ୍ମଦିନ, ବିବାହ ବାର୍ଷିକୀ ସବୁ ଏକାଠି ପାଳନ ହୁଏ। ଗଣେଶ ପୂଜା, ସାବିତ୍ରୀ ବ୍ରତ, ହୋଲି, ଦୀପାବଳି ଏକାଠି ମିଶି ପାଳନ କରିବା ପାଇଁ ଏଠାରେ କମ୍ୟୁନିଟି ହଲ୍ଟିଏ ରହିଛି। ସହରରେ ରହୁଥିବା ମହିଳାମାନେ ଗୃହବନ୍ଦୀ ହୋଇ ରହିଯାଉଥିବା କୁହାଯାଏ। ହେଲେ ଏଠାରେ ଘର ସମ୍ମୁଖରେ ହାଟ। ହାଟ ପାଳିରେ ଗାଁ ଭଳି ସମସ୍ତେ ହାଟ କରିବାକୁ ଯାଆନ୍ତି। ପରିବେଶ ସମ୍ପୂର୍ଣ୍ଣ ଗାଉଁଲି ହୋଇଯାଏ। ଶୀତ ହେଉ କି ଖରାଦିନ, ସଂଧ୍ୟାବେଳେ ଭଲ ଖଟି ଜମେ। ପର୍ବପର୍ବାଣୀ ଆସିଲେ ମହିଳାମାନେ ହିଁ ଦାୟିତ୍ବ ନେଇ ସବୁ ଉତ୍ସବ ପାଳନ୍ତି।