କରୋନା ମୁକାବିଲା: ସହର ଉପକଣ୍ଠରେ ଥିବା ଗାଁକୁ ମନା, ପ୍ରବେଶ ପଥ ସିଲ୍‌

ଚନ୍ଦ୍ରଶେଖରପୁର: ସହର ଉପକଣ୍ଠରେ ଥିବା କୌଣସି ଗାଁକୁ ଯିବାକୁ ଚାହୁଁଛନ୍ତି କି? ଯଦି ଆପଣ ହଁ ମାରନ୍ତି, ତେବେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟୁତ୍ତର ଆସିବ ନା। କୌଣସି ବି ପରିସ୍ଥିତିରେ ଭୁବନେଶ୍ବର ଉପକଣ୍ଠରେ ଥିବା କିଛି ଗାଁକୁ ଆପଣ ପଶି ପାରିବେ ନାହିଁ। କାରଣ ପଶିବାକୁ ବାଟ ହିଁ ନାହିଁ। ପ୍ରବେଶ ପଥରେ ପଡ଼ିଛି ବାଉଁଶ, ଗଛ ଡାଳ, ଖୁଣ୍ଟ ଆଦି ସାମଗ୍ରୀ। ଗାଁର ଯୁବକମାନେ ବି ସେଠାରେ ଛିଡ଼ା‌ ହୋଇ ବାହାରୁ ଆସୁଥିବା ଲୋକଙ୍କୁ ଗାଁ ଭିତରକୁ ଛାଡ଼ୁ ନାହାନ୍ତି। ମଞ୍ଚେଶ୍ବର ଥାନା ଅଧୀନ ଗାଡ଼କଣ ଗ୍ରାମର ହନୁମାନ ମନ୍ଦିର ଛକ, ଶିବ ମନ୍ଦିର ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆରେ ବି ଗ୍ରାମବସୀମାନେ ଲୁହା ରଡ୍‌ରେ ବାଉଁଶ ବାନ୍ଧି ରାସ୍ତା ସିଲ୍ କରିଦେଇଛନ୍ତି।

ଏହା କେବଳ ଦୁଇଟି ଉଦାହରଣ। ସହର ଉପକଣ୍ଠରେ ଏମିତି ଅନେକ ଗାଁ ରହିଛି, ଯେଉଁଠାକୁ ବର୍ତ୍ତମାନ ସମୟରେ ପ୍ରବେଶ କରିହେବ ନାହିଁ। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ୨୧ଦିନ ପାଇଁ ଲକ୍‌ ଡାଉନ୍‌ କରାଯାଇଛି। ଘରୁ କେହି ପଦାକୁ ନ ବାହାରିବାକୁ କୁହାଯାଇଛି। ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ରାସ୍ତାକୁ ବାହାରୁଥିବା ଲୋକଙ୍କ ଉପରେ ପୁଲିସ କଡ଼ା ନଜର ରଖିଥିବା ବେଳେ ଗାଁରେ କିନ୍ତୁ ଏହାର ପ୍ରଭାବ ଅଧିକ ରହିଛି। ସହର ଉପକଣ୍ଠରେ ଥିବା ଗ୍ରାମବାସୀ ସିଧାସଳଖ ଗାଁକୁ ସିଲ୍‌ କରିଦେଇଛନ୍ତି। କାହାକୁ ବି ପ୍ରବେଶ ଲାଗି ଅନୁମତି ଦେଉନାହାନ୍ତି। ଅଧିକାଂଶ ଗାଁରେ ବାହାର ଲୋକଙ୍କ ପାଇଁ ନୋ’ ଏଣ୍ଟ୍ରି ଚିହ୍ନ ମରା ଯାଇଛି। ଭିତରକୁ ଚାରିଚକିଆ ଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏମିତିକି ନିଜ ଗ୍ରାମର କୌଣସି ବ୍ୟକ୍ତିଙ୍କ ଚାରିଚକିଆ ଗାଡ଼ି ମଧ୍ୟ ଗ୍ରାମ ବାହାରକୁ ବାହାରିବା ପାଇଁ ଗାଁ କମିଟିର ଅନୁମତି ନେବାକୁ ପଡ଼ୁଛି। ଯଦି ଗାଁ କମିଟି ଅନୁମତି ନ ଦେଉଛି, ତେବେ ଚାରିଚକିଆ ଗାଡ଼ି ବାହାରକୁ ଆସି ପାରୁନି। ଗାଡ଼କଣ, ରଙ୍ଗମାଟିଆ ଓ ପଥରଗାଡ଼ିଆ ଗାଁର ଯୁବକମାନେ ବାହାରୁ ଆସୁଥିବା ଗାଡ଼ିଗୁଡ଼ିକର ନମ୍ବର, ନାମ ଓ ଯୋଗାଯୋଗ ନମ୍ବର ଲେଖି ରଖୁଛନ୍ତି। ଯିବା ଆସିବା କରୁଥିବା ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି। ଏପରି କରାଯିବା ଦ୍ବାରା ସେମାନଙ୍କ ଗାଁକୁ କୌଣସି ସଂକ୍ରମଣ ଆସିବ ନାହିଁ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି। ତେବେ ବାଇକ୍ ଯିବା ଆସିବା କରିବା ପାଇଁ ଛୋଟ ବାଟ ରଖାଯାଇଛି। ଗାଁ ଲୋକଙ୍କ ବାଇକ୍‌ ଚଳପ୍ରଚଳରେ କୌଣସି ଅସୁବିଧା ନ ଥିବା ବେଳେ ବାହାର ଲୋକ ବାଇକ୍‌ରେ ଆସିଲେ ସେମାନଙ୍କ ସମ୍ପୂର୍ଣ୍ଣ ଠିକଣା ଲେଖି ରଖୁଛନ୍ତି। ଯୁବକମାନଙ୍କ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର