ବାଲିଅନ୍ତା : ପଞ୍ଚାୟତ ନିର୍ବାଚନ ‌ଶେଷ ହୋଇଛି ଓ ଗାଁ ଗାଁରେ ଚାଲିଥିବା ରାଜନୈତିକ କସରତ ସରିଛି। କିନ୍ତୁ ସରିନି ସଂଗ୍ରାମ। ଏବେ ଖେଳ ହେବ ବ୍ଲକ୍‌ରେ। ୧୬ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ୍‌ର ଅଧ୍ୟକ୍ଷ ପଦ ହାତେଇବା ପାଇଁ ବାଲିଅନ୍ତାରେ ୨ ବିଜେଡି ଗୋଷ୍ଠୀରେ ପୁଣି ଆରମ୍ଭ ହୋଇଯାଇଛି ଭିଡ଼ାଟଣା। ବିଧାୟକ ଅରବିନ୍ଦ ଢାଲିଙ୍କ ସମର୍ଥକଙ୍କ ନିକଟରେ ୮ ସମିତି ସଭ୍ୟ ଥିବା ବେଳେ ଚନ୍ଦନ ପାତ୍ରଙ୍କ ଗୋଷ୍ଠୀରେ ୮ ସମିତି ସଭ୍ୟ ଡେରା ପକାଇଛନ୍ତି। ଦୁଇ ଗୋଷ୍ଠୀ ସମିତି ସଭ୍ୟମାନଙ୍କୁ ଉଠାଇ ଗାଏବ୍‌ କରି ସାରିଛନ୍ତି। ତେଣୁ ୧୨ ତାରିଖରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନରେ କେଉଁ ଗୋଷ୍ଠୀ ବାଜିମାତ୍ କରିବ, ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଗାଁ ଲଢ଼େଇରେ ଚନ୍ଦନ ପାତ୍ର ବାଜିମାତ୍ କରିଥିବା ବେଳେ ବ୍ଲକ୍‌ରେ ବିପକ୍ଷକୁ ସେ କିଭଳି ମୁକାବିଲା କରିବେ, ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୂଚନାନୁସାରେ ବିଧାୟକ ଅରବିନ୍ଦ ଢାଲିଙ୍କ ଗୋଷ୍ଠୀରୁ ଚୌଧୁରୀ ଦ୍ବାରିକା ନାଥ ୮ ସମିତି ସଭ୍ୟଙ୍କୁ ନିଜ ପକ୍ଷକୁ ନେଇ ଲୁଚାଇ ରଖିଛନ୍ତି। ସେହିଭଳି ଚନ୍ଦନ ପାତ୍ର ମଧ୍ୟ ୮ ସମିତି ସଭ୍ୟଙ୍କୁ ହାତେଇ ସେମାନଙ୍କୁ ବାଲିଅନ୍ତା ବାହାରକୁ ପଠାଇ ସାରିଛନ୍ତି। ଦୁଇ ପକ୍ଷ ସମିତି ସଭ୍ୟମାନଙ୍କୁ ଗାଁରୁ ଗା‌ଏବ୍‌ କରିନେଇଛନ୍ତି। ଗୋଟିଏ ଗୋଷ୍ଠୀ ରାଜ୍ୟ ବାହାରକୁ ଚାଲି ଯାଇ ପର୍ଯ୍ୟଟନ କ୍ଷେତ୍ର ବୁଲୁଥିବା ବେଳେ ଅନ୍ୟ ଗୋଷ୍ଠୀ ବାଲେଶ୍ବର ଜିଲ୍ଲାରେ ତୀର୍ଥ ଭ୍ରମଣ କରୁଥିବା କୁହାଯାଉଛି। ସେମାନଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଛି। ତେଣୁ ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ। ଅବଶ୍ୟ ସେମାନେ ଅଲଗା ନମ୍ବରରେ ପରିବାର ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ତେଣୁ ପରିବାର ବା ସମ୍ପର୍କୀୟଙ୍କ ଜରିଆରେ ସେମାନଙ୍କ ସହ ଡିଲ୍‌ କରିବାକୁ ଉଭୟ ପକ୍ଷ ଟାକି ରହିଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିଧାୟକ ଶ୍ରୀ ଢାଲିଙ୍କୁ ଅଣଦେଖା କରି ଚନ୍ଦନ ପାତ୍ର ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ର ୬ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଦଳୀୟ ଟିକେଟ୍‌ ହାତେଇଥିଲେ ଓ ପ୍ରାର୍ଥୀ ଦେଇ ସେମାନଙ୍କୁ ବିଜୟୀ କରାଇଛନ୍ତି। ବିଧାୟକଙ୍କ ଗୋଷ୍ଠୀର ସବୁ ପ୍ରକାର ବିରୋଧ ସତ୍ତ୍ବେ ଚନ୍ଦନଙ୍କ ଜିଲ୍ଲା ପରିଷଦ ପ୍ରାର୍ଥୀମା‌ନେ ବିଜୟୀ ହୋଇଛନ୍ତି ଓ ଅସନ୍ତୁଷ୍ଟ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ପରାସ୍ତ ହୋଇଛନ୍ତି। ମାତ୍ର ସମିତି ସଭ୍ୟ କ୍ଷେତ୍ରରେ ବିଧାୟକଙ୍କ ଗୋଷ୍ଠୀ ସମାନ ସଂଖ୍ୟକ ସମିତି ସଭ୍ୟ ବିଜୟୀ କରାଇଛନ୍ତି। ତେଣୁ ଜିଲ୍ଲା ପରିଷଦ ଲଢ଼େଇରେ ପରାଜୟର ପ୍ରତିଶୋଧ ନେବା ପାଇଁ ବିଧାୟକ ତଥା ଦ୍ବାରିକା ନାଥଙ୍କ ଗୋଷ୍ଠୀ ସୁଯୋଗ ଅପେକ୍ଷାରେ ଅଛନ୍ତି।

ସୂଚନାଯୋଗ୍ୟ, ଏଥର ବ୍ଲକ୍‌ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଉଭୟ ଗୋଷ୍ଠୀଙ୍କ ପକ୍ଷରେ ଯୋଗ୍ୟ ଜଣେ ଜଣେ ସମିତି ସଭ୍ୟ ବି ଅଛନ୍ତି।