ଜଟଣୀ: ସହରାଞ୍ଚଳରେ ଶ୍ମଶାନ ଗୁଡ଼ିକରେ ସମସ୍ତ ମୌଳିକ ସୁବିଧା ସୁଯୋଗ ବନ୍ଦୋବସ୍ତ କରାଯାଇଥାଏ। ଏବେ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚାୟତଠାରୁ ଆରମ୍ଭ କରି ସହରାଞ୍ଚଳରେ ପ୍ରତି ଶ୍ମଶାନକୁ ପୁନରୁଦ୍ଧାର କରାଯାଉ ଥିଲେ ମଧ୍ୟ ଏବେବି ଅନେକ ଶ୍ମଶାନ ଅବହେଳିତ ଅବସ୍ଥାରେ ରହିଛି। ଫଳରେ ସାଧାରଣ ଲୋକେ ଶବଦାହ କରିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଟଣୀ ପୌରାଞ୍ଚଳ ରାମଚନ୍ଦ୍ରପୁର ଶ୍ମଶାନ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ପାଲଟିଲାଣି। ବ୍ରିଟିସ୍ ଅମଳରୁ ତିଆରି ହୋଇଥିବା ଶ୍ମଶାନର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଗଛଲତାରେ ଭର୍ତ୍ତି ହୋଇଗଲାଣି। ଏହି ଜଙ୍ଗଲ ଭିତରେ ହେଉଛି ଶବଦାହ କାର୍ଯ୍ୟ। ଅନେକ ସମୟରେ ଲୋକେ ଭୟଭୀତ ଅବସ୍ଥାରେ ଶବଦାହ କରୁଥିବା ବେଳେ ବିଶେଷ କରି ରାତି ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବହେଳିତ ଅବସ୍ଥାରେ ପଡ଼ିଥିବା ଏହି ଶ୍ମଶାନର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ପକ୍ଷକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଶ୍ମଶାନର ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଆସିଥିଲେ ମଧ୍ୟ କାମ ନ ହେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। 
ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୧୧ନମ୍ବର ୱାର୍ଡରେ ରାମଚନ୍ଦ୍ରପୁର ଗ୍ରାମ ଶ୍ମଶାନ  ଉପରେ ୯, ୧୦ ଓ ୧୧ ନମ୍ବର (କିଛି ଅଂଶ) ୱାର୍ଡର ଅଞ୍ଚଳବାସୀ ନିର୍ଭର କରନ୍ତି। ନୂଆଗାଁ, ରାମଚନ୍ଦ୍ରପୁର, ବିକାଶନଗର, ପାଇକରାପୁର, ଭୋଇସାହି, ତେଲି ସାହି, ବ୍ରାହ୍ମଣ ସାହି ସହ ଅନ୍ୟ କିଛି ଅଞ୍ଚଳର ଲୋକେ ଏଠାରେ ଶବଦାହ କରି ଆସୁଛନ୍ତି। 
କୁହାଯାଏ, ଏହି ଶ୍ମଶାନ ବ୍ରିଟିସ୍ ଅମଳରେ ଗ୍ରାମବାସୀ ମାନେ ବ୍ୟକ୍ତିଗତ ଜାଗାରେ ଟଙ୍କା ଆଦାୟ କରି ନିର୍ମାଣ କରିଥିଲେ। ସେବେଠୁ ଅଞ୍ଚଳବାସୀ ଶବଦାହ କାର୍ଯ୍ୟ କରି ଆସୁଥିଲେ। ହେଲେ ବିଗତ କିଛି ବର୍ଷ ହେଲା ଶ୍ମଶାନର ରକ୍ଷଣାବେକ୍ଷଣ ଅଭାବରୁ ଶ୍ମଶାନ ପରିସରରେ ଅନାବନା ଗଛଲତା ସବୁ ଉଠି ଜଙ୍ଗଲ ପାଲଟିଗଲାଣି। ଫଳରେ ଶବଦାହ ଗୃହ ପର୍ଯ୍ୟନ୍ତ ଶବ ନେବା କଷ୍ଟକର ହେଉଛି। ଭିତରକୁ ଯିବା ଲାଗି ରାସ୍ତା ମଧ୍ୟ ନାହିଁ। ବଣ ଭର୍ତ୍ତି ଶ୍ମଶାନ ପରିସରରେ ଉଈ ହୁଙ୍କା ସୃଷ୍ଟି ହୋଇଛି। ମୌଳିକ ସୁବିଧା ଲାଇଟ୍, ପାଣିର ବ୍ୟବସ୍ଥା ନଥିବାରୁ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି। 
ଏ ନେଇ ଅଞ୍ଚଳର ଅଶୋକ ସାହୁ କହିଛନ୍ତି ଯେ, ଏହି ଶ୍ମଶାନ ଆମ ବାପା, ଜେଜେବାପା ଅମଳରୁ ନିର୍ମାଣ ହୋଇଛି। ପରେ ଟଙ୍କା ଆଦାୟ କରି ଏହାର ରକ୍ଷଣାବେକ୍ଷଣ କରି ଆସୁଥିଲୁ। କିନ୍ତୁ ଏବେ ତାହା ଜଙ୍ଗଲ ପାଲଟି ଗଲାଣି। ଶ୍ମଶାନର ପୁନରୁଦ୍ଧାର ସହ ଏହା ସଂଲଗ୍ନ ଖେଳ ପଡ଼ିଆକୁ ଗୋଟିଏ ମିନି ପାର୍କ କିମ୍ବା ମିନି ଷ୍ଟାଡିୟମ୍ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ୱାର୍ଡ କାଉନସିଲର ଦିଲୀପ ମାର୍ଥା କହିଛନ୍ତି ଯେ, ଏହି ଶ୍ମଶାନର ଉନ୍ନତୀକରଣ ପାଇଁ ଦୁଇ ଲକ୍ଷ ଟଙ୍କା ଆସିଥିଲା। ଏଥିରେ କେବଳ ଶ୍ମଶାନ ପାଚେରି ଓ ସଫେଇ କାମ କରାଯିବ।  ପରବର୍ତ୍ତୀ ସମୟରେ ପୁଣି ଟଙ୍କା ଆସିଲେ ଅନ୍ୟ ପ୍ରକଳ୍ପ କାମ କରାଯିବ।