ରାଜଧାନୀରେ ‘ଗାଁ ଆମ୍ବ ପସରା’: ଅନ୍‌ଲାଇନ୍‌ରେ ୪୭, ଅଫଲାଇନ୍‌ରେ ୫୫ଟଙ୍କା

ଭୁବନେଶ୍ବର: ଆଜିଠାରୁ ରାଜଧାନୀରେ ଖୋଲିଛି ‘ଗାଁ ଆମ୍ବ ପସରା’। ପାଖାପାଖି ୧୨ଟି ସ୍ଥାନରେ ଏହି ପସରା ବା ଷ୍ଟଲ୍‌ ଖୋଲାଯାଇଛି। କରୋନା କଟକଣା ପାଇଁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ବନ୍ଦ ହୋଇଥିବାରୁ ବିକଳ୍ପଭାବେ ‘ଗାଁ ଆମ୍ବ ପସରା’ ଖୋଲା ଯାଇଛି। ଓର୍‌ମାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାହକମାନେ ଉଭୟ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ରେ ଆମ୍ବ କିଣିବା ସୁଯୋଗ ରହିଛି।

ଏହି ମହୋତ୍ସବ ଚଳିତ ମାସ ୨୮ରୁ ଆରମ୍ଭ ହୋଇ ଜୁନ୍‌ ୨୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୨ଜଣ ଚାଷୀ ଏଥିରେ ଭାଗ ନେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାର ଆମ୍ବ ଚାଷୀମାନେ ସାମିଲ୍ ହେବେ। ଭୁବନେଶ୍ବରର ପାଣ୍ଟାଲୁନ୍‌ସ, ଏଲ୍‌ଆଇସି ଅଫିସ୍‌, ବଜରଙ୍ଗ ବିହାର, ଲିଙ୍ଗିପୁର, ଆଧାର ଫ୍ରେସ୍‌, ଜେଡ୍‌-୧ ଆପାର୍ଟମେଣ୍ଟ, ଡିଷ୍ଟ୍ରିକ୍ଟ ସେଣ୍ଟର, କସ୍‌ମୋପଲିସ୍‌ ଆପାର୍ଟମେଣ୍ଟ, ଲୋକସେବା ଭବନ ପଛପଟ, କଳିଙ୍ଗ ଷ୍ଟୁଡିଓ ଛକ, ୟୁନିଟ-୮ ଏସ୍‌ଆଇଆର୍‌ଟି କ୍ୟାମ୍ପସ୍‌ ଏବଂ ପୋଖରୀପୁଟରେ ଏହି ସବୁ ଷ୍ଟଲ୍ ଖୋଲା ଯାଇଛି। ଏଥିମଧ୍ୟରୁ ଚାଷୀଙ୍କର ୪ଟି ଷ୍ଟଲ ଏବଂ ସଫଲ୍‌ ସହଯୋଗରେ ୮ଟି କ୍ୟାନୋପି ବ୍ୟବସ୍ଥା କରାଯାଇଛି। ଷ୍ଟଲ୍‌ରେ ସିଧାସଳଖ ଗ୍ରାହକଙ୍କୁ କିଲୋ ପ୍ରତି ୬୫ଟଙ୍କାରେ ଆମ୍ରପଲ୍ଲୀ, ମଲ୍ଲିକା, ଦଶେରି, ଗୋପାଳଭୋଗ ଆମ୍ବ ବିକ୍ରି କରାଯାଉଛି। ଏମିତି ଅଫ୍‌ଲାଇନ୍‌ ବିକ୍ରି ସହ ଅନ୍‌ଲାଇନ୍‌ ବିକ୍ରି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ସ୍ବିଗି ସହ ଅନୁବନ୍ଧନ କରାଯାଇଛି। ଅନ୍‌ଲାଇନ୍‌ ଦର ହିସାବରେ ଦଶେରି ଆମ୍ବ ୫କେଜିକୁ ୩୮୬ଟଙ୍କା ଓ ଆମ୍ରପଲ୍ଲୀ ୫କେଜିକୁ ୩୫୬ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ବାଇଗଣପଲେଇ ଆମ୍ବର ମୂଲ୍ୟ ଅଫଲାଇନ୍‌ରେ କେଜି ପ୍ରତି ୫୫ଟଙ୍କା ରହିଥିବା ବେଳେ ଅନ୍‌ଲାଇନ୍‌ରେ ୭କେଜିକୁ ୩୩୪ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର