ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ଆଗରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ବିକ୍ଷୋଭ

ବାଲିଅନ୍ତା: ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ଆଜି ବେତେଣ୍ଡା ଓ ନୂଆସାହି ଗ୍ରାମ ସହ ପ୍ରତାପରୁଦ୍ରପୁର ପଞ୍ଚାୟତ ମହାସଂଘ ପକ୍ଷରୁ ଭୁବନେଶ୍ୱରର ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ହସ୍ପିଟାଲର ରୋଗୀ ଶୋଷଣ ନୀତି ବିରୋଧରେ ନାରାବାଜି କରିବା ସହ ମୃତ ମହିଳା ଗଙ୍ଗା ସାମଲ(୩୫)ଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସହାୟତା ପ୍ରଦାନ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଯୋଗ୍ୟ, ଏହି ହସ୍ପିଟାଲରେ ବେତେଣ୍ଡା ଗ୍ରାମର ଭାଗୀରଥି ସାମଲଙ୍କ ପତ୍ନୀ ଗଙ୍ଗାଙ୍କ ପେଟରେ ବଢ଼ୁଥିବା ଟ୍ୟୁମର୍‌ର ୩ଥର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଫଳରେ ପରିବାରଲୋକ କିଛି ଦିନ ତଳେ ପୁଣିଥରେ ତାଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖ ସକାଳେ ଗଙ୍ଗାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ଗଙ୍ଗାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କ ପରିବାର ଓ ସଂପର୍କୀୟମାନେ ସେହି ସଂଧ୍ୟାରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର