ବାଲିଅନ୍ତା : ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ କଇଜଙ୍ଗା ଗ୍ରାମରେ ଦିନକରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ ସରପଞ୍ଚ ୯ ଦିନ ପାଇଁ ସିଲ୍ କରିଦେଇଛନ୍ତି। ତଦନୁଯାୟୀ, ଆଜି ସଂଧ୍ୟା ୭ଟାରୁ ଆସନ୍ତା ମାସ ୭ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପୂରା ଗାଁ ସିଲ୍ ରହିବ। ଆଜି ଗାଁର ସମସ୍ତ ଗଳି ଓ ସାହି ରାସ୍ତାକୁ ବାଉଁଶଧଡ଼ା ବାନ୍ଧି ବନ୍ଦ କରାଯାଇଛି। ମେକାପ ସାହି, ବସ୍ତିଆ ସାହି, ପଣ୍ଡା ସାହି ଓ ଭୋଇସାହି ରାସ୍ତା ମଧ୍ୟ ସିଲ୍ କରାଯାଇଛି। ତେଣୁ ଏହି ସାହିର ଲୋକମାନେ ଅନ୍ୟ ସାହିକୁ ଯାଇପାରିବେ ନାହିଁ କି ଅନ୍ୟ ସାହିର ଲୋକ ସଂପୃକ୍ତ ସାହିକୁ ଆସିପାରିବେ ନାହିଁ। ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ ସୂଚନାନୁଯାୟୀ, ଗତକାଲି ଗ୍ରାମ ସ୍କୁଲରେ ୪୫ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଅନ୍ୟ ୪ଜଣ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ପରୀକ୍ଷା କରାଇଥିଲେ। ଆଜି ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାଯାଇଛି।
ପ୍ଲାଜ୍ମା ଦାନ କରିବେ ୩ କର୍ମଚାରୀ
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇଜଣ କର୍ମଚାରୀ ଓ କୋଭିଡ୍ ଡ୍ୟୁଟିରେ ଗାଡ଼ି ଚାଳକ ଭାବେ କାମ କରୁଥିବା ଜଣେ କର୍ମଚାରୀ ପ୍ଲାଜ୍ମା ଦାନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ସେମାନେ ହେଲେ, ହସ୍ପିଟାଲର ଷ୍ଟାଫ୍ ନର୍ସ ସରୋଜିନୀ ନାୟକ, ସ୍ବାସ୍ଥ୍ୟକର୍ମୀ ସୁବ୍ରତ ଦାଶ ଓ ଏବଂ କୋଭିଡ୍ ଗାଡ଼ି କର୍ମଚାରୀ ସହିଦନଗର ଅଞ୍ଚଳର ନୀଳମାଧବ ନାୟକ। ଆଜି କ୍ୟାପିଟାଲ ହସ୍ପିଟାଲରେ ନୀଳମାଧବ ଓ ସରୋଜିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେମାନେ ପ୍ଲାଜ୍ମା ଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୧ତାରିଖରେ ଉଭୟ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜ୍ମା ଦାନ କରିବେ। ସେହିପରି ସ୍ବାସ୍ଥ୍ୟକର୍ମୀ ସୁବ୍ରତଙ୍କର ସେହି ଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ତନ୍ମୟ ତ୍ରିପାଠୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ଅଞ୍ଚଳରୁ ସରକଣା ଗ୍ରାମର ଦୁଇ ଭାଇ ପ୍ରଥମେ ପ୍ଲାଜ୍ମା ଦାନ କରିଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨୦ ଜଣ ପ୍ଲାଜ୍ମା ଦାନ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ଡାକ୍ତର ତ୍ରିପାଠୀ ସୂଚନା ଦେଇଛନ୍ତି।
ଦିନକରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ
ବାଲିଅନ୍ତା : ବାଳକାଟି ନିକଟ ନୀଳାଚଳ କୋଭିଡ୍ ହସ୍ପିଟାଲରେ ଆଜି ଦିନକ ମଧ୍ୟରେ ଚିକିତ୍ସାଧୀନ ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି। ୫୦ ବର୍ଷୀୟ ମୃତ ମହିଳାଙ୍କ ଘର ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ଅଞ୍ଚଳରେ। ସେହିପରି ଅନ୍ୟ ମୃତକଙ୍କ ପରିଚୟ ଓ ଠିକଣା ମିଳିପାରିନାହିଁ। ଗତ ସପ୍ତାହରେ ଉଭୟଙ୍କୁ ଚିକିତ୍ସା ଲାଗି ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୁସ୍ଥ ହେବା ପରିବର୍ତ୍ତେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଗତକାଲି ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ପରିବାରଲୋକଙ୍କ ଉପସ୍ଥିତିରେ ହସ୍ପିଟାଲ ପକ୍ଷରୁ ମୃତକଙ୍କୁ ବିଏମ୍ସିକୁ ହସ୍ତାନ୍ତର କରାଯାଇଥିଲା। ଆଜି ଅପରାହ୍ଣରେ ସତ୍ୟନଗର ଶ୍ମଶାନରେ ସେମାନଙ୍କ ଶବ ସତ୍କାର କରାଯାଇଛି।