ସାହିବାଲା ଛାଡ଼ିଲେନି : ବାପାଙ୍କ ଦଶାହରେ ଯୋଗ ଦେଇପାରିଲେନି ପୁଅ-ବୋହୂ

ଭୁବନେଶ୍ବର : କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଗାଁ’ରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଗ୍ରାମବାସୀମାନେ ଦୁଇ ପୁଅ ଓ ବୋହୂଙ୍କୁ ଗାଁ’ରେ ପୂରାଇ ନଦେବାରୁ ବାପାଙ୍କ ଦଶାହରେ ସେମାନେ ଯୋଗ ଦେଇପାରିନାହାନ୍ତି। ଏହା ଗୋଟିଏ ଦିଗରେ ଅତ୍ୟନ୍ତ ଆବେଗପ୍ରବଣ ଘଟଣା ହୋଇଥିବା ବେଳେ, ଅନ୍ୟ ଦିଗରେ କରୋନା କଟକଣା ପରିସ୍ଥିତିରେ ମାନବିକତା ଯେ ମରିଯାଉଛି, ତାହା ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା, ଜଙ୍କିଆ ଥାନା ଅଧୀନସ୍ଥ ସିକୋ ଦଳବେହେରା ସାହିର ବିଶ୍ବନାଥ ସୁନ୍ଦରାୟଙ୍କର ଗତ ମାର୍ଚ୍ଚ ୩୦ ତାରିଖରେ ଦେହାନ୍ତ ହୋଇଥିଲା। ସ୍ବର୍ଗତ ବିଶ୍ବନାଥଙ୍କ ତିନି ପୁଅଙ୍କ ମଧ୍ୟରୁ ୨ ଜଣ ଦେବ ସୁନ୍ଦରାୟ ଓ ଶଙ୍କର ସୁନ୍ଦରାୟ ଭୁବନେଶ୍ବରରେ ରହି ବ୍ୟବସାୟ କରନ୍ତି। ପିତାଙ୍କ ବିୟୋଗ ଯୋଗୁ ସେମାନେ ଗ୍ରାମକୁ ଯାଇ କ୍ରିୟାକର୍ମରେ ଯୋଗ ଦେବା ପାଇଁ ଭୁବନେଶ୍ବର କମିସନରେଟ୍‌ ପୁଲିସଠାରୁ ଅନୁମତି ପାଇ ଗ୍ରାମକୁ ବାହାରିଥିଲେ। କିନ୍ତୁ ଗ୍ରାମରେ ଥିବା ସାନ ଭାଇ ଅକ୍ରୁର ସୁନ୍ଦରାୟ ସାହିର କିଛି ବ୍ୟକ୍ତିଙ୍କ ଚାପରେ ଫୋନ୍‌ କରି ସେମାନଙ୍କୁ ଗ୍ରାମକୁ ଆସିବାକୁ ମନା କରିଥିଲେ। ଦୁଇ ଭାଇ କାରଣ ପଚାରିବାରୁ ଜାଣିବାକୁ ପାଇଲେ ଯେ ଭୁବନେଶ୍ବରରେ କରୋନା ବ୍ୟାପୀ ଥିବାରୁ ଦଳବେହେରା ସାହିର ଲୋକମାନେ ସେମାନଙ୍କ ଗ୍ରାମ ପ୍ରବେଶକୁ ନିଷେଧ କରିଛନ୍ତି। ଭାଇ ଦ୍ବୟ ଭୁବନେଶ୍ବରରେ ରହୁଥିବାରୁ ଗ୍ରାମକୁ ଗଲେ, ସାହିରେ ପୂରାଇ ନ ଦେବା ସହ ପୋଖରୀ ତୁଠରେ ମଧ୍ୟ ପ୍ରବେଶ କରାଇ ଦେବେନାହିଁ କିମ୍ବା ବାରିକ ଓ ବ୍ରାହ୍ମଣ ମଧ୍ୟ କର୍ମକାଣ୍ଡ କରିବେ ନାହିଁ ବୋଲି ଚରମବାଣୀ ଶୁଣାଯାଇଥିଲା। ବାପାଙ୍କ କ୍ରିୟାକର୍ମରେ ବିଘ୍ନ ଉପୁଜିବ ବୋଲି ଆଶଙ୍କା କରି ଦେବ ଓ ଶଙ୍କର ଆଉ ଗ୍ରାମକୁ ଗଲେ ନାହିଁ କି ଜନ୍ମଦାତା ପିତାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିଲେ ନାହିଁ। ଏପରି ଅଭାବନୀୟ ଘଟଣା ସମ୍ପର୍କରେ ଜାଣି ଭୁବନେଶ୍ବରରେ ରହୁଥିବା ସେହି ସାହିର ସନ୍ତୋଷ କୁମାର ସାହୁ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଗ୍ରାମରେ ଯାଇ ପହଞ୍ଚିଥିଲେ। କିନ୍ତୁ ଦଳବେହେରା ସାହିର କେତେଜଣ ଯୁବକ ଓ ଲୋକ ଆସି ତାଙ୍କୁ ଧମକ ଦେଇଥିଲେ ଏବଂ ଗ୍ରାମରେ ତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଭିତରେ ଥିବା ଭିିକାରି ସାହୁ ‘‘ତୁମେ ଆଉ ଏ ଗାଁ’ କି ସାହିରେ ପଶିବ ନାହିଁ, ଯଦି ପଶିବ କି ଏପରି ଖବର ପ୍ରକାଶ କରିବ ତେବେ ଆଗକୁ ବହୁତ ଅସୁବିଧା ହେବ’’ ବୋଲି କହିଥିଲେ। ଭିକାରିଙ୍କ ସହିତ ଗ୍ରାମର ଲିଙ୍ଗରାଜ ସାହୁ, ବୁବା, ନରେନ୍ଦ୍ର ଓ ଆହୁରି ଅନେକ ଯୁବକ ଥିଲେ। ଶ୍ରୀ ସାହୁ ଏ ସମ୍ପର୍କରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଲେଙ୍କାଙ୍କୁ ପଚାରିବାରୁ, ପିତାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସି ପାରିନଥିବା ବ୍ୟକ୍ତି ଆମକୁ ଏ ବିଷୟରେ ଜଣାଇ ନାହାନ୍ତି। ଜଣାଇଥିଲେ ପୁଲିସ୍ ତାଙ୍କୁ ନେଇ ଶାନ୍ତିରେ ତାଙ୍କ ପିତାଙ୍କ ତିଳତର୍ପଣ କାର୍ଯ୍ୟରେ ଯୋଗ ଦେବାର ବ୍ୟବସ୍ଥା କରାଇଥାନ୍ତେ ଏବଂ ଏପରି ଘଟଣା ଠିକ୍ ନୁହେଁ କହିବା ସହିତ ସାମ୍ବାଦିକ ଶ୍ରୀ ସାହୁ ଯେତେ‌ବେଳେ ଚାହିବେ ନିଜ ଗ୍ରାମ ଓ ସାହିକୁ ଯାଇପାରିବେ ଏବଂ ପୁଲିସ ସହାୟତା ମିଳିବ ବୋଲି ପ୍ରକାଶ କରିଥିଲେ। ତେବେ କରୋନା କଟକଣା ପରିସ୍ଥିତିରେ ଲୋକଙ୍କ ମାନବିକତାର ମୃତ୍ୟୁ ଘଟୁଥିବାରୁ ବୁଦ୍ଧିଜୀବୀ ମହଲ ଏହାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର